ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନୂଆ ଦଳ ଗଢ଼ିବାକୁ ଯାଉଛନ୍ତି। ନିର୍ବାଚନ କମିଶନଙ୍କ ଅନୁମୋଦନ ପରେ ନୂଆ ପାର୍ଟିର ନାଁ ଘୋଷଣା କରିବେ ବୋଲି ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି।

ରାଜ୍ୟର ସମସ୍ତ ୧୧୭ ବିଧାନସଭା କ୍ଷେତ୍ରରେ ଆଗାମୀ ନିର୍ବାଚନରେ ଦଳ ପ୍ରାର୍ଥୀ ଦେବ ଏବଂ ଆବଶ୍ୟକ ପଡ଼ିଲେ ଦଳ ବିଜେପି କିମ୍ବା ଅନ୍ୟ ଦଳ ସହ ବଝାମଣା କରିପାରେ ବୋଲି ସେ କହିଛନ୍ତି।

ପ୍ରଦେଶ କଂଗ୍ରେସ କମିଟି ସଭାପତି ପରିବର୍ତ୍ତନ ପରଠୁ ପଞ୍ଜାବ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଏହାରିମଧ୍ୟରେ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଗତ ମାସରେ ହିଁ ଅମରିନ୍ଦର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏହାପରେ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ମାତ୍ର ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବାକୁ ସେ ଗୃହମନ୍ତ୍ରୀଙ୍କୁ ଭେଟିଥିବା କହିଥିଲେ। ଏବେ ନୂଆ ଦଳ ଗଠନ ଘୋଷଣା କରି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଅମରିନ୍ଦର ସିଂ।

Comment