ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁଦିବସ ଅବସରରେ ରାଜ୍ୟର ୪୪୩ ଜଣ ଶିକ୍ଷକଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ଦେଇଛନ୍ତି ସରକାର। ଏଥିଲାଗି ରବିବାର ଲୋକସେବା ଭବନରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଜରିଆରେ ସାମିଲ ହୋଇ ନବନିଯୁକ୍ତ ଶିକ୍ଷକମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ସେ ଆଦର୍ଶ ବିଦ୍ୟାଳୟଗୁଡ଼ିକ ପାଇଁ ଦଶସୂତ୍ରୀ ଲକ୍ଷ୍ୟ ଘୋଷଣା କରିଛନ୍ତି।

ଆଦର୍ଶ ବିଦ୍ୟାଳୟ କ୍ୟାମ୍ପସ ହେବ ଗ୍ରୀନ କ୍ୟାମ୍ପସ

ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର କ୍ୟାମ୍ପସକୁ ଗ୍ରୀନ କ୍ୟାମ୍ପସ କରିବା ଲକ୍ଷ୍ୟ ରଖାଯାଇଛି। ୨୦୨୫ ସୁଦ୍ଧା ଆଦର୍ଶ ବିଦ୍ୟାଳୟ କ୍ୟାମ୍ପସ ପ୍ରଦୂଷଣ ମୁକ୍ତ ହେବ।

ଆଦର୍ଶ ବିଦ୍ୟାଳୟ ହେବ ଟ୍ୟାଲେଣ୍ଟ ସେଣ୍ଟର

ଓଡ଼ିଶାର ଛାତ୍ରଛାତ୍ରୀମାନେ କେବଳ ଓଡ଼ିଶାରେ ସୀମିତ ରହିବେ ନାହିଁ। ସେମାନେ ଜାତୀୟସ୍ତରରେ ଓଡ଼ିଶାର ପ୍ରତିନିଧିତ୍ଵ କରିବେ। ଏଥିଲାଗି ରାଜ୍ୟର ସମସ୍ତ ଆଦର୍ଶ ବିଦ୍ୟାଳୟକୁ ଟ୍ୟାଲେଣ୍ଟ ସେଣ୍ଟର ଭାବେ ଗଢ଼ିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଦ୍ଵାରା ପ୍ରତିବର୍ଷ ଆଦର୍ଶ ବିଦ୍ୟାଳୟରୁ ଅତି କମରେ ଜଣେ ଛାତ୍ର ଯେପରି ଜାତୀୟସ୍ତରୀୟ ପ୍ରବେଶିକା ପରୀକ୍ଷାରେ ସଫଳ ହୋଇପାରିବେ ସେନେଇ ଗୁରୁତ୍ଵ ଦିଆଯିବ।

ପିଲା ଶିଖିବେ ରକ୍ତଦାନର ଉପକାରିତା

ସ୍କୁଲପଢ଼ା ବେଳୁ ଛାତ୍ରଛାତ୍ରୀମାନେ ଯେପରି ରକ୍ତଦାନ ବିଷୟରେ ସଚେତନ ହେବେ ଏବଂ ଏଥିପ୍ରତି ସେମାନଙ୍କ ଆଗ୍ରହ ବଢ଼ିବ ସେଥିପାଇଁ ପ୍ରତି ଆଦର୍ଶ ବିଦ୍ୟାଳୟରେ ରକ୍ତଦାନ ଶିବିର ଆୟୋଜନ କରାଯିବ। ରୋଟାରୀ ଏବଂ ଲାୟନ୍ସ କ୍ଲବ୍ ସହଭାଗିତାରେ କୋଭିଡର ସମସ୍ତ ନିୟମ ପାଳନ କରି ରକ୍ତଦାନ ଶିବିର ଆୟୋଜନ ହେବ।

ପିଲାଙ୍କୁ ନେଇ ଜାତିସଂଘ ବୈଠକ

ପରିବେଶ ସୁରକ୍ଷା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ଆଦର୍ଶ ବିଦ୍ୟାଳୟରେ ଜାତିସଂଘର ବୈଠକ ପରି ସାନି ବୈଠକ ହେବ। ଏଥିରେ ଛାତ୍ରଛାତ୍ରୀମାନେ ଅନ୍ତର୍ଜାତୀୟ ବ୍ୟାପାର ଏବଂ ପରିବେଶ ସୁରକ୍ଷା ଆଦି ବିଷୟ ଉପରେ ଆଲୋଚନା କରିବେ। ଏହାଦ୍ଵାରା ସେମାନଙ୍କ ବୌଦ୍ଧିକ ବିକାଶ ହେବା ସହ ସେମାନେ ଅନେକ କିଛି ଜାଣିବାକୁ ପାଇବେ।

ଇଚ୍ ଓ୍ଵାନ୍ ଟିଚ୍ ଓ୍ଵାନ୍

ପିଲାମାନଙ୍କୁ ଶ୍ରେଣୀଗୃହରେ ଯେଉଁ ପାଠ ପଢ଼ାଯିବ ତାହାକୁ ସେମାନେ କେତେ ଗ୍ରହଣ କରୁଛନ୍ତି ଏବଂ ଏଥିରୁ କେତେ ଶିଖିପାରୁଛନ୍ତି ତା’ର ତର୍ଜମା କରାଯିବ। ଏଥିଲାଗି ‘ଇଚ୍ ଓ୍ଵାନ୍ ଟିଚ୍ ଓ୍ଵାନ୍’ ଅର୍ଥାତ ବିଦ୍ୟାଳୟର ସବୁ ଛାତ୍ରଛାତ୍ରୀ ବିଦ୍ୟାଳୟ ବାହାରେ ଗୋଷ୍ଠୀ ସ୍ତରରେ ଅନ୍ୟଜଣେ ପିଲାଙ୍କୁ ପାଠ ପଢ଼ାଇବେ। ଏହାଦ୍ଵାରା ସେମାନଙ୍କ ପ୍ରାକ୍ଟିକାଲ ଅନୁଭୂତି ବଢ଼ିବ।

ସ୍କୁଲ ସମୟରୁ ପିଲାଏ ହେବେ ଦକ୍ଷ

ବିଦ୍ୟାଳୟ ସ୍ତରରୁ ହିଁ ପିଲାମାନେ ଦକ୍ଷ ହେବେ। ଭବିଷ୍ୟତର ଜ୍ଞାନକୌଶଳ ବିଷୟରେ ଜାଣିବେ। ଏଥିଲାଗି ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଦକ୍ଷତା ବିକାଶ ଉପରେ ସ୍ଵତନ୍ତ୍ର ଭାବେ ପଢ଼ାଯିବ।

୧୦ ବର୍ଷ ପାଇଁ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ହେବ

ପ୍ରତିଟି ଆଦର୍ଶ ବିଦ୍ୟାଳୟ ଆଗାମୀ ୧୦ ବର୍ଷ ପାଇଁ ଭିଜନ୍ ଡକ୍ୟୁମେଣ୍ଟ ବା ରୋଡମ୍ୟାପ୍‌ ପ୍ରସ୍ତୁତ କରିବେ।

ଓ୍ଵେବ୍ ପେଜ୍

ପ୍ରତି ଆଦର୍ଶ ବିଦ୍ୟାଳୟର ଏକ ସ୍ଵତନ୍ତ୍ର ଓ୍ଵେବ୍ ପେଜ୍ ବା ଓ୍ଵେବ୍ସାଇଟ୍ ହେବ। ଏଥିରେ ବିଭିନ୍ନ ବିଷୟରେ ବିସ୍ତାର ଭାବେ ଡାଟା ରହିବ। ଫଳରେ ଉଭୟ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ଏହି ଓ୍ଵେବ୍ ପେଜ୍କୁ ପଢ଼ି ଏହାର ଲାଭ ପାଇପାରିବେ।

ମାସିକ ନ୍ୟୁଜ୍ ଲେଟର

ଆଦର୍ଶ ବିଦ୍ୟାଳୟ ପକ୍ଷରୁ ପ୍ରତି ମାସରେ ଏକ ନ୍ୟୁଜ୍ ଲେଟର ପ୍ରକାଶନ କରାଯିବ। ଏଥିରେ ବିଦ୍ୟାଳୟର ସେ ମାସର ସଫଳତା, କାର୍ଯ୍ୟକ୍ରମ ଆଦି ସ୍ଥାନ ପାଇବ।

ସ୍ଵାସ୍ଥ୍ୟ ପାଇଁ ଯୋଗ

ଛାତ୍ରଛାତ୍ରୀମାନେ ଯେପରି ଫିଟ୍‌ ରହିବେ ସେଥିପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଗ, କ୍ରୀଡ଼ା ଓ ସୁସ୍ଥ ଜୀବନ ଯାପନକୁ ପ୍ରୋତ୍ସାହିତ କରିବ।

LEAVE A REPLY

Please enter your comment!
Please enter your name here