ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଚରଣଜିତ ସିଂହ ଚନ୍ନୀ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ସେ ତାଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ତିନି କୃଷି ଆଇନ ଫେରାଇ ନେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏଥିସହ ତାଙ୍କର ପ୍ରଥମ ଫୋକସ୍‌ ପଞ୍ଜାବର ଜନସାଧାରଣ ବୋଲି ଚନ୍ନୀ କହିଛନ୍ତି।

ସେ କହିଛନ୍ତି, “ତାଙ୍କ ସରକାର ହେଉଛନ୍ତି ଗରିବମାନଙ୍କର ସରକାର। ସେ ସର୍ବଦା କୃଷକମାନଙ୍କ ସହ ଅଛନ୍ତି। ଚାଷୀଙ୍କର ଅସୁବିଧା ଦେଶର ଅସୁବିଧା। ତେଣୁ କୃଷକଙ୍କ ସମ୍ମାନରେ ଟିକେ ବି ଆଘାତ ଲାଗିବାକୁ ଦିଆଯିବ ନାହିଁ। କୃଷକଙ୍କ ସଙ୍ଘର୍ଷରେ ପଞ୍ଜାବ ସରକାର ସର୍ବଦା ଠିଆ ହେବେ। ହାଇକମାଣ୍ଡ ତରଫରୁ ୧୮ଟି ପ୍ରସଙ୍ଗକୁ ନେଇ କାମ କରିବା ପାଇଁ କୁହାଯାଇଛି। ତାହାକୁ ମୁଁ ନିଜ କାର୍ଯ୍ୟକାଳ ଭିତରେ ହିଁ ପୂରଣ କରିବି।”ମୁଖ୍ୟମନ୍ତ୍ରୀ ହେଉ ହେଉ ହିଁ ଚନ୍ନୀ କୃଷକଙ୍କ ପାଇଁ ବଡ ଘୋଷଣା କରିବା ସହ ବିଦ୍ୟୁତ ବିଲ ଛାଡ କରିବା ପାଇଁ ଘୋଷଣା କରିଛନ୍ତି। ଯଦି କାହାର ବିଦ୍ୟୁତ କାଟ ହୁଏ, ତେବେ ତାଙ୍କ ଘରେ ସରକାରଙ୍କ ପକ୍ଷରୁ ପୁନଃ ବିଦ୍ୟୁତ ସ୍ଥାପନ କରାଯିବ। ଚାଷୀଙ୍କ ପାଇଁ ଏଣିକି ବିଦ୍ୟୁତ୍ ବିଲ୍ ମାଗଣା ହେବ। ଆଇନ ସମସ୍ତଙ୍କ ପାଇଁ ସମାନ ହେବ। କୃଷକ ଖୁସି ହେଲେ ହିଁ ପଞ୍ଜାବ ଖୁସି ହେବ ବୋଲି କହିବା ସହ ପଞ୍ଜାବର ଚାଷୀଙ୍କୁ ଦୁର୍ବଳ ହେବାକୁ ଦିଆଯିବ ନାହିଁ ବୋଲି ଚନ୍ନୀ ଦୃଢୋକ୍ତି କରିଛନ୍ତି।

ପଞ୍ଜାବ ରାଜନୀତିରେ ଯେଉଁ ପଟ୍ଟପରିବର୍ତ୍ତନ ହେଲା ତାହା ଆଗକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଛି। ଜଣେ ଦଳିତ ନେତାଙ୍କୁ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ କରି କଂଗ୍ରେସ ତା’ର ଭୋଟ ବ୍ୟାଙ୍କକୁ ଦୃଢ଼ କରିବା ପାଇଁ ଚାହୁଁଛି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

ଉଲ୍ଲେଖଯୋଗ୍ୟ ଯେ, ଅମରିନ୍ଦର ସିଂହଙ୍କ ଜଣେ ବିରୋଧୀ ଭାବେ ଜଣାଶୁଣା ଚରଣଜିତ ସିଂହ ଚନ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ପୂର୍ବରୁ ରବିବାର ଦିନ ଚଣ୍ଡିଗଡ଼ରେ ହଟଚମଟ ଲାଗି ରହିଥିଲା। ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ଗୋଷ୍ଠୀର ସୁଖ୍‌ଜିନ୍ଦର ରନ୍ଧାୱାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଆପାତତଃ ଚୂଡ଼ାନ୍ତ ହୋଇଥିଲା। ତେବେ ତାଙ୍କୁ ନେଇ ଦଳରେ ମତଭେଦ ଆରମ୍ଭ ହୋଇଯିବାରୁ ଚରଣଜିତ ସିଂହ ଚନ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ହାଇକମାଣ୍ଡ ନିଷ୍ପତ୍ତି ନେଇଥିଲେ।

କ୍ୟାପଟେନ ଅମରିନ୍ଦର ସିଂହ ତାଙ୍କ ପଦରୁ ଇସ୍ତଫା ଦେବାପରେ ପ୍ରଥମେ ଦଳର ବରିଷ୍ଠ ନେତ୍ରୀ ଅମ୍ବିକା ସୋନିଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଦଳ ପ୍ରସ୍ତାବ ଦେଇଥିଲା। କିନ୍ତୁ ରାଜ୍ୟର ସାମ୍ପ୍ରତିକ ପରିସ୍ଥିତିରେ ଜଣେ ଶିଖ ହିଁ ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି ଦର୍ଶାଇ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ସୋନି ମୁଖ୍ୟମନ୍ତ୍ରୀ ହେବାକୁ ମନା କରିବାପରେ ବିଧାୟକ ଦଳ ବୈଠକ ମଧ୍ୟ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା ଏବଂ ଶେଷରେ ଚନ୍ନୀଙ୍କୁ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବା ପାଇଁ ଚୟନ କରାଯାଇଥିଲା।

Comment