ଓଡ଼ିଶାଲାଇଭ୍ ବ୍ୟୁରୋ

ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା। ଏବେ ମୁରବୀ ବିହୀନ ହୋଇପଡ଼ିଥିବା ଦେଶର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଜାରି ରହିଛି।

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଏବେ ମୁରବୀ ବିହୀନ ହୋଇପଡ଼ିଛି। ଦେଶରେ ଉପଜିଥିବା ସଙ୍କଟ ପାଇଁ ଜନସାଧାରଣ ସରକାରଙ୍କୁ ଦାୟୀ କରିବା ସହ ସରକାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି। ଜନତାଙ୍କ ବିରୋଧ ଏତେ ମାତ୍ରରେ ବଢ଼ିଗଲା ଯେ, ପୂର୍ବରୁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଥିବା ମହିନ୍ଦା ରାଜପକ୍ଷ ନିଜ ପଦବୀରୁ ଇସ୍ତଫା ଦେଇଥିଲେ।

ସୁନାର ଲଙ୍କା କୁହାଯାଉଥିବା ଶ୍ରୀଲଙ୍କା ଶ୍ରୀହୀନ ହେବା ପଛରେ ରାଜପକ୍ଷେ ପରିବାରକୁ ଦାୟୀ କରିଛନ୍ତି ଦେଶବାସୀ। ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପାନୀୟ ଜଳ, ମେଡିସିନ ଏବଂ ପେଟ୍ରୋଲ ଆଦି ଲୋକଙ୍କୁ ମିଳୁନଥିବାବେଳେ ବିନା ବିଜୁଳିରେ ଲୋକଙ୍କୁ ରହିବାକୁ ପଡ଼ୁଛି।

ଦେଶର ସ୍ଥିତି ସୁଧାରିବା ପାଇଁ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେଲେ। ଗତ ମାର୍ଚ୍ଚ ମାସରେ ରାନିଲ ବିକ୍ରମସିଙ୍ଘେ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ। କିନ୍ତୁ ସ୍ଥିତିରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେଲା ନାହିଁ। ପୁଣି ଜନତାଙ୍କ ବିରୋଧର ସ୍ଵର ତେଜିବାରେ ଲାଗିଲା। ଶନିବାର ଦିନ ଅସନ୍ତୁଷ୍ଟ ଜନତା ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତାଙ୍କର ଇସ୍ତଫା ଦାବି କରି ତାଙ୍କ ଘର ଭିତରେ ପଶିଯାଇଥିଲେ। ଲୋକଙ୍କ ଆକ୍ରୋସରୁ ନିଜକୁ ରକ୍ଷା କରିବାକୁ ଦେଶଛାଡ଼ି ପଳାୟନ କରିଥିଲେ ଗୋଟାବାୟା ରାଜପକ୍ଷ।

ଇସ୍ତଫା ଦେବେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ

ଜନତାଙ୍କ ଆନ୍ଦୋଳନ ଏବଂ ଦାବି ପରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ଜରୁରୀକାଳିନ ବୈଠକ ଡାକିବା ସହ ଗୋଟାବାୟା ରାଜପକ୍ଷେଙ୍କୁ ଇସ୍ତଫା ଦେବା ଲାଗି ଅନୁରୋଧ କରିଥିଲେ। ଅନ୍ୟ ପକ୍ଷରେ ଗୋଟାବାୟା ମଧ୍ୟ ଇସ୍ତଫା ଦେବାକୁ ସହମତି ପ୍ରକାଶ କରିଛନ୍ତି। ଆସନ୍ତା ଜୁଲାଇ ୧୩ ତାରିଖରେ ରାଷ୍ଟ୍ରପତି ପଦବୀରୁ ଇସ୍ତଫା ଦେବେ ଗୋଟାବାୟା ରାଜପକ୍ଷ।

ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ଥ ହୋଇପଡ଼ିଥିବାବେଳେ ରାଜନୈତିକ ଏବଂ ସାମାଜିକ ସଙ୍କଟ ମଧ୍ୟ ଉପୁଜିଛି। ମାସ ମାସ ଧରି ତୈଳ ସଙ୍କଟ, ବିଜୁଳି କାଟ ଏବଂ ଦରଦାମ ବୃଦ୍ଧିକୁ ନେଇ ଶ୍ରୀଲଙ୍କା ବାସିନ୍ଦାଙ୍କ ରାଗ ସୀମା ଟପି ଯାଇଥିଲା। ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକୁ ବାହାରି ଥିଲେ ଲୋକେ। ଦେଶର ପ୍ରମୁଖ ସରକାରୀ ବିଭାଗକୁ ଘେରିବା ସହ ରାଷ୍ଟ୍ରପତି ଭବନରେ ବକ୍ଜା କରିଥିଲେ ଆନ୍ଦୋଳନକାରୀ।

ଲୋକଙ୍କ ବିରୋଧକୁ ଦେଖି ଆସନ୍ତା ଜୁଲାଇ ୧୩ ତାରିଖରେ ନିଜ ପଦବୀରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି ରାଜପକ୍ଷେ। ଶ୍ରୀଲଙ୍କା ବାଚସ୍ପତି ମହିନ୍ଦା ୟାପା ଅଭୟବର୍ଦ୍ଧନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଜୁଲାଇ ୧୩ ତାରିଖ ପରେ କ’ଣ ହେବ ଶ୍ରୀଲଙ୍କାର ଭାଗ୍ୟ ଆଉ ଭବିଷ୍ୟତ?

ଇସ୍ତଫା ଦେଲେ ରାନିଲ ବିକ୍ରମସିଙ୍ଘେ

ଶନିବାର ଦିନ ଆନ୍ଦୋଳନକାରୀ ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଭଳି ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କ ସରକାରୀ ବାସଭବନ ଘେରାଉ କରି ନାରାବାଜି କରିଥିଲେ। ଜନତାଙ୍କ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ ରାନିଲ ବିକ୍ରମସିଙ୍ଘେ।

ଏହି ହିଂସା ସମୟରେ ୫୦ରୁ ଅଧିକ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ସାମ୍ବାଦିକ ଏବଂ ଜଣେ ପୋଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭବନ, ସଚିବାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ, ଟେମ୍ପଲ ଟ୍ରିଜରେ ଆନ୍ଦୋଳନ ଜାରି ରହିଛି। ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଔପଚାରିକ ଭାବେ ଇସ୍ତଫା ନଦେବା ପର୍ଯ୍ୟନ୍ତ ଆନ୍ଦୋଳନକାରୀ ଆନ୍ଦୋଳନ ସ୍ଥାନରୁ ଇଞ୍ଚେ ହଲିବେ ନାହିଁ ବୋଲି କହିଛନ୍ତି।

ଜୁଲାଇ ୧୩ ପରେ କ’ଣ ହେବ ଶ୍ରୀଲଙ୍କାର ଭାଗ୍ୟ ?

ଶ୍ରୀଲଙ୍କାର ରାଷ୍ଟ୍ରପତି ଦେଶଛାଡ଼ି ପଳାୟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଇସ୍ତଫା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏପଟେ ଆର୍ଥିକ ଋଣ ଭାତରେ ବୁଡ଼ି ରହିଛି ଦେଶ। ଏହି ପରିସ୍ଥିତି ଶ୍ରୀଲଙ୍କାର ଭବିଷ୍ୟତକୁ କେଉଁ ଆଡ଼େ ଗତି କରାଇବ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। ଅସନ୍ତା ଜୁଲାଇ ୧୩ ତାରିଖରେ ରାଷ୍ଟ୍ରପତି ପଦବୀରୁ ଇସ୍ତଫା ଦେବାକୁ ଗୋଟାବାୟା ରାଜପକ୍ଷେ ଘୋଷଣା କରିଛନ୍ତି।

Tags: #SrilankaCrisis #Politics #Protest

Comment