ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀ ପାଣିକୁ ନେଇ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସରକାରଙ୍କ ମଧ୍ୟରେ ଚାଲି ଆସିଥିବା ବିବାଦର ସମାଧାନ ହୋଇ ପାରିନଥିବା ବେଳେ ଛତିଶଗଡ଼ ପୁଣି ଏକ ବଡ଼ ଚାଲ ଖେଳିଛି। ଅଣମୌସୁମୀ ଋତୁ ଆରମ୍ଭ ହେବା କ୍ଷଣି କଲମା ବ୍ୟାରେଜର ଗେଟ୍ ବନ୍ଦ କରିବା ଆରମ୍ଭ କରିଦେଇଛି ଛତିଶଗଡ଼। ଫଳରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ ହ୍ରାସ ପାଇଛି।

କଲମା ବ୍ୟାରେଜର ୬୧ଟି ଗେଟ୍ ବନ୍ଦ କରି ଦେଇଛି ଛତିଶଗଡ଼। ଏବେ କେବଳ ୫ଟି ଗେଟ୍ ଦେଇ ସେକେଣ୍ଡ ପ୍ରତି ମାତ୍ର ୫ ହଜାର ୧୦୦ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଫଳରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ ହ୍ରାସ ପାଇଛି। ତେଣୁ ଆଗାମୀ ଦିନରେ ଓଡ଼ିଶାରେ ବିଦ୍ୟୁତ୍ ଉତ୍ପାଦନ, ଚାଷ ଓ ଶିଳ୍ପାନୁଷ୍ଠାନ ପ୍ରଭାବିତ ହେବାର ଆଶଙ୍କା ଜଳଜଳ ହୋଇ ଦିଶୁଛି।ହୀରାକୁଦ ଜଳଭଣ୍ଡାର ପାଣି ପାଇଁ ମୁଖ୍ୟତଃ ମହାନଦୀ ଓ ଏହାର ଉପନଦୀଗୁଡିକ ଉପରେ ନିର୍ଭର କରିଥାଏ। ଜଳଭଣ୍ଡାରର କ୍ୟାଚମେଣ୍ଟ ଏରିଆର ପ୍ରାୟ ୯୦ ପ୍ରତିଶତ ଛତିଶଗଡ଼ରେ ରହିଥିବା ବେଳେ ବାକି ଅଞ୍ଚଳ ଓଡ଼ିଶାରେ ରହିଛି। ତେଣୁ ଜୁନ୍ ୧ରୁ ଅକ୍ଟୋବର ୩୧ ମୌସୁମୀ ଋତୁରେ ହୀରାକୁଦକୁ ଯେତିକି ପାଣି ଆସିଥାଏ ଅଣମୌସୁମୀ ଋତୁ ଅର୍ଥାତ ନଭେମ୍ବରରୁ ମେ’ ମାସ ମଧ୍ୟରେ ତାଠାରୁ ଯଥେଷ୍ଟ କମ୍ ପାଣି ଜଳଭଣ୍ଡାରକୁ ପ୍ରବେଶ କରେ। ହେଲେ ଛତିଶଗଡ଼ରେ କଲମା ବ୍ୟାରେଜ ହେବା ଦିନରୁ ଅଣମୌସୁମୀ ଋତୁରେ ଆଗଭଳି ଆଉ ପାଣି ଆସୁନାହିଁ।ଏହି ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ସ୍ତରରେ ସମାଧାନ ପାଇଁ ଉଦ୍ୟମ କରାଯାଇଥିଲେ ହେଁ ଛତିଶଗଡ଼ ସରକାରଙ୍କ ମନମାନି ଯୋଗୁଁ ବିବାଦର ସମାଧାନ ହୋଇ ପାରୁନାହିଁ। ନଦୀ ଜଳ ବଣ୍ଟନ ଏକ ଆନ୍ତଃରାଜ୍ୟ ପ୍ରସଙ୍ଗ ହୋଇଥିବାରୁ ଏଥିରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ କେନ୍ଦ୍ର ଏହି ବିବାଦରେ ମୁଣ୍ଡ ପୁରାଇବାକୁ ଚାହୁଁନଥିବା ଦେଖାଯାଉଛି, ଯାହାକି ଦୁର୍ଭାଗ୍ୟଜନକ।

LEAVE A REPLY

Please enter your comment!
Please enter your name here