ଓଡ଼ିଶାଲାଇଭ୍‌ ବ୍ୟୁରୋ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା ଇସ୍ତଫାପତ୍ରରେ ଦର୍ଶାଇଛନ୍ତି। ଇସ୍ତଫାପତ୍ରରେ ଆରବିଆଇ ଷ୍ଟାଫ୍, ଅଫିସର୍ସ, ମ୍ୟାନେଜମେଣ୍ଟର ସମର୍ଥନ ମିଳିଥିଲା।

ଏହାସହ ଉର୍ଜିତ ଆରବିଆଇ ନିର୍ଦ୍ଦେଶକଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।

ଆସନ୍ତା ୨୦୧୯ ସେପ୍ଟେମ୍ବରରେ ଉର୍ଜିତଙ୍କ କାର୍ଯ୍ୟକାଳ ଶେଷ ହୋଇଥାନ୍ତା। ୨୦୧୬ ଅଗଷ୍ଟରେ ଭାରତ ସରକାର ଉର୍ଜିତ ପଟେଲଙ୍କୁ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତ ଦେଇଥିଲେ। ତାଙ୍କର ମୋଟ କାର୍ଯ୍ୟକାଳ ୩ ବର୍ଷ ଥିଲା ଏବଂ ରଘୁରାମ ରାଜନଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଥିଲା।

ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଗତ କିଛିଦିନ ହେଲା ବିଭିନ୍ନ ବିଷୟକୁ ନେଇ ମତଭେଦ ରହିଆସିଥିଲା। ତେବେ ଗତ ମାସରେ ସେ ଇସ୍ତଫା ଖବରକୁ ଅସ୍ୱୀକାର କରିଥିଲେ। କିନ୍ତୁ ସୋମବାର ସେ ହଠାତ ନିଜ ପଦରୁ ଇସ୍ତଫା ଘୋଷଣା କରିବା ପରେ ଏହି ବିବାଦର ଯେ ସମାଧାନ ହୋଇନାହିଁ ତାହା ସ୍ପଷ୍ଟ ହୋଇଯାଇଛି। ରିଜର୍ଭ ବ୍ୟାଙ୍କ ସମ୍ପୂର୍ଣ୍ଣ ସ୍ୱାଧୀନତା ଚାହୁଁଥିବା ବେଳେ ଏହାକୁ ନେଇ ସରକାରଙ୍କ ସହ ମତଭେଦ ବଢ଼ିବାରେ ଲାଗିଥିଲା। ବ୍ୟାଙ୍କଗୁଡିକର ଏନପିଏ ସମସ୍ୟା ପାଇଁ ରିଜର୍ଭ ବ୍ୟାଙ୍କ ଉପରେ ଦୋଷ ଲଦିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି।

“ବ୍ୟାଙ୍କଗୁଡିକ ମନଇଚ୍ଛା ଋଣ ଦେଇଥିବାରୁ ଏପରି ପରିସ୍ଥିତି ଉପୁଜିଥିଲା। ରିଜର୍ଭ ବ୍ୟାଙ୍କ ମଧ୍ୟ ଏସବୁକୁ ଅଣଦେଖା କରିଛି”, ଜେଟଲି। ଯାହାକୁ ନେଇ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟ କ୍ରମଶଃ ବଢିବାରେ ଲାଗିଥିଲା। ଯେଉଁଥିପାଇଁ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ ଇସ୍ତଫା ଦେବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଥିଲା।

କ’ଣ ପାଇଁ ଦେଲେ ଇସ୍ତଫା?

ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ ଇସ୍ତଫା ଦେବା ପଛରେ ବ୍ୟକ୍ତିଗତ କାରଣକୁ ଦର୍ଶାଇଛନ୍ତି।  ଯଦିଓ ଏହି ଇସ୍ତଫା ପଛରେ ବ୍ୟକ୍ତିଗତ କାରଣ ରହିଛି  ବୋଲି ଦର୍ଶାଯାଇଛି ତେବେ କେନ୍ଦ୍ର ସରକାର ଓ ତାଙ୍କ ଭିତରେ ସୃଷ୍ଟି ହୋଇଥିବା ମତଭେଦ ହିଁ ଏହି ଘଟଣାର ମୁଖ୍ୟ କାରଣ ବୋଲି କୁହାଯାଉଛି।

ବିଗତ କିଛି ଦିନ ଧରି ମୋଦି ସରକାର ଓ ପଟେଲଙ୍କ ଭିତରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଟଣାଓଟରା ଚାଲିଥିଲା। ନିକଟରେ ଆରବିଆଇର ଗଭର୍ଣ୍ଣରଙ୍କ ବଡ ବୈଠକ ଅନୁଷ୍ଠିତ ହୋଇଥିଲା।  ଏଥିରେ ସରକାର ଓ ପଟେଲଙ୍କ ମଧ୍ୟରେ ବୁଝାମଣା ହୋଇଛି ବୋଲି କୁହାଯାଇଥିଲା।

କିନ୍ତୁ ଆଜି ଅଚାନକ ପଟେଲ ତାଙ୍କ ଦାୟିତ୍ଵରୁ ଅବ୍ୟାହତି ନେବା କଥା ଘୋଷଣା କରିଛନ୍ତି। ଖାଲି ପଟେଲ ନୁହେଁ ଆରବିଆଇର ଡେ଼ପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏକା ସାଙ୍ଗରେ ରିଜର୍ଭ ବ୍ୟାଙ୍କର ମୁଖ୍ୟ ଓ ଉପମୁଖ୍ୟ ଇସ୍ତଫା ଦେବା ଅସାଧାରଣ ଘଟଣା ବୋଲି କୁହାଯାଉଛି।

ଏବେ ଆଗକୁ କ’ଣ ହେବ?

ମିଳିଥିବା ସୂତ୍ର ଅନୁସାରେ, ନୀତି ଆୟୋଗ ସିଇଓ ରାଜୀବ କୁମାରଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇପାରେ। କିଛି ଦିନ ପୂର୍ବରୁ ରାଜୀବ କୁମାର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏହି ବିଷୟରେ ଆଲୋଚନା କରିଥିଲେ।

Comment