ଓଡ଼ିଶାଲାଇଭ୍ ବ୍ୟୁରୋ

ଆର୍ଥିକ ସଙ୍କଟରେ ଶ୍ରୀଲଙ୍କା। ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପାନୀୟ ଜଳ, ବିଜୁଳି, ମେଡିସିନ ଏବଂ ପେଟ୍ରୋଲ ଆଦିର ଘୋର ଅଭାବ ଦେଖାଦେଇଛି। ଖାଦ୍ୟ ପାଇଁ ହାଇଁ ହାଇଁ ହେଉଛନ୍ତି ଦେଶବାସୀ। ଏଣେ ରାଜପକ୍ଷେ ପରିବାର ପାଇଁ ଦେଶ କାଙ୍ଗାଳ ହୋଇଥିବା ଅଭିଯୋଗ କରିଛନ୍ତି ବିରୋଧୀ।

ସୁନାର ଲଙ୍କା କୁହାଯାଉଥିବା ଶ୍ରୀଲଙ୍କା ଏବେ ଶ୍ରୀହୀନ ହୋଇପଡ଼ିଛି। ଦେଶର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ଦେଶର ଏହିପରି ଅବସ୍ଥା ପାଇଁ ଦେଶବାସୀ ଦାୟୀ କରିଛନ୍ତି ସରକାରଙ୍କୁ। ଲୋକଙ୍କ ବିରୋଧ ଏବଂ ବିଦ୍ରୋହ ଯୋଗୁଁ ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଛନ୍ତି ମହିନ୍ଦା ରାଜପକ୍ଷେ। ମହିନ୍ଦା ରାଜପକ୍ଷେଙ୍କ ଇସ୍ତଫା ପରେ ମଧ୍ୟ ଲୋକଙ୍କ ରାଗ ଶାନ୍ତ ହୋଇନାହିଁ। ଲୋକଙ୍କ ମଧ୍ୟରେ କୁହୁଳି ଥିବା ରାଗ ଏବେ ବିଦ୍ରୋହର ରୂପ ଧାରଣ କରିଛି।

ହଂବନଟୋଟାରେ ଥିବା ମହିନ୍ଦା ରାଜପକ୍ଷେଙ୍କ ପୈତୃକ ଘରକୁ ଜାଳି ଦେଇଛନ୍ତି ଆନ୍ଦୋଳନକାରୀ। କେବଳ ରାଜପକ୍ଷେଙ୍କ ଘର ନୁହେଁ, କିଛି ମନ୍ତ୍ରୀ ଏବଂ ପୂର୍ବତନ ମନ୍ତ୍ରୀମାନଙ୍କ ଘର ମଧ୍ୟ ପୋଡ଼ି ପାଉଁଶ କରିଛନ୍ତି ଆନ୍ଦୋଳନକାରୀ। ଶ୍ରୀଲଙ୍କାରେ ଲାଗି ରହିଥିବା ହିଂସା ଯୋଗୁଁ ବର୍ତ୍ତମାନ ସୁଦ୍ଧା ଜଣେ ସାଂସଦଙ୍କର ମୃତ୍ୟୁ ହେବା ସହ ୭ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଏହି ହିଂସାରେ ୨୫୦ରୁ ଅଧିକ ଜନତା ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଶ୍ରୀଲଙ୍କାରେ ମୁଣ୍ଡ ଟେକିଥିବା ହିଂସାକୁ ନେଇ ମହିନ୍ଦା ରାଜପକ୍ଷେଙ୍କ ଗିରଫ ଦାବି କରିଛନ୍ତି ଆନ୍ଦୋଳନକାରୀ।

କେବଳ ମହିନ୍ଦା ରାଜପକ୍ଷେ ନୁହଁନ୍ତି ତାଙ୍କ ପୁରା ପରିବାର ଉପରେ କ୍ଷୁବ୍ଧ ହୋଇଛନ୍ତି ଦେଶବାସୀ। ଦୀର୍ଘ ଦଶନ୍ଧି ଧରି ଶ୍ରୀଲଙ୍କାର ଗାଦି ସମ୍ଭାଳି ଆସୁଥିବା ରାଜପକ୍ଷେଙ୍କ ପରିବାରର ଦେଶରେ ଦବଦବା ଜାରି ରହିଥିଲା। ରାଜପକ୍ଷେ ପରିବାରର ୪ ଭାଇ ଦେଶ ରାଜନୀତିର ଟାଣୁଆ ଗାଦିରେ ରହି ରାଜ କରିଛନ୍ତି। କିନ୍ତୁ ବର୍ତ୍ତମାନ ଦେଶର ପରିସ୍ଥିତି ଏପରି ହୋଇଯାଇଛି ଯେ, ମହିନ୍ଦା ରାଜପକ୍ଷେ ଏବଂ ତାଙ୍କ ପରିବାର ଏବେ ସେନାର ଶରଣ ନେଇଛନ୍ତି। ଶ୍ରୀଲଙ୍କାରେ ବିରୋଧ ଏତେ ମାତ୍ରାରେ ବଢ଼ିଯାଇଛି ଯେ, ମହିନ୍ଦା ରାଜପକ୍ଷେ ଭାରତରେ ଶରଣ ନେବା କଥାଉଠିଥିଲା। କିନ୍ତୁ ଏହି ଖବରକୁ ରାଜପକ୍ଷେ ଖଣ୍ଡନ କରିଛନ୍ତି।

ରାଜପକ୍ଷେ ପରିବାରର ନୀତି ଶ୍ରୀଲଙ୍କା ପରିସ୍ଥିତି ପାଇଁ ଦାୟୀ

ରାଜପକ୍ଷେ ପରିବାର ଶ୍ରୀଲଙ୍କାର ଆଞ୍ଚଳିକ ରାଜନୀତିରୁ ଯାତ୍ରା ଆରମ୍ଭ କରିଥିଲା। ୨୦୦୫ ମସିହାରେ ମହିନ୍ଦା ରାଜପକ୍ଷେ ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ରାଜପକ୍ଷେ ପରିବାରର ସଦସ୍ୟମାନେ ରାଜନୈତିକ କ୍ଷେତ୍ରର ଗୁରୁତ୍ଵପୂର୍ଣ୍ଣ ପଦବୀ ଅକ୍ତିଆର କରିବାକୁ ସମର୍ଥ ହେଲେ। ମହିନ୍ଦା ରାଜପକ୍ଷେ ନିଜ ସାନ ଭାଇ ଏବଂ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କୁ ଡିଫେନ୍ସ ସେକ୍ରେଟାରୀ ଭାବେ ନିଯୁକ୍ତ କରିଦେଲେ। ସେ ନିଜର ଆଉ ଜଣେ ସାନ ଭାଇ ବାସିଲ ରାଜପକ୍ଷେଙ୍କୁ ରାଷ୍ଟ୍ରପତିଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରିଥିଲେ।

୨୦୧୦ ମସିହାରେ ମହିନ୍ଦା ରାଜପକ୍ଷେ ପୁନର୍ବାର ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କର ସବୁଠାରୁ ବଡ଼ ଭାଇ ଚମଲ ରାଜପକ୍ଷେଙ୍କୁ ମଧ୍ୟ ସତ୍ତାର ଏକ ଗୁରୁତ୍ଵପୂର୍ଣ୍ଣ ପଦବୀ ପ୍ରଦାନ କରାଗଲା ଏବଂ ସେ ଅନେକ ଥର ମନ୍ତ୍ରୀ ମଧ୍ୟ ହେଲେ। ଏହାକୁ ନେଇ ରାଜପକ୍ଷେ ପରିବାର ଉପରେ ପରିବାରବାଦ, ନିରଙ୍କୁଶ ଏବଂ ସରକାରୀ ସଂସାଧନର ଅପବ୍ୟବହାର ଅଭିଯୋଗ ଆସିଲା। କୁହାଗଲା ଯେ, ରାଜପକ୍ଷେ ପରିବାର ଦେଶର ପ୍ରାୟ ୭୦ ପ୍ରତିଶତ ବଜେଟ ନିଜ ନିୟନ୍ତ୍ରଣରେ ରଖୁଥିଲା।

ଏହି ଆରୋପ ପ୍ରତ୍ୟାରୋପ ମଧ୍ୟରେ ୨୦୧୫ ମସିହାରେ ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହୋଇଥିଲେ ମହିନ୍ଦା ରାଜପକ୍ଷେ। କିନ୍ତୁ ୨୦୧୯ ମସିହାରେ ପୁନର୍ବାର ରାଜପକ୍ଷେ ପରବାର ଶ୍ରୀଲଙ୍କାର ସବୁଠାରୁ ବଡ଼ ପଦବୀ ଅକ୍ତିଆର କଲା। ଏହିଥର ମହିନ୍ଦା ରାଜପକ୍ଷେଙ୍କ ଭାଇ ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ। ଗୋଟାବାୟା ରାଷ୍ଟ୍ରପତି ହେବା ପରେ ମହିନ୍ଦା ରାଜପକ୍ଷେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ।

ଗୋଟାବାୟା ରାଜପକ୍ଷେଙ୍କ ଭାଇ ବାସିଲ ରାଜପକ୍ଷେ ବର୍ତ୍ତମାନ ଶ୍ରୀଲଙ୍କାର ଅର୍ଥ ମନ୍ତ୍ରୀ ଏବଂ ଚମଲ ରାଜପକ୍ଷେ କୃଷି ମନ୍ତ୍ରୀ ଦାୟିତ୍ଵରେ ରହିଛନ୍ତି। ଚମଲ ରାଜପକ୍ଷେ ୧୯୮୯ ମସିହାରେ ଶ୍ରୀଲଙ୍କାର ସାଂସଦ ମଧ୍ୟ ଥିଲେ। ମହିନ୍ଦା ରାଜପକ୍ଷେଙ୍କ ପୁଅ ନମଲ ରାଜପକ୍ଷେ ଶ୍ରୀଲଙ୍କାର ଯୁବ ଏବଂ କ୍ରୀଡା ବ୍ୟାପାର ମନ୍ତ୍ରୀ ଅଛନ୍ତି। ରାଜପକ୍ଷେ ପରିବାରର ପ୍ରାୟ ୭ ଜଣ ଶ୍ରୀଲଙ୍କା ରାଜନୈତିକ ଗାଦିର ଶୀର୍ଷରେ ରହିଛନ୍ତି। ଯାହାକୁ ନେଇ ବିରୋଧୀ ଦଳ ଏବଂ ସାଧାରଣ ଜନତାଙ୍କ ରାଗ ଆକାଶ ଛୁଇଁଛି।

ଶ୍ରୀଲଙ୍କାର ସାଂସଦ ବିଜେଦାସ ରାଜପକ୍ଷେଙ୍କୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା। ସେ ରାଜପକ୍ଷେ ସରକାରରେ ଆଇନ ଏବଂ ଶିକ୍ଷାମନ୍ତ୍ରୀ ଥିଲେ। ଦେଶର ଆର୍ଥିକ ସ୍ଥିତି ବିଗିଡ଼ିବାରୁ ସେ ନିଜ ପଦବୀରୁ ଇସ୍ତଫା ଦେଇଥିବା କୁହାଯାଉଛି।

ପୋଟ୍ରୋଲ, ଗ୍ୟାସ ଏବଂ ବିଜୁଳି ସଙ୍କଟ

ଶ୍ରୀଲଙ୍କାରେ ରନ୍ଧନ ଗ୍ୟାସର ଘୋର ଅଭାବ ଦେଖାଦେଇଛି। ଖାଲି ଗ୍ୟାସ ନୁହେଁ ପେଟ୍ରୋଲ ଏବଂ ଡିଜେଲ ମଧ୍ୟ ମିଳୁନାହିଁ। ଦେଶରେ ଦେଖା ଦେଇଥିବା ଆର୍ଥକ ସଙ୍କଟ କାରଣରୁ ପେଟ୍ରୋଲ–ଡିଜେଲ ଆମଦାନୀ ହୋଇପାରୁ ନାହିଁ। ଦେଶବାସୀ ନିଜର ଗାଡ଼ିଗୁଡ଼ିକୁ ପେଟ୍ରୋଲ ଏବଂ ଡିଜେଲ ବିନା ବ୍ୟବହାର କରିପାରୁ ନାହାନ୍ତି। ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପ ବନ୍ଦ ପଡ଼ିଛି। ଯେଉଁ କିଛି ସ୍ଥାନରେ ଟାଙ୍କି ଖୋଲା ରହୁଛି ସେଠାରେ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ଲାଗି ସେନା ମୁତୟନ ହେଉଛନ୍ତି। ଡିଜେଲ-ପେଟ୍ରୋଲ ନେବାକୁ ହେଲେ ଲୋକଙ୍କୁ ବ୍ୟାରେଲ ଧରି ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ୁଛି। କିଛି ଦିନ ତଳେ ତେଲ ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି।

ବିଜୁଳି ସଙ୍କଟ ଯୋଗୁଁ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିବାକୁ ପଡ଼ୁଛି। ଦିନକୁ ପ୍ରାୟ ୧୨ରୁ ୧୩ ଘଣ୍ଟା ବିନା ବିଜୁଳିରେ ଲୋକଙ୍କୁ ଚଳିବାକୁ ପଡ଼ୁଛି। ଅନେକ ବିଦ୍ୟୁତ୍ ସବଷ୍ଟେସନ ଅଚଳ ହୋଇପଡ଼ିଛି। ଆବଶ୍ୟକ ଔଷଧ ମଧ୍ୟ ଦେଶରେ ମହଜୁଦ ନାହିଁ। ଆବଶ୍ୟକ ଔଷଧ ଏବଂ ଇଂଜେକ୍ସନ ମିଳୁନଥିବାରୁ ଅନେକ ଡାକ୍ତରଖାନାରେ ଅପରେସନ କରାଯାଉ ନାହିଁ। ଏହି କାରଣରୁ ଅନେକ ଗୁରୁତର ରୋଗୀ ପ୍ରାଣ ହରାଉଥିବାର ମଧ୍ୟ ଖବର ଆସୁଛି।

ମୋଟା ମୋଟି ଭାବେ ଶ୍ରୀଲଙ୍କାରେ ଉପୁଜିଥିବା ଏହି ଭୟଙ୍କର ପରିସ୍ଥିତି ପାଇଁ ରାଜପକ୍ଷେ ପରିବାରକୁ ଦାୟୀ କରାଯାଉଛି। ଦଶନ୍ଧି ଦଶନ୍ଧି ଧରି ଶ୍ରୀଲଙ୍କାର ଶାସନ ଦାୟିତ୍ଵ ନେଇଥିବା ରାଜପକ୍ଷେ ପରିବାର ଦେଶର ଅର୍ଥ ଆତ୍ମସାତ କରି ଦେଶକୁ କାଙ୍ଗାଳ କରିଥିବା ଅଭିଯୋଗ ଆଣିଛନ୍ତି ବିରୋଧୀଏବଂ ସାଧାରଣ ଜନତା।

Tags: #RajapaksaFamily #SriLankaCrisis #EconomicCrisis

Comment