ଓଡ଼ିଶାଲାଇଭ ବ୍ୟୁରୋ

  • ଦ୍ୱିତୀୟ ଥର ପାଇଁ ବିଶ୍ୱ ବ୍ୟାଙ୍କ ଦ୍ୱାରା ଭାରତର ଅଭିବୃଦ୍ଧି ହାରରେ ହ୍ରାସ
  • ମୁଡ଼ିଜ୍ କମାଇଲା ଭାରତର ଆନୁମାନିକ ଜି.ଡ଼ି.ପି
  • ବିଶ୍ୱ ମାନ୍ଦାବସ୍ଥାର ସବୁଠାରୁ ଅଧିକ ପ୍ରଭାବ ଭାରତ ଉପରେ ପଡ଼ିବ

ଭାରତକୁ ପୁଣି ଲାଗିଲା ବଡ଼ ଝଟକା। ଆଜି ବିଶ୍ୱବ୍ୟାଙ୍କ୍ ଭାରତର ଆନୁମାନିକ ଅଭିବୃଦ୍ଧି ହାରକୁ ପୁନର୍ବାର ହ୍ରାସ କରି ଭାରତକୁ ଏକ ଶକ୍ତ ଧକ୍କା ଦେଇଛି। ବିଶ୍ୱବ୍ୟାଙ୍କ ଭାରତର ଆନୁମାନିକ ଅଭିବୃଦ୍ଧି ହାର ବା ଗ୍ରୋଥ୍ ରେଟକୁ ହ୍ରାସ କରି ୬ ପ୍ରତିଶତ କରିଦେଇଛି।

୨୦୧୮-୧୯ ଆର୍ଥିକ ବର୍ଷର ରିପୋର୍ଟ ଅନୁସାରେ ଭାରତର ଅଭିବୃଦ୍ଧି ହାର ୬.୯ ପ୍ରତିଶତ ଥିଲା। ବିଶ୍ୱବ୍ୟାଙ୍କ ଦ୍ୱାରା ସାଉଥ୍ ଏସିଆ ଇକୋନୋମିକ ଫୋକସର ଚଳିତ ସଂସ୍କରଣରେ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୧ ମସିହା ବେଳକୁ ଭାରତର ଅଭିବୃଦ୍ଧି ହାର ୬.୯ ପ୍ରତିଶତ ଓ ୨୦୨୨ ବେଳକୁ ଏହା ବୃଦ୍ଧି ପାଇ ୭.୨ ପ୍ରତିଶତ ରେ ପହଞ୍ଚିବ।

ଆକଳନ ଅନୁଯାୟୀ, ଲଗାତର ଭାବେ ଦ୍ୱିତୀୟ ଥର ଭାରତର ଆର୍ଥିକ ଅଭିବୃଦ୍ଧି ହାର ହ୍ରାସ ପାଇଛି। ଗତ ଦୁଇ ବର୍ଷର ଅଭିବୃଦ୍ଧି ହାର ଉପରେ ନଜର ପକାଇଲେ ଜଣାଯାଏ ଯେ, ୨୦୧୭-୧୮ ମସିହାରେ ଏହି ହାର ୭.୨ ପ୍ରତିଶତ ରହିଥିଲା ବେଳେ ୨୦୧୮-୧୯ ମସିହାରେ ଏହା କମି ୬.୮ ପ୍ରତିଶତ ହୋଇଛି। ହେଲେ ନିର୍ମାଣ କାର୍ଯ୍ୟରେ ବୃଦ୍ଧି ହୋଇଥିବା ଯୋଗୁଁ ଶିଳ୍ପ ଉତ୍ପାଦର ଅଭିବୃଦ୍ଧି ହାର ବୃଦ୍ଧି ପାଇ ୬.୯ ପ୍ରତିଶତ ରେ ପହଞ୍ଚିଛି। ଏହା ଛଡ଼ା କୃଷି କ୍ଷେତ୍ରର ଅଭିବୃଦ୍ଧି ହାର ୨.୯ ପ୍ରତିଶତ ରହିଥିବା ବେଳେ ସେବା କ୍ଷେତ୍ରରେ ଏହି ହାର ୭.୫ ପ୍ରତିଶତ ରହିଛି।

ଭାରତର ଅଭିବୃଦ୍ଧି ହାର କମିବାର କାରଣ ?

ଦ୍ୱିତୀୟ ପାଳିରେ ଭାରତର ଆନୁମାନିକ ଅଭିବୃଦ୍ଧି ହାରରେ ପତନର ପ୍ରମୁଖ କାରଣ ହେଉଛି କ୍ରେଡ଼ିଟ ରେଟିଙ୍ଗ ଏଜେନ୍ସି, ମୁଡିଜ୍‌ର ଆକଳନ। ମୁଡିଜ୍ର ଅନୁମାନ ଅନୁସାରେ, ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତର ଜିଡିପି ଗ୍ରୋଥ୍ ୫.୮ ପ୍ରତିଶତ ରହିବ। ପୂର୍ବରୁ ମୁଡିଜ୍ ଦ୍ୱାରା ଜିଡିପି ଗ୍ରୋଥ୍ ଲାଗି କରାଯାଇଥିବା ଅନୁମାନ ୬.୨ ପ୍ରତିଶତ ରହିଥିଲା। ଏହିଭଳି ଭାବେ ମୁଡିଜ୍‌ର ଅନୁମାନରେ ୦.୪ ପ୍ରତିଶତର ହ୍ରାସ ଦେଖାଦେଇଛି। ଭାରତର ଅଭିବୃଦ୍ଧି ହାରରେ ଦେଖାଦେଉଥିବା ଏହି ମନ୍ଥରତାର ପ୍ରମୁଖ କାରଣ ହେଉଛି କର୍ମନିଯୁକ୍ତି କ୍ଷେତ୍ରରେ ଦୁର୍ବଳତା, ଗ୍ରାମାଞ୍ଚଳରେ ଦେଖା ଦେଉଥିବା ଆର୍ଥିକ ସଙ୍କଟ ଏବଂ ବିଭିନ୍ନ ବିତ୍ତୀୟ ସଂସ୍ଥାମାନଙ୍କ ମଧ୍ୟରେ ମନ ମାଳିନ୍ୟ ପ୍ରଭୃତି।

ଭାରତର ଅର୍ଥବ୍ୟବସ୍ଥାକୁ ନେଇ ମଧ୍ୟ ଏହି ଏଜେନ୍ସି ଏକ ଗମ୍ଭୀର ଚେତାବନୀ ଦେଇଛି। ମୁଡିଜ୍ କହିଛି, “ ଯଦି ଅର୍ଥବ୍ୟବସ୍ଥାରେ ଏହି ମନ୍ଥରତା ଜାରି ରହେ ତେବେ ରାଜକୋଷୀୟ କ୍ଷତିକୁ କମ୍ କରିବା କ୍ଷେତ୍ରରେ ସରକାରଙ୍କୁ ଏକ ଶକ୍ତ ଝଟକା ଲାଗିବ ଓ ତା’ ସହିତ ଋଣର ବୋଝ ମଧ୍ୟ ବଢ଼ିବାରେ ଲାଗିବ।

କେବଳ ସେତିକି  ନୁହେଁ ଚଳିତ ବର୍ଷ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଆରବିଆଇ ମଧ୍ୟ ଭାରତର ଅଭିବୃଦ୍ଧି ହାରର ଅନୁମାନରେ ହ୍ରାସ ଘଟାଇଛି। ଆରବିଆଇର ଅନୁମାନ ଅନୁସାରେ ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୬.୧ ପ୍ରତିଶତ ରହିବ। ପୂର୍ବରୁ ଆରବିଆଇ ଦେଶର ଆନୁମାନିକ ଅଭିବୃଦ୍ଧି ହାର ୬.୯ ପ୍ରତିଶତ ରହିବ ବୋଲି କହିଥିଲା। ମାତ୍ର କିଛି ମାସ ମଧ୍ୟରେ ପାରିପାର୍ଶ୍ୱିକ ସ୍ଥିତିର ସମୀକ୍ଷା କରି ଏଭଳି ନିର୍ଣ୍ଣୟ କରିଥିବାର ଅନୁମାନ କରାଯାଉଛି।

ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷର(ଆଇଏମଏଫ) ମୁଖ୍ୟ କ୍ରିଷ୍ଟାଲିନା ଜାର୍ଜିଏବା ମଧ୍ୟ ଆର୍ଥିକ ମନ୍ଥରତାକୁ ନେଇ ଚେତାବନୀ ଦେଇଛନ୍ତି। ବିଶ୍ୱର ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଯାଉଛି, ଯାହା ଫଳରେ ବିଶ୍ୱର ପ୍ରାୟ ୯୦ ପ୍ରତିଶତ ଦେଶମାନଙ୍କର ବିକାଶ କ୍ଷେତ୍ରରେ ମନ୍ଥରତା ଦେଖାଦେବ। ଭାରତୀୟ ଅର୍ଥନୀତି ସବୁଠାରୁ ତୀବ୍ର ବେଗରେ ବୃଦ୍ଧି ପାଉଥିବା ହେତୁ ଦେଶ ଉପରେ ଏହାର ପ୍ରଭାବ ବହୁମାତ୍ରାରେ ପଡ଼ିବ ବୋଲି କହିଛନ୍ତି ଆଇଏମଏଫର ମୁଖ୍ୟ ଜାର୍ଜିଏବା।

 

Comment