ଓଡ଼ିଶାଲାଇଭ୍ ବ୍ୟୁରୋ

ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା। ସରକାରଙ୍କ ପାଖରେ ନିଜ କର୍ମଚାରୀଙ୍କୁ ଦରମା ଦେବାକୁ ସାମର୍ଥ୍ୟ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଏବେ ଶ୍ରୀଲଙ୍କା ସରକାର ନୋଟ ଛାପିବାକୁ ନିଷ୍ପତ୍ତି ନେଇଛନ୍ତି।

ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଲୋକଙ୍କୁ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ମେଡିସିନ, ପେଟ୍ରୋଲ ଏବଂ ଗ୍ୟାସ ଆଦି ମିଳୁନାହିଁ। ସରକାରୀ କର୍ମଚାରୀମାନଙ୍କୁ ଦରମା ଦେବା ପାଇଁ ସରକାରଙ୍କ ପାଖରେ ଅର୍ଥ ମଧ୍ୟ ନାହିଁ। ଆର୍ଥିକ ସଙ୍କଟରୁ ମୁକୁଳିବାକୁ ଶ୍ରୀଲଙ୍କା ସରକାର ଏବେ ନୋଟ ଛାପିବା ସହ ଏୟାରଲାଇନ୍ସ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି।

କର୍ମଚାରୀଙ୍କୁ ଦରମା ଦେବାକୁ ଟଙ୍କା ନାହିଁ

ଶ୍ରୀଲଙ୍କାରେ ସରକାରଙ୍କ ପାଖରେ ଏତେବି ସାମର୍ଥ୍ୟ ନାହିଁ ଯେ ନିଜ କର୍ମଚାରୀମାନଙ୍କୁ ଦରମା ଦେଇପାରିବେ। ଆର୍ଥିକ ସମସ୍ୟା ଦୂର କରିବା ପାଇଁ ସରକାର ଏବେ ନୋଟ ଛାପିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ଶ୍ରୀଲଙ୍କା ସରକାର କହିଛନ୍ତି ସରକାର ରାଷ୍ଟ୍ରୀୟ ଏୟାରଲାଇନ୍ସ ବିକ୍ରି କରିବା ପାଇଁ ମନସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ଏହା ପୂର୍ବରୁ କହିଥିଲେ ଶ୍ରୀଲଙ୍କାର ନୂଆ ସରକାର ଶ୍ରୀଲଙ୍କାନ ଏୟାରଲାଇନ୍ସର ଘରୋଇକରଣ କରିବାକୁ ଯୋଜନା କରୁଛନ୍ତି।

କ୍ଷତିରେ ଏୟାରଲାଇନ୍ସ

ଆର୍ଥିକ ଏବଂ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ କହିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଏମିରାଟକୁ ଏୟାରଲାଇନ୍ସ ସେୟାରରୁ ହଟାଇବା ପରେ ଶ୍ରୀଲଙ୍କା ଏୟାରଲାଇନ୍ସକୁ ବଡ଼ ଘାଟା ହୋଇଛି। ଶ୍ରୀଲଙ୍କାର ଅର୍ଥ ବ୍ୟବସ୍ଥା ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଏବେ ଅନେକ ଚ୍ୟାଲେଞ୍ଜେସ ରହିଛି। ଏହି ସଙ୍କଟରୁ ମୁକୁଳିବା ପାଇଁ ସରକାର କିଛି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ସେ କହିଛନ୍ତି “କେବଳ ୨୦୨୦-୨୧ ବର୍ଷରେ ହିଁ ଏୟାରଲାଇନ୍ସକୁ ୪୫ ବିଲିୟନର ଘାଟା ହୋଇଛି। ମାର୍ଚ୍ଚ ୨୦୨୧ ମସିହା ସୁଦ୍ଧା ମୋଟ ଘାଟା ୩୭୨ ବିଲିୟନ ହୋଇସାରିଥିଲା।

ଫଣ୍ଡ ଯୋଗାଡ଼ କରିବେ ପ୍ରଧାନମନ୍ତ୍ରୀ

ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ କହିଛନ୍ତି ଖୋଲା ବଜାରରୁ ଆମେରିକା ଡଲାର ଯୋଗାଡ଼ କରିବାକୁ ଚେଷ୍ଟା ଚାଲିଛି। ଶ୍ରୀଲଙ୍କାକୁ ଆର୍ଥିକ ସଙ୍କଟରୁ ମୁକୁଳାଇବା ପାଇଁ ସରକାରଙ୍କର ପ୍ରାଥମିକତା ରହିବ। ବିଭିନ୍ନ ମାଧ୍ୟମରୁ ଫଣ୍ଡ ଯୋଗାଡ଼ କରିବାକୁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି।

ଆଗାମୀ ଦୁଇମାସ ପର୍ଯ୍ୟନ୍ତ ଦେଶରେ ଆର୍ଥିକ ସଙ୍କଟ ଆହୁରି ଭୟଙ୍କର ହୋଇପାରେ। ଦେଶବାସୀଙ୍କୁ ଏଥିପାଇଁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିବ। ଏହି ଆର୍ଥିକ ସମସ୍ୟାରୁ ମୁକୁଳିବା ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସହଯୋଗ ଲୋଡ଼ିଛନ୍ତି। ସେ କହିଛନ୍ତି ଆଗାମୀ ଦିନରେ ଅନେକ ସମସ୍ୟା ଆସିବ। କିନ୍ତୁ ସମସ୍ତେ ମିଳିମିଶି ଏହି ସଙ୍କଟର ମୁକାବିଲା କଲେ ବାଟ ଟିକିଏ ସହଜ ହୋଇଯିବ।

Tags: #SriLanka #SriLankaCrisis #FinacialCrisis #PMSriLanka #AirLines

Comment