ଓଡ଼ିଶାଲାଇଭ୍ ବ୍ୟୁରୋ

ଉପରମୁଣ୍ଡରେ ବର୍ଷା କମିବା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କମିଛି। ଗୁରୁବାର ଦିନ ୫ ଲକ୍ଷ ୫୦ ହଜାରରୁ ଅଧିକ କ୍ୟୁସେକ ଜଳ ହୀରାକୁଦ ଡ୍ୟାମରେ ପ୍ରବେଶ କରୁଥିବାବେଳେ ଶୁକ୍ରବାର ୪ ଲକ୍ଷ ୭୦ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। ଏଥିସହ ସେକେଣ୍ଡ ପ୍ରତି ୪ ଲକ୍ଷ ୮୪ ହଜାର କ୍ୟୁସେକ ଜଳ ୨୮ଟି ଗେଟ୍ ଦେଇ ନିଷ୍କାସିତ ହେଉଛି। ତେଣୁ ଜଳସ୍ତର କମ୍ କାରଣରୁ ମହାନଦୀର ଅବବାହିକାରେ ବିଶେଷ କିଛି ସମସ୍ୟା ଆଶା କରା ଯାଉନାହିଁ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା। କିନ୍ତୁ ସୁବର୍ଣ୍ଣରେଖାରେ ଜଳପତ୍ତନ ବୃଦ୍ଧି ପାଉଛି। ତେଣୁ ତା’ର ଆଖ ପାଖ ଅଞ୍ଚଳକୁ ସତର୍କ କରାଇ ଦିଆଯାଇଛି।

ମୁଣ୍ଡଳୀର ସ୍ଥିତି

ହୀରାକୁଦ ଡ୍ୟାମରୁ ଏବେ ୨୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଏହି ପାଣି ମୁଣ୍ଡଳୀରେ ପହଞ୍ଚଛି। ଫଳରେ ସେଠାରେ ୬ ଲକ୍ଷ ୨୬ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ। ଗୁରୁବାର ଏସଆରସିଙ୍କ ସୂଚନା ମୂତାବକ, ଶନିବାର ସୁଦ୍ଧା ମୁଣ୍ଡଳୀଠାରେ ୮ ଲକ୍ଷ କ୍ୟୁସେକ ଜଳ ପବାହିତ ହୋଇଥାନ୍ତା, ଯାହାକି ହେବନାହିଁ। ସାଢ଼େ ସାତ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି  ସୂଚନା ଦେଇଛନ୍ତି ଏସଆରସି।ସୁବର୍ଣ୍ଣରେଖାରେ ଜଳପତ୍ତନ ବୃଦ୍ଧି

ବୈତରଣୀ, ବୁଢ଼ାବଳଙ୍ଗ, ଜଳକା ଆଦି ନଦୀରେ ଜଳସ୍ତର କମିଥିବାବେଳେ ସୁବର୍ଣ୍ଣରେଖାରେ ଜଳପତ୍ତନ ବୃଦ୍ଧି ପାଉଛି। ଫଳରେ ରାଜଘାଟଠାରେ ଜଳସ୍ତର ୧୦.୫ ମିଟର ରହିଛି, ଯାହାକି ଘଣ୍ଟାପ୍ରତି ୪ ସେଣ୍ଟିମିଟର ହିସାବରେ ବଢ଼ୁଛି। ଜଳ ସମ୍ପଦ ବିଭାଗର ଆକଳନ ଅନୁସାରେ ଶୁକ୍ରବାର ରାତି ୧୦ଟାରୁ ୧୨ଟା ସୁଦ୍ଧା ପିକ୍ ସ୍ତରରେ ପହଞ୍ଚିବ। ସେହି ସମୟରେ ଜଳପତ୍ତନ ୧୧.୦୫ ମିଟର ପର୍ଯ୍ୟନ୍ତ ରହିବ। ଏହା ଯୋଗୁଁ ଭୋଗରାଇ, ବାଲିପାଳ ଅଞ୍ଚଳର ଖାଲୁଆ ଗାଁ ଗୁଡ଼ିକ ଅଧିକ ପ୍ରଭାବିତ ହେବ। ସେହିସବୁ ଗାଁରେ ପାଣି ପଶିବାର ସମ୍ଭାବନା ରହିଛି।

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବ ଜିଲ୍ଲା ପ୍ରଶାସନ

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବାଲେଶ୍ଵର ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଜଳସମ୍ପଦ ମୁଖ୍ୟ ଯନ୍ତ୍ରୀ, ପୋଲିସ ପ୍ରଶାସନ, ଓଡ୍ରାଫ ଟିମ୍, ଏନଡିଆରଏଫ ଟିମ୍ ସମସ୍ତେ ସଜାଗ ରହିଛନ୍ତି। ଦରକାର ପଡ଼ିଲେ ଅଧିକ ଟିମ୍ ମୂତୟନ କରାଯିବ। ଏତେ ସବୁ ସତର୍କତା ଯୋଗୁଁ ସୁବର୍ଣ୍ଣରେଖାର ବନ୍ୟା ପରିସ୍ଥିତି ବିଶେଷ ଅସୁବିଧା ହେବନାହିଁ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କୌଣସି ସ୍ଥାନରେ ଏତେଟା ବର୍ଷା ହୋଇନଥିବାରୁ ସ୍ଥିତି ଭଲ ଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା।

Comment