ଓଡ଼ିଶାଲାଇଭ୍ ବ୍ୟୁରୋ

ଉପାନ୍ତ ଏବଂ ଆଦିବାସୀ ବହୁଳ ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଆରମ୍ଭ ହୋଇଛି ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟସେବା’। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ଵରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରଠାରେ ଏହି ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି।ଏହି ଯୋଜନାରେ ଆଦିବାସୀବହୁଳ ୪ଟି ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡିର ଜନସାଧାରଣ ଉତ୍କୃଷ୍ଟ ସ୍ଵାସ୍ଥ୍ୟସେବା ପାଇପାରିବେ। ଯୋଜନାର ଶୁଭାରମ୍ଭ ଅବସରରେ ମାଲକାନଗିରି ଜିଲ୍ଲାକୁ ଏକ ଡାକ୍ତରୀ ଦଳ ପ୍ରଥମ ବିମାନ ଉଡ଼ାଣ ଆରମ୍ଭ ହୋଇଛି।

ରାଜ୍ୟର ବିଭିନ୍ନ ଉପାନ୍ତ ଜିଲ୍ଲାର ଚିକିତ୍ସାଳୟରେ ଚିକିତ୍ସିତ ରୋଗୀଙ୍କ ସ୍ଵାସ୍ଥ୍ୟାବସ୍ଥା ଜଟିଳ ହେଲେ ତାଙ୍କୁ ଭୁବନେଶ୍ୱର, କଟକ ଭଳି ବଡ଼ ସହରକୁ ଧାଇଁବାକୁ ପଡୁଥିଲା। ଅଯଥାରେ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା। ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟାସେବା ଦ୍ଵାରା ଏ ସମସ୍ୟା ଦୂର ହୋଇପାରିବ।ବିଭିନ୍ନ ମେଡିକାଲ କଲେଜ ଏବଂ କର୍ପୋରେଟ୍‌ ହସ୍‌ପିଟାଲର ଦକ୍ଷ ଓ ସ୍ଵନାମଧନ୍ୟ ଡାକ୍ତରମାନେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଜିଲ୍ଲାର ଚିକିତ୍ସାଳୟକୁ ବିମାନ ଯୋଗେ ଯାଇ ସେଠାରେ ହୃଦରୋଗୀ, ସ୍ନାୟୁରୋଗୀ, କିଡନୀ ଓ ମୂତ୍ରାଶୟ ରୋଗୀଙ୍କ ଭଳି ସୁପର ସ୍ପେସାଲିଟି ସେବା ଆବଶ୍ୟକ କରୁଥିବା ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା କରିବେ। ଏଥିପାଇଁ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ।ଏହି ସେବାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିବା ସହିତ ଏହାଦ୍ଵାରା ଏହି ୪ଟି ଜିଲ୍ଲାର ଗରିବ ଜନସାଧାରଣ ଉନ୍ନତ ସ୍ଵାସ୍ଥ୍ୟସେବା ପାଇପାରିବେ ବୋଲି ଆଶାପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Comment