ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାର ରିଜିଓନାଲ କନେକ୍ଟିଭିଟି ସ୍କିମ୍‌ ଅନ୍ତର୍ଗତ ବିମାନ ଇନ୍ଧନ ଉପରେ ଲାଗୁଥିବା ଭାଟକୁ ୧ ପ୍ରତିଶତକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ସମସ୍ତ ବିମାନବନ୍ଦରରୁ ଅଧିକ ବିମାନ ଉଡ଼ାଣକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ୨୦୨୭ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଜାରି ରହିବ। ସୋମବାର ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଭାଟ୍ ହ୍ରାସ କରିବା ଲାଗି ମଞ୍ଜୁରୀ ମିଳିଛି।

ଏହାଦ୍ଵାରା ଓଡ଼ିଶାରେ ଅବସ୍ଥିତ ଯେକୌଣସି ବିମାନବନ୍ଦର, ହେଲିପ୍ୟାଡ୍ ଏବଂ ୱାଟର ଏରୋଡ୍ରମଗୁଡ଼ିକରେ ଆଞ୍ଚଳିକ ସଂଯୋଗ ଯୋଜନା (ଆରସିଏସ) ଅନ୍ତର୍ଗତ ବିମାନ,ହେଲିକପ୍ଟର ତଥା ସାମୁଦ୍ରିକ ବିମାନଗୁଡ଼ିକ ନିମନ୍ତେ ବିମାନ ଇନ୍ଧନ ବିକ୍ରୟ ଉପରେ ଥିବା ଭାଟ୍‌ ୧% କୁ ହ୍ରାସ ପାଇବ।

ପୂର୍ବରୁ ୨୦୧୭ ମସିହା ଅଗଷ୍ଟ ୨୨ ତାରିଖ ରେ ରାଜ୍ୟ ସରକାର କେବଳ ‘ଉଡାନ’ ଯୋଜନା ପାଇଁ କେବଳ ରିଜିଓନାଲ କନେକ୍ଟିଭିଟି ସ୍କିମ ଅନ୍ତର୍ଗତ ଅସୁଥିବା ବିମାନବନ୍ଦରରେ ଇନ୍ଧନ ଉପରେ ଭାଟ୍ ଏକ ପ୍ରତିଶତକୁ ହ୍ରାସ କରିଥିଲେ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦର ଏକ ଆରସିଏସ ବିମାନବନ୍ଦର ହୋଇନଥିବାରୁ ଏଠାରେ ଏହି ଯୋଜନା କାର୍ଯ୍ୟକାରୀ ହେଉନଥିଲା।

ଏହି ନୂତନ ନିୟମ ଲାଗୁ ହେବ ପରେ ବର୍ତ୍ତମାନ ଭୁବନେଶ୍ୱର ବିମାନବନ୍ଦରରେ ମଧ୍ୟ ଆରସିଏସ୍‌ ଅନ୍ତର୍ଗତ ଏୟାରଲାଇନ୍ସ କମ୍ପାନିଙ୍କ ପାଇଁ ଇନ୍ଧନ କ୍ରୟ କରିବା ଶସ୍ତା ପଡ଼ିବ। ପୂର୍ବରୁ ରାଜ୍ୟରେ କେବଳ ଝାରସୁଗୁଡ଼ା, ରାଉରକେଲା, ଜୟପୁର ଏବଂ ଉତକେଲା ବିମାନବନ୍ଦରେ ଏହି ସୁବିଧା ମିଳୁଥିଲା।

Tags: #AviationTurbineFuel #RegionalConnectivityScheme #Airlines #Vat #StateCabinetdescision #Odisha

 

Comment