ଓଡ଼ିଶାଲାଇଭ୍ ବ୍ୟୁରୋ

ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ବୁଧବାର ଆୟୋଜିତ ହୋଇଛି ‘ଷ୍ଟାର୍ଟଅପ୍‌ ଉତ୍ସବ-୨୦୨୪’। ଭୁବନେଶ୍ୱର ସ୍ଥିତ ‘ଓ-ହବ’ରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଷ୍ଟାର୍ଟଅପ୍‌ ଇକୋସିଷ୍ଟମକୁ ନେଇ ମାନସମନ୍ଥନ ହୋଇଛି। ଏହାସହ ରାଜ୍ୟର ସଫଳ ଷ୍ଟାର୍ଟଅପ୍ ଉଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଶକ୍ତି, ଶିଳ୍ପ ଏବଂ ଏମଏସଏମଇ ବିଭାଗର ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଷ୍ଟାର୍ଟଅପ୍‌ ଉତ୍ସବରେ ଅନେକ ଷ୍ଟାର୍ଟଅପ୍‌ ଉଦ୍ୟୋଗୀ, ଇନକ୍ୟୁବେଟର, ବୈଷୟିକ ଅନୁଷ୍ଠାନ ତଥା ଶିଳ୍ପ ଓ ଏମଏସଏମଇ ଜଗତର ବିଶିଷ୍ଟ ବ୍ୟକ୍ତି ଏବଂ ଅନ୍ୟ ଅଂଶୀଦାରମାନେ ଯୋଗ ଦେଇଥିଲେ। ଏଠାରେ ଷ୍ଟାର୍ଟଅପ୍ ସମ୍ବନ୍ଧୀୟ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ରାଜ୍ୟର ଅଗ୍ରଣୀ ଷ୍ଟାର୍ଟଅପମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ଯେଉଁ ଷ୍ଟାର୍ଟଅପମାନେ ଅନ୍ତର୍ଜାତୀୟ ସ୍ତରରେ ଆର୍ଥିକ ଅନୁଦାନ ହାସଲ କରିଛନ୍ତି ସେମାନଙ୍କୁ ପୁରସ୍କୃତ କରାଯାଇଥିଲା।

ସେହିପରି ୨୦୨୩ରେ ହୋଇଥିବା ଓଡ଼ିଶା ଷ୍ଟାର୍ଟଅପ୍‌ ଯାତ୍ରା ଏବଂ ଓଡ଼ିଶା ଷ୍ଟାର୍ଟଅପ୍‌ ଏକ୍ସପ୍ରେସ କାର୍ଯ୍ୟକ୍ରମରେ ନିଜର ସୃଜନଶୀଳତା ପାଇଁ କୃତିତ୍ଵ ଅର୍ଜନ କରିଥିବା ୨୦ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଷ୍ଟାର୍ଟଅପ୍‌ ଉତ୍ସବରେ ପୁରସ୍କୃତ କରାଯାଇଥିଲା। ଏହାସହ ରାଜ୍ୟର ସଫଳ ଇନକ୍ୟୁବେଟର, ମହିଳା ଉଦ୍ୟୋଗୀ ତଥା ଉଦୀୟମାନ ଷ୍ଟାର୍ଟଅପମାନଙ୍କୁ ଏଠାରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ଉତ୍ସବରେ ଷ୍ଟାର୍ଟଅପ୍‌ ଓଡ଼ିଶାର ବୁକଲେଟ୍ ଉନ୍ମୋଚନ ହୋଇଥିଲା।

“ଷ୍ଟାର୍ଟଅପ୍‌ ଓ ଅନ୍ୟାନ୍ୟ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଏବେ ନୂଆ ନୂଆ କୀର୍ତ୍ତିମାନ ସ୍ଥାପନ କରୁଛି। ଷ୍ଟାର୍ଟଅପ୍‌ ଓଡ଼ିଶା ମାଧ୍ୟମରେ ରାଜ୍ୟ ସରକାର ଷ୍ଟାର୍ଟଅପମାନଙ୍କୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି। ଏହାସହ ରାଜ୍ୟରେ ଥିବା ସରକାରୀ ଓ ବେସରକାରୀ ଇନକ୍ୟୁବେଟରଗୁଡ଼ିକ ଷ୍ଟାର୍ଟଅପମାନଙ୍କୁ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇ ସେମାନଙ୍କୁ ବଢ଼ିବାରେ ସହାୟତା କରୁଛନ୍ତି। ଏହା ରାଜ୍ୟର ବିକାଶକୁ ନୂଆ ଗତି ଦେଉଛି”, କହିଛନ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ।  

ସେ ଆହୁରି ମଧ୍ୟ କହିଛନ୍ତି, “ଏବେ ଯୁବବର୍ଗକୁ ନିଜର ପ୍ରତିଭା ଏବଂ ଜ୍ଞାନକୌଶଳ ଦ୍ଵାରା ଉଦ୍ୟୋଗୀ ହେବାପାଇଁ ଆଗେଇ ଆସିବାର ସମୟ ଆସିଛି। ୨୦୩୬ ମସିହାରେ ଯେତେବେଳେ ଓଡ଼ିଶା ନିଜର ୧୦୦ତମ ପ୍ରତିଷ୍ଠା ବର୍ଷ ପାଳନ କରୁଥିବ, ସେତେବେଳେ ରାଜ୍ୟର ଷ୍ଟାର୍ଟଅପ୍‌ ଇକୋସିଷ୍ଟମକୁ ବିଶ୍ଵରେ ଶ୍ରେଷ୍ଠ ସ୍ଥାନରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।”

ଏହି କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ଇନଷ୍ଟିଚ୍ୟୁଟ୍ ଅଫ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ (ଆଇସିଏଆଇ), ନାସନାଲ ଇନୋଭେସନ ଫାଉଣ୍ଡେସନ ଅଫ ଇଣ୍ଡିଆ (ଏନଆଇଏଫଆଇ), ଇଣ୍ଡିଆନ ଏସଟିଇପି ଆଣ୍ଡ ବିଜନେସ ଇନକ୍ୟୁବେଟର ଆସୋସିଏସନ (ଆଇଏସବିଏ) ଓ ନାସନାଲ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ କର୍ପୋରେସନ(ଏନଆରଡିସି) ଭଳି ଜାତୀୟ ଅନୁଷ୍ଠାନଗୁଡ଼ିକ ସହ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଥିଲା।

ଓଡ଼ିଶାରେ ଷ୍ଟାର୍ଟଅପମାନଙ୍କୁ ଆର୍ଥିକ ଓ ବୈଷୟିକ ସହାୟତା ଦେବା ପାଇଁ ଅନୁଷ୍ଠାନଗୁଡ଼ିକ ଷ୍ଟାର୍ଟଅପ୍ ଓଡ଼ିଶା ସହ କାର୍ଯ୍ୟକ୍ରମରେ ଚୁକ୍ତି କରିଥିଲେ। ଏଠାରେ ସ୍ମଲ୍ ଇଣ୍ଡଷ୍ଟ୍ରିଜ୍ ଡେଭେଲପମେଣ୍ଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସଆଇଡିବିଆଇ) ପକ୍ଷରୁ ଷ୍ଟାର୍ଟଅପ୍ ଓଡ଼ିଶା ଅଧୀନରେ ଥିବା ଷ୍ଟାର୍ଟଅପମାନଙ୍କୁ ମୋଟ ୧୦ କୋଟି ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇବାକୁ ଘୋଷଣା କରାଯାଇଛି।  

“ରାଜ୍ୟ ସରକାରଙ୍କ ନେତୃତ୍ଵରେ ଆଜି ଷ୍ଟାର୍ଟଅପ୍ ଓଡ଼ିଶା ଏକ ପ୍ରମୁଖ ଇନକ୍ୟୁବେଟର ଭାବେ ପ୍ରତିଷ୍ଠିତ ହୋଇପାରିଛି। ରାଜ୍ୟରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ ବିକାଶ କରିବା ଦିଗରେ ଏହାର ଅବଦାନ ବହୁତ ଅଧିକ ରହିଛି। ଷ୍ଟାର୍ଟଅପ ଓଡ଼ିଶାର ଆର୍ଥିକ ଓ ବୈଷୟିକ ସହାୟତା ଯୋଗୁଁ ଆଜି ଅନେକ ଷ୍ଟାର୍ଟଅପ୍ ନିଜକୁ ଗଢ଼ି ତୋଳି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଗୌରବ ଅଣୁଛନ୍ତି। ଆଗକୁ ଆମେ ୫ ହଜାର ଷ୍ଟାର୍ଟଅପଙ୍କୁ ସହାୟତା କରିବା ପାଇଁ ଲକ୍ଷ୍ୟ ରଖିଛୁ”, କହିଛନ୍ତି ଷ୍ଟାର୍ଟଅପ୍‌ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟ।   

ଅନ୍ୟପଟେ ଷ୍ଟାର୍ଟଅପ୍‌ ଉତ୍ସବ-୨୦୨୪ରେ ‘ଆସ୍କ ମି ଏନିଥିଂ’ ଶୀର୍ଷକ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ରାଜ୍ୟ ସରକାରଙ୍କ ସଂସ୍ଥାଗତ ଦକ୍ଷତା ବିକାଶ ମୁଖ୍ୟ ପରାମର୍ଶଦାତା ସୁବ୍ରତ ବାଗଚୀ ଏହି ଅଧିବେଶନରେ ଷ୍ଟାର୍ଟଅପ୍‌ ଉଦ୍ୟୋଗୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ସେହିପରି କାର୍ଯ୍ୟକ୍ରମରେ ଅନେକ ଷ୍ଟାର୍ଟଅପ୍‌ ଉଦ୍ୟୋଗୀ ନିଜର ସଫଳତାର କାହାଣୀକୁ ସମସ୍ତଙ୍କୁ ଶୁଣାଇଥିଲେ। ଏହା ଖୁବ ଆକର୍ଷଣୀୟ ଥିଲା।

ଯୁବ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ସୃଜନଶୀଳତା ବ୍ୟବହାର କରିବା, ଯୁବବର୍ଗଙ୍କୁ ସ୍ଵାବଲମ୍ବୀ କରିବା ଏବଂ ନୂତନ ଜ୍ଞାନକୌଶଳ ତଥା ନୂଆ ଉପକରଣ ପ୍ରୟୋଗ କରି ଷ୍ଟାର୍ଟଅପମାନଙ୍କୁ ବିକଶିତ କରିବା ଆଦି ଲକ୍ଷ୍ୟ ରଖି ରାଜ୍ୟ ସରକାର ୨୦୧୬ ମସିହାରେ ଷ୍ଟାର୍ଟଅପ୍ ଓଡ଼ିଶାର ଗଠନ କରିଥିଲେ। ଷ୍ଟାର୍ଟଅପମାନଙ୍କ ବିକାଶ କରିବା କ୍ଷେତ୍ରରେ କିଛି ଦିନ ପୂର୍ବେ ଏହାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ’ ଭାବେ ପୁରସ୍କୃତ କରାଯାଇଥିଲା।

୨୦୧୬ ମସିହାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଷ୍ଟାର୍ଟଅପ୍ ଓଡ଼ିଶା ଅଧୀନରେ ମୋଟ ୧,୮୧୬ଟି ଷ୍ଟାର୍ଟଅପ୍ ପଞ୍ଜିକୃତ ହୋଇଛନ୍ତି। ଏହା ମଧ୍ୟରେ ମହିଳାମାନଙ୍କ ଦ୍ଵାରା ପରିଚାଳିତ ୬୦୦ରୁ ଅଧିକ ଷ୍ଟାର୍ଟଅପ୍ ରହିଛି। 

Tags: #StartupOdisha #StartupUtsavv2024 #StartupEcosystem #O-Hub #Bhubaneswar

Comment