ଓଡ଼ିଶାଳାଇଭ୍ ବ୍ୟୁରୋ
ବାତ୍ୟା ଜୱାଦ ଦୁର୍ବଳ ହେବା ପରେ ଅବପାତରେ ପରିଣତ ହୋଇ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଉତ୍ତର-ପୂର୍ବ ଦିଗ ଦେଇ ଗତି କରୁଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଜାରି ରହିଛି।
କିଛି ସମୟ ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ବୁଲେଟିନ ଅନୁସାରେ ବାତ୍ୟା ଗଭୀର ଅବପାତରୁ ଅବପାତରେ ପରିଣତ ହୋଇଛି। ଏହା ଏବେ ଗୋପାଳପୁର ଉପକୂଳଠାରୁ ୧୩୦ କିଲୋମିଟର, ପୁରୀ ଉପକୂଳଠାରୁ ୫୦ କିଲୋମିଟର ଏବଂ ପାରାଦୀପ ଉପକୂଳଠାରୁ ୧୦୦ କିଲୋମିଟର ଦୂରରେ ରହିଛି। ଆଗାମୀ ୨-୩ ଘଣ୍ଟା ମଧ୍ୟରେ ଏହା କ୍ରମଶଃ ଆହୁରି ଦୁର୍ବଳ ହୋଇ ଉତ୍ତର ଉତ୍ତର-ପୂର୍ବ ଦିଗରେ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବ।
ସାମୁଦ୍ରିକ ଝଡ଼ଟି ଓଡ଼ିଶା ଉପକୂଳ ଆଡ଼କୁ ଯେତିକି ପାଖେଇ ଆସୁଛି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସେହିଅନୁସାରେ ପବନ ଓ ବର୍ଷାର ମାତ୍ରା ବଢ଼ିବାରେ ଲାଗିଛି।
ଆଗାମୀ ୩ ଘଣ୍ଟାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।
ସେହିପରି ବାତ୍ୟା ପ୍ରଭାବରେ ଉପକୂଳ ସମେତ ଟୁଇନ ସିଟି କଟକ ଓ ଭୁବନେଶ୍ୱରରେ ରବିବାର ସକାଳୁ ପ୍ରବଳ ବର୍ଷା ଜାରି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଗୋପାଳପୁରରେ ସର୍ବାଧିକ ୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏଥିସହିତ ପାରାଦୀପରେ ୪୬, ଚାନ୍ଦବାଲି ୨୮, ବାଲେଶ୍ୱରରେ ୨୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ଭୁବନେଶ୍ୱରରେ ୨୪.୩ ଏବଂ ପୁରୀରେ ୨୧ ମିଲିମିଟର ବର୍ଷା ହୋଇଛି।
ଜୱାଦ ପ୍ରଭାବରେ ଲଗାଣ ବର୍ଷା କାରଣରୁ ଉପକୂଳବର୍ତ୍ତୀ ଜିଲାଗୁଡିକର ବ୍ୟାପକ ଅଞ୍ଚଳରେ ଧାନ ଫସଲ ନଷ୍ଟ ହୋଇଛି। ଜମିରେ ପାଣି ଜମି ରହିବାରୁ ପାଚିଲା ଧାନ ଫସଲ ଜମିରେ ପଡିଯାଇ ଗଜା ହୋଇଯାଇଥିବା ଖବର ଆସୁଛି। ସେହିଭଳି ପନିପରିବା ଚାଷ ମଧ୍ୟ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଛି।
ଆସନ୍ତାକାଲି ଅର୍ଥାତ ୬ ତାରିଖ ମଧ୍ୟ ବର୍ଷାର ପ୍ରଭାବ ରହିବ ଏବଂ ୭ ତାରିଖ ବେଳକୁ ବର୍ଷା କମିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।