ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସାକାଣ୍ଡକୁ ନେଇ କିଷାନ ମୋର୍ଚ୍ଚା ପୁଣି ଥରେ ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କରିଛି। ଆସନ୍ତା ଅକ୍ଟୋବର ୧୮ ତାରିଖରେ ସାରା ଦେଶରେ ରେଳ ରୋକ୍ କରାଯିବ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।

ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବଙ୍କ କହିବା ମୁତାବକ, ପ୍ରଦର୍ଶନକାରୀ କୃଷକଙ୍କ ବିରୋଧରେ ସରକାର ହିଂସାତ୍ମକ ରୂପ ଦେଖାଉଛନ୍ତି। ହେଲେ କୃଷକମାନେ କଦାପି ହିଂସା ପଥରେ ଚାଲିବେ ନାହିଁ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲଖିମପୁର ଖେରୀ ଘଟଣା ଯୋଜନାବଦ୍ଧ। କୃଷକମାନଙ୍କୁ ଆତଙ୍କିତ କରିବାକୁ ସରକାରଙ୍କ ଏହା ଏକ ଚାଲ୍ ଥିଲା। ତେଣୁ ଆସନ୍ତା ୧୫ରେ ଦଶହରା ଅବସରରେ କିଷାନ ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ କୁଶପୁତ୍ତଳିକା ଦାହ କରାଯିବ। ଏଥିସହ ଆସନ୍ତା ୨୬ରେ ଲକ୍ଷ୍ନୌରେ ମହାପଞ୍ଚାୟତ ଆୟୋଜନ କରାଯିବ।

ଇତି ମଧ୍ୟରେ, ଲଖିମପୁର ଖେରୀ ହିଂସା ଘଟଣାରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଗିରଫ କରାଯାଇଛି। ହେଲେ ଏହି ଘଟଣାରେ ଆଶିଷଙ୍କ ସମ୍ପୃକ୍ତ ନଥିବା ମନ୍ତ୍ରୀ ଅଜୟ ମିଶ୍ରା ଦାବି କରିଛନ୍ତି। କିନ୍ତୁ ଆନ୍ଦୋଳନରତ ଚାଷୀଙ୍କ ବୟାନ ମୁତାବକ ଦୁର୍ଘଟଣା ଘଟାଇଥିବା ଗାଡ଼ିରେ ଖୋଦ୍ ଆଶିଷ ଥିଲେ। ତେଣୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ମନ୍ତ୍ରୀ ଅଜୟ ମିଶ୍ରା ଯଥାଶୀଘ୍ର ଇସ୍ତଫା ଦିଅନ୍ତୁ।ଅନ୍ୟପଟେ ଏ ପ୍ରସଙ୍ଗରେ ବିଜେପି ସଭାପତି ଜେପି ନଡ୍ଡାଙ୍କ କହିଛନ୍ତି ଯେ, ଘଟଣାର ପୂରା ତଦନ୍ତ ହେବ ଏବଂ ଯିଏ ଦୋଷୀ ତାଙ୍କୁ କଦାପି ଛଡ଼ାଯିବ ନାହିଁ।

କେନ୍ଦ୍ର କୃଷି ଆଇନ୍‌କୁ ବିରୋଧ କରି ଗତ ୩ ତାରିଖରେ କୃଷକମାନେ ଲଖିମପୁର ଖେରୀଠାରେ ଆନ୍ଦୋଳନ ଚଳାଇଥିଲେ। ଏହି ସମୟରେ ଆନ୍ଦୋଳନରତ କୃଷକଙ୍କ ଉପରେ ଏକ ଗାଡ଼ି ଚଢ଼ାଇ ଦିଆଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଉତ୍ୟକ୍ତ ଚାଷୀମାନେ ହିଂସା ଘଟାଇଥିଲେ। ଏଥିରେ ଦୁଇଜଣ ବିଜେପି କର୍ମୀ, ଗାଡ଼ି ଡ୍ରାଇଭର ଏବଂ ଜଣେ ସ୍ଥାନୀୟ ସାମ୍ବାଦିକ ରମଣ କାଶ୍ୟପଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଏବେ ରାଜନୀତି ଜୋର୍ ଧରିଛି।

LEAVE A REPLY

Please enter your comment!
Please enter your name here