ଓଡ଼ିଶାଲାଇଭ୍ ବ୍ୟୁରୋ

ରିଜର୍ଭ ବ୍ୟାଙ୍କର ବରିଷ୍ଠ ପଦବୀରେ ରହିଥିବା ୪ ଓଡ଼ିଆ ବ୍ୟକ୍ତି।

ଜାତୀୟ ସ୍ତରରେ ଅନେକ ଓଡ଼ିଆ ବ୍ୟାକ୍ତି ବହୁ ଉଚ୍ଚ ପଦ ପଦବୀରେ ରହିଆସିଛନ୍ତି। ବିଶେଷ କରି ଭାରତୀୟ ରିଜର୍ଭ ବ୍ୟାଙ୍କର ବରିଷ୍ଠ ପଦବୀ ତାଲିକାରେ ଓଡ଼ିଆଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପଥମ ଓଡ଼ିଆ ଭାବେ ଶକ୍ତିକାନ୍ତ ଦାଶ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ହୋଇ ଅନେକ ପ୍ରଶଂସାର ଅଧିକାରୀ ହୋଇପାରିଛନ୍ତି। ସେହିପରି ଅନ୍ୟ ଓଡ଼ିଆ ଭାବେ ବିଭୁ ପ୍ରସାଦ କାନୁନଗୋ ଏବଂ ମାଇକେଲ ଦେବବ୍ରତ ପାତ୍ର ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ପଦବୀରେ ଅଧିଷ୍ଠିତ ଅଛନ୍ତି।ଶକ୍ତିକାନ୍ତ ଦାଶ

ଭୁବନେଶ୍ଵରରେ ଜନ୍ମିତ ଶକ୍ତିକାନ୍ତ ଦାଶ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରହିଛନ୍ତି। ପ୍ରଥମ ଓଡ଼ିଆ ଭାବେ ସେ ଏହି ପଦବୀରେ ଅଧିଷ୍ଠିତ ହୋଇପାରିଛନ୍ତି। ସେ ୧୯୮୦ ବ୍ୟାଚ୍‌ ତାମିଲନାଡୁ କ୍ୟାଡରର ଜଣେ ଆଇଏଏସ୍ ଅଫିସର। ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ତାଙ୍କୁ କେନ୍ଦ୍ର ରାଜସ୍ଵ ସଚିବ ଭାବେ ନିଯୁକ୍ତି ଦେଇଥିଲେ।

୨୦୧୮ ମସିହା ଡିସେମ୍ଵର ୧୧ ତାରିଖରେ ଶକ୍ତିକାନ୍ତଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦବୀରେ ନିଯୁକ୍ତି ଦେଇଥିଲେ। ନିଜର କୁଶଳୀ କର୍ମ ଦକ୍ଷତା ପାଇଁ ଶକ୍ତିକାନ୍ତ ଅନେକ ପ୍ରଶଂସାଧାରୀ ହୋଇପାରିଛନ୍ତି। ବିଶେଷ କରି ତାଙ୍କ ନେତୃତ୍ଵରେ କରୋନା ମହାମାରୀକୁ ରିଜର୍ଭ ବ୍ୟାଙ୍କ ଯେପରି ମୁକାବିଲା କରିଛି, ତାହା ଅନ୍ୟ ବ୍ୟଙ୍କଗୁଡ଼ିକ ପାଇଁ ଉଦାହରଣ ପାଲଟିଛି।ମାଇକେଲ ଦେବବ୍ରତ ପାତ୍ର

ମାଇକେଲ୍‌ ଦେବବ୍ରତ ପାତ୍ର ବର୍ତ୍ତମାନ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଡେପୁଟି ଗଭର୍ଣ୍ଣର ରହିଛନ୍ତି। ଏହା ପୂର୍ବରୁ ସେ ରିଜର୍ଭ ବ୍ୟାଙ୍କର ମନିଟାରୀ ପଲିସି ବିଭାଗର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ସେ ମନିଟାରୀ ପଲିସି କିମଟି (ଏମ୍‌ପିସି)ର ସଦସ୍ୟ ମଧ୍ୟ ରହିଛନ୍ତି। ୧୯୮୫ ମସିହାରେ ମାଇକେଲ ପାତ୍ର ଭାରତୀୟ ରିଜର୍ଭ ବ୍ୟାଙ୍କରେ ଯୋଗ ଦେଇଥିଲେ। ସେ ରିଜର୍ଭ ବ୍ୟାଙ୍କର ବିଭିନ୍ନ ଗରୁତ୍ୱପୂର୍ଣ୍ଣ ପଦବୀରେ ରହିସାରିଛନ୍ତି।

କଟକରେ ଜନ୍ମିତ ମାଇକେଲ ରେଭେନ୍ସା କଲେଜରୁ ବ୍ୟଚେଲର ଡିଗ୍ରୀ ହାସଲ ପରେ ଉତ୍କଳ ବିଶ୍ୱବିଦ୍ୟାଳୟର ଆନାଲିଟିକ୍ସ ଆଣ୍ଡ୍‌ ଆପ୍ଲାଏଡ୍‌ ଇକୋନୋମିକ୍ସରେ ପିଜି କରିଥିଲେ। ଏହାପରେ ସେ ଆଇଆଇଟି ମୁମ୍ବାଇରୁ ଅର୍ଥନୀତିରେ ପିଏଚ୍‌ଡି ଲାଭ କରିଛନ୍ତି। ମାଇକେଲ ହାବାର୍ଡ ୟୁନିଭରସିଟିରେ ଫାଇନାନ୍‌ସିଆଲ ଷ୍ଟାବିଲିଟିରେ ଡକ୍ଟରାଲ ରିସର୍ଚ୍ଚ ମଧ୍ୟ କରିଛନ୍ତି।

୨୦୧୯ ମସିହା ଜୁଲାଇ ମାସରେ ରିଜର୍ଭ ବ୍ୟଙ୍କର ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଜାନୁଆରି ୨୦୨୦ରେ କେନ୍ଦ୍ର ସରକାର ମାଇକେଲ ଦେବବ୍ରତ ପାତ୍ରଙ୍କୁ ରିଜର୍ଭ ବ୍ୟାଙ୍କର ଚତୁର୍ଥ ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ଦେଇଥିଲେ।ବିଭୁପ୍ରସାଦ କାନୁନଗୋ

ମାଇକେଲ୍‌ ଦେବବ୍ରତ ପାତ୍ରଙ୍କ ପରି ବିଭୁ ପ୍ରସାଦ କାନୁନଗୋ ମଧ୍ୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ରହିଛନ୍ତି। ବିଭୁପ୍ରସାଦ କାନୁନଗୋଙ୍କ ଜନ୍ମ କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିଲା। ବିଭୁଙ୍କ ପ୍ରାଥମିକ ଶିକ୍ଷା ଗାଁ ସ୍କୁଲରୁ ହୋଇଥିଲା। ଏହାପରେ ସେ ଭୁବନେଶ୍ଵରରେ ନିଜର ହାଇସ୍କୁଲ ଶିକ୍ଷା ସମାପ୍ତ କରି ଯୁକ୍ତ ଦୁଇ ପାଇଁ ପୁଣି କେନ୍ଦ୍ରାପଡ଼ା ଫେରିଆସିଥିଲେ।

ବିଭୁ ପ୍ରସାଦ ଭୁବନେଶ୍ଵର ବିଜେବି ମହାବିଦ୍ୟାଳୟରୁ ଇତିହାସ ସମ୍ମାନରେ ବ୍ୟାଚେଲର କରି, ପରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସ୍ନାତକତ୍ତୋର ହାସଲ କରିଥିଲେ। ୧୯୭୯ ମସିହାରେ ସେ ଓରିଏଣ୍ଟାଲ ବ୍ୟାଙ୍କ ଅପ୍ କମର୍ସର ଯୋଗଦେଇଥିଲେ। ଏହାପରେ ୧୯୮୦ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଯୋଗ ଦେଇଥିଲେ। ଦ୍ଵିତୀୟ ଓଡ଼ିଆ ଭାବେ ୨୦୧୭ ମସିହା ଏପ୍ରିଲ ୩ ତାରିଖରେ ତାଙ୍କୁ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ପୂର୍ବରୁ ହାରୁନ ରସିଦ ଖାନ୍ ପ୍ରଥମ ଓଡ଼ିଆ ଭାବେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ହୋଇଥିଲେ।ରାଧାଶ୍ୟାମ ରଥ

ଓଡ଼ିଆ ପୁଅ ରାଧାଶ୍ୟାମ ରଥ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶକ ରହିଛନ୍ତି। ଡିସେମ୍ବର ୧୧ତାରିଖରେ ସେ ଏହି ପଦବୀରେ ନିଯୁକ୍ତି ପାଇଛନ୍ତି। ରାଧାଶ୍ୟାମ ରଥଙ୍କୁ ଅର୍ଥ, ବଜାର ପରିଚାଳନା ବିଭାଗ, ବିଦେଶୀ ପୁଞ୍ଜି ଓ ପରିଚାଳନା ବିଭାଗ, ଆଇନ ବିଭାଗ ତଥା ସଚିବାଳୟ ବିଭାଗ ଦାୟିତ୍ୱ ଦିଆଯାଇଛି। ଇଡିକୁ ପଦୋନ୍ନତି ହେବା ପୂର୍ବରୁ ସେ ରିଜର୍ଭ ବ୍ୟାଙ୍କର ଅର୍ଥ ବଜାର ପରିଚାଳନା ବିଭାଗର ସିଜିଏମ ଥିଲେ। ଦୀର୍ଘ ୩୦ ବର୍ଷ ଧରି ସେ ଆରବିଆଇରେ କାମ କରିବା ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରି ଆସିଛନ୍ତି। ସେ ଚେନ୍ନାଇରେ ଥିବା ରିଜର୍ଭ ବ୍ୟାଙ୍କ ଷ୍ଟାଫ କଲେଜରେ ଫାକଲ୍ଟି ବି ଥିଲେ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ତ୍ରିନାଥ ରଥ ଓ ଶାରଳା ରଥଙ୍କ ପୁଅ ରାଧାଶ୍ୟାମ ରାଉରକେଲା ଓ ବ୍ରହ୍ମପପୁରରେ କନଭେଣ୍ଟ ଶିକ୍ଷା ଲାଭ କରିଥିଲେ। ଇସ୍ପାତ କଲେଜରୁ ଡିଗ୍ରୀ ଓ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକତ୍ତୋର ଡ଼ିଗ୍ରୀ ହାସଲ କରିଥିଲେ। ୧୯୯୧ରେ ସେ ମ୍ୟାନେଜର ଭାବରେ ଆରବିଆଇରେ କାର୍ଯ୍ୟ ଆରମ୍ଭ କରିଥିଲେ।

Comment