ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁର୍ଗା ପୂଜା ଛୁଟି ପରେ ଏକାଦଶ ଏବଂ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫଲାଇନ୍ ପାଠପଢ଼ା ଆରମ୍ଭ ହେବ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଅକ୍ଟୋବର ୨୧ରୁ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ କ୍ଲାସ୍ ଆରମ୍ଭ ହେବାକୁ ଥିବା ବେଳେ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆରମ୍ଭ ହେବ।
ଗତ ଦୁଇ ବର୍ଷ ହେଲା କରୋନା ମହାମାରୀ ପାଇଁ ସ୍କୁଲ, କଲେଜ ବନ୍ଦ ରହିଥିଲା। ଛାତ୍ରଛାତ୍ରୀମାନେ ଅନଲାଇନ୍ ମୋଡରେ ପାଠ ପଢ଼ୁଥିଲେ। ଗତ କିଛି ଦିନ ହେଲା ନବମ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ଅଫଲାଇନ୍ ପାଠପଢ଼ା ଆରମ୍ଭ ହୋଇଛି। ତେବେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ କ୍ଲାସ କେବେଠୁ ଆରମ୍ଭ ହେବ ସେ ବିଷୟରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।
ସ୍କୁଲ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁଯାୟୀ, ଦିନ ୧୦ଟାରୁ ସାଢ଼େ ୧ଟା ଯାଏଁ ଏକାଦଶ କ୍ଲାସ ଚାଲିବ। ସେହିପରି ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏଁ ଅଷ୍ଟମ ଶେଣୀ କ୍ଲାସ୍ ଚାଲିବ। ସ୍କୁଲ ଖୋଲିଲେ ମଧ୍ୟ ଅଫଲାଇନ୍ ସହ ଅନଲାଇନ୍ କ୍ଲାସ ଚାଲିବ।
ସ୍କୁଲରେ କୋଭିଡ୍ ଗାଇଡଲାଇନ୍ ଅନୁପାଳନ କରାଯିବ। କଣ୍ଟେନମେଣ୍ଟ ଜୋନର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ମନା କରାଯାଇଛି।