କପିଳାସ ଭୂୟାଁ

ଏବେ ଶୀତ ଦିନ। ବିଶ୍ଵ ମହାମାରୀ କରୋନାର ପରିବର୍ତ୍ତିତ ଭୂତାଣୁ ରୂପ ଓମିକ୍ରନ ସଂକ୍ରମଣ ସାରା ଦେଶରେ ଅତି କ୍ଷିପ୍ର ଗତିରେ ବ୍ୟାପିବା ନେଇ ବିଶେଷଜ୍ଞମାନଙ୍କ ସତର୍କ ସୂଚନା ସତ୍ଵେ ଲୋକମାନେ ସେଥି ପ୍ରତି କୌଣସି ଭୃକ୍ଷେପ ନକରି ବଣଭୋଜି କରିବା ଓ ପାହାଡ଼ ଜଙ୍ଗଲଠାରୁ ଆରମ୍ଭ କରି ଚାରିଆଡ଼େ ବୁଲିବାକୁ ବାହାରି ଯାଉଛନ୍ତି। ଆମ ରାଜ୍ୟ ଓଡ଼ିଶାର ଅବସ୍ଥା ମଧ୍ୟ ଊଣା ଅଧିକ ସମାନ।ପର୍ଯ୍ୟଟନ ଅବସ୍ଥାକୁ ଉନ୍ନତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଇକୋ ରିଟ୍ରିଟ ଯୋଜନାରେ କୋଣାର୍କ, ଭିତର କନିକା, ହୀରାକୁଦ, ସାତକୋଶିଆ ଓ ଦାରିଙ୍ଗବାଡ଼ି ପରି ରାଜ୍ୟର ବଛା ବଛା ସୁନ୍ଦର ମନଲୋଭା ସ୍ଥାନରେ ପର୍ଯ୍ୟଟକମାନଙ୍କ ପାଇଁ ରହିବା ଖାଇବାଠାରୁ ବୁଲିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ଇକୋ ରିଟ୍ରିଟ ଏକ ନୂଆ ଟ୍ରେଣ୍ଡ ରୂପେ ଏବେ କିଛି ବର୍ଷ ହେଲା ଉଭା ହେଇଛି। କିନ୍ତୁ ପୂର୍ବରୁ ଥିବା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପାନ୍ଥନିବାସଗୁଡ଼ିକ କିଛି କମ ନଥିଲା। କିନ୍ତୁ ସେଗୁଡ଼ିକ କାଳକ୍ରମେ ଯେମିତି ଦୃଷ୍ଟି ଆଢୁଆଳକୁ ଚାଲିଗଲା ପରି ଲାଗୁଛି।ଭିତ୍ତିଭୂମି ଦୃଷ୍ଟିରୁ ଦେଖିଲେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଓଡ଼ିଶାର ବଛା ବଛା ୨୦ଟି ପର୍ଯ୍ୟଟନ ସ୍ଥଳୀରେ ପାନ୍ଥ ନିବାସ ରହିଛି। ଏତେ ସଂଖ୍ୟକ ରହଣି ସ୍ଥଳ, ତାହା ପୁଣି ବଛା ବଛା ପର୍ଯ୍ୟଟନ ସ୍ଥଳ ନିକଟରେ ରହିବା ନିଶ୍ଚୟ ଗୁରୁତ୍ଵପୂର୍ଣ୍ଣ। କୌଣସି ଘରୋଇ କମ୍ପାନି ଏହାର ସମକକ୍ଷ ନୁହନ୍ତି।

ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ୧୯୭୯ ମସିହାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକମାନଙ୍କ ଆରାମଦାୟକ ରହଣି ପାଇଁ ପାନ୍ଥ ନିବାସଗୁଡ଼ିକର ପରିକଳ୍ପନା କରା ଯାଇଥିଲା। ସାମଗ୍ରିକ ଦୃଷ୍ଟିରୁ ବିଚାର କଲେ ଅନ୍ୟ କୌଣସି ମାଲିକାନାରେ ଏତେ ସଂଖ୍ୟାରେ ହୋଟେଲ ନାହିଁ। ତେଣୁ ରାଜ୍ୟରେ ଯଦି ପର୍ଯ୍ୟଟନର ବିକାଶ ପାଇଁ ସମୁଚିତ ପଦକ୍ଷେପ ନିଆଯାଏ, ତେବେ ପାନ୍ଥ ନିବାସଗୁଡ଼ିକ ବିନା ତାହା ସମ୍ଭବ ନୁହେଁ। ସେହି ସବୁ ପାନ୍ଥନିବାସଗୁଡ଼ିକ ମଧ୍ୟରୁ ଚିଲିକା ହ୍ରଦକୁ ଉପଭୋଗ କରିବା ପାଇଁ ଯେଉଁ ଦୁଇଟି ପାନ୍ଥ ନିବାସ ତିଆରି ହୋଇଥିଲା ସେଥିରୁ ରମ୍ଭା ସ୍ଥିତ ପାନ୍ଥ ନିବାସ ଅନ୍ୟତମ।କିନ୍ତୁ ଏହି ସବୁ ପାନ୍ଥ ନିବାସଗୁଡ଼ିକ କେଉଁ ଅବସ୍ଥାରେ ଅଛି? ମୋଟାମୋଟି ଭାବେ ଏଗୁଡ଼ିକର ଅବସ୍ଥା ଯେ ଭଲ ନୁହେଁ ତାହା ଆମ ସମସ୍ତଙ୍କୁ ଊଣା ଅଧିକେ ଜଣା। ତେବେ ବାସ୍ତବ ସ୍ଥିତି ଜାଣିବା ପାଇଁ ରମ୍ଭା ପାନ୍ଥ ନିବାସକୁ ଭାତ ହାଣ୍ଡିରୁ ଗୋଟିଏ ଭାବେ ଗ୍ରହଣ କରି ଅବସ୍ଥା ଆକଳନ କରାଯାଇପାରେ।

ଜାତୀୟ ରାଜପଥ ରମ୍ଭା ବାଇପାସଠାରୁ ବାଁ ପଟେ ପ୍ରାୟ ଅଢ଼େଇ କିଲୋମିଟର ଗଲେ ପଡ଼ିବ ରମ୍ଭା ପାନ୍ଥ ନିବାସ। ମୁଖ୍ୟ ଗେଟ ଦେଇ ପଶିଲା ପରେ ଗୋଟିଏ ଲାମ୍ବା ରାସ୍ତା ଲମ୍ବି ଯାଇଛି ପାନ୍ଥ ନିବାସ ନିକଟକୁ। ରାସ୍ତାର ଉଭୟ ପଟେ ଧାଡ଼ି ଧାଡ଼ି ଗଛ ଓ ଆଲୋକ ବ୍ୟବସ୍ଥା ଯେ କୌଣସି ପର୍ଯ୍ୟଟକ ପାଇଁ ଅତି ଆକର୍ଷଣୀୟ।ପୂର୍ବରୁ ଥରେ ମୁଁ ଓ ମୋର ବନ୍ଧୁମାନେ ସେଠାକୁ ଯାଇ ରହିଥିଲୁ। ଆମେ ପହଞ୍ଚିଲା ବେଳକୁ ସନ୍ଧ୍ୟା ପ୍ରାୟ ସାତଟା। ଆଗରୁ ରୁମ ବୁକ କରିଥିଲୁ। ଅଭ୍ୟର୍ଥନା ପ୍ରକୋଷ୍ଠ ବା ରିସେପ୍ସନ କାଉଣ୍ଟର ଦାୟିତ୍ଵରେ ଥିବା କର୍ମଚାରୀ ସଙ୍ଗେ ସଙ୍ଗେ ଆମ ପାଇଁ ରୁମ ବ୍ୟବସ୍ଥା କରିଦେଲେ, କିନ୍ତୁ ଅତିଥିମାନଙ୍କୁ ଆନ୍ତରିକ ଭାବେ ସ୍ଵାଗତ କରିବା ପାଇଁ ଯେଉଁ ମନୋବୃତ୍ତି ରହିବା କଥା ତାହା ନଥିବା ପରି ମନେହେଲା। ସ୍ଥାନୀୟ ଲୋକ ହୋଇଥିବାରୁ ଆମେ ସେଥିପ୍ରତି କୌଣସି ଗୁରୁତ୍ଵ ଦେଲୁ ନାହିଁ। କିନ୍ତୁ ବାହାରୁ ଆସିଥିବା ପର୍ଯ୍ୟଟକମାନଙ୍କ ପାଇଁ ପହଞ୍ଚିଲା ପରେ ସେମାନଙ୍କୁ କିପରି ସ୍ଵାଗତ କରାଯାଉଛି ତାହା ଯଥେଷ୍ଟ ଗୁରୁତ୍ଵ ରଖେ।ପ୍ରଥମ ମହଲାରେ ଆମ ରୁମଗୁଡ଼ିକ ନିକଟକୁ ସିଡ଼ି ଚଢି ଗଲା ବେଳକୁ ଲାଗିଲା ଯେ ଜାଗାଟି ଯଥେଷ୍ଟ ପରିଷ୍କାର ପରିଚ୍ଛନ୍ନ ନୁହେଁ। ସିଡ଼ି ତଳ ଜାଗାଟିରେ ନାନାଦି ଅଦରକାରୀ ଜିନିଷ ପଡି ରହିଛି ଯାହା କି ଅତି ଦୃଶ୍ୟକଟୁ। ରୁମଗୁଡ଼ିକ ଅତି ପ୍ରଶସ୍ତ। କିନ୍ତୁ ଆବଶ୍ୟକତା ମୁତାବକ ଆଲୋକିତ ନୁହେଁ। ଡବଲ ବେଡଟି ଏକ ଆଡିଆ ହୋଇ ବାଥ ରୁମ ପଟକୁ ପଡିଥିଲା ବେଳେ ତାର ବିପରୀତ କାନ୍ଥ ଉପରେ ରହିଛି ଟିଭି ଓ ତା’ ତଳକୁ ଛୋଟ ଟେବୁଲଟିଏ ପଡିଛି। ବାଥ ରୁମର ବିପରୀତ ଦିଗରେ, ଅର୍ଥାତ ରୁମରେ ପଶିବା ପଟେ ରହିଛି ଡ୍ରେସିଂ ଟେବୁଲ ଓ ସେଠାରେ କୌଣସି ଆଲୋକ ବ୍ୟବସ୍ଥା ନାହିଁ। ବାଥ ରୁମ ପାଖକୁ ଲାଗି ରହିଛି ଗୋଟିଏ ପ୍ରଶସ୍ତ ବସିବା ଜାଗା। ସେଠାରେ ରହିଛି ଦୁଇଟି ଚେୟାର ଓ ଗୋଟିଏ ସେଣ୍ଟର ଟେବୁଲ, ଏବଂ ଲୁଗା ରଖିବା କିମ୍ବା ଶୁଖାଇବା ପାଇଁ ଗୋଟିଏ ଆଲଣା। କିନ୍ତୁ ଆଲମାରି କାହିଁ ?

ଆଲମାରିଟିଏ ଯେ କୌଣସି ପର୍ଯ୍ୟଟକଙ୍କର ସାଧାରଣ ଆବଶ୍ୟକତା। ଯଦି ଆଲମାରିଟିଏ ନାହିଁ ଜଣେ ପର୍ଯ୍ୟଟକ ତାଙ୍କର ଜିନିଷପତ୍ର କେଉଁଠାରେ ରଖିବେ?ପଶିବା ଦ୍ଵାରକୁ ଭିତର ପଟୁ ଖୋଲିବା ପାଇଁ ହାଣ୍ଡଲ ନାହିଁ, ଅଛି ଚାରିଟା ବଡ ବଡ ସ୍କୃର ଶେଷ ଅଂଶ। ଡବଲ ବେଡରେ ପଡିଥିବା ବେଡସିଟ ଦିଶୁଛି ଅତି କୋତରା ଓ ମଇଳା। ଦିଆଯାଇଥିବା ତଉଲିଆଗୁଡ଼ିକ ଅତି ପୁରୁଣା। ବେଡସିଟ ଓ ତଉଲିଆଗୁଡ଼ିକୁ ଯେ ନିୟମିତ ଭାବେ ବଦଳାଇ ନୂଆ କିଣା ଯାଏ, ସତେ ଯେମିତି ସେ କଥା ପରିଚାଳନା ଦାୟିତ୍ଵରେ ଥିବା କର୍ମଚାରୀମାନେ ଭୁଲି ଯାଇଛନ୍ତି!

ରାତି ପାହିଲା ପରେ ଜଣେ ପର୍ଯ୍ୟଟକ ଯଦି ବାଥରୁମ୍ ସଂଲଗ୍ନ ବୈଠକ ସ୍ଥାନକୁ ଯିବେ ଓ ଝରକା ଦେଇ ସାମନାକୁ ଦେଖିବେ ତେବେ ଏତେସବୁ ନଥିବା କଥା ସେ ସମ୍ପୂର୍ଣ ପାସୋରି ଦେବେ। ଚିଲିକା ଛାତିରେ ପ୍ରକୃତିର ଯେଉଁ ଶୋଭା ତାଙ୍କ ଦୃଷ୍ଟିରେ ପଡ଼ିବ ତାହା ସହସା ତାଙ୍କୁ ଆନନ୍ଦରେ ବିଭୋର କରିଦେବ। ପ୍ରକୃତି ସେଠାରେ ପାଲଟି ଯାଇଛି ସତେ ଯେମିତି ଏକ ଅତୁଳନୀୟ ଚିତ୍ରପଟ ଯାହାର ପରିବେଶ ଅତି ଶାନ୍ତ, ସୁନ୍ଦର ଓ ଆନନ୍ଦମୟ।ରମ୍ଭା ପାନ୍ଥ ନିବାସରେ ରହିଛି ସମୁଦାୟ ୧୮ଟି ରୁମ ଓ ୬ଟି କଟେଜ। ଖୁବ ଯତ୍ନ ନିଆଯାଉଥିବା ଏକ ପ୍ରଶସ୍ତ ଓ ସୁନ୍ଦର ମନଲୋଭା ବଗିଚା ଘେରି ରହିଛି କଟେଜଗୁଡ଼ିକୁ। ରୁମରୁ ବାହରି କଟେଜଗୁଡ଼ିକ ପାଖ ଦେଇ ସେହି ସୁନ୍ଦର ବଗିଚାଟି ମଝିରେ ପଡ଼ିଥିବା ରାସ୍ତା ଦେଇ ଚିଲିକା ପାଣିରେ ଥିବା ଜେଟି ପାଖକୁ ଯାଇ ହୁଏ। ସେଠାରୁ ଡଙ୍ଗା କିମ୍ବା ମୋଟର ବୋଟ ଦ୍ଵାରା ଚିଲିକା ଭିତରେ ଥିବା ବ୍ରେକଫାଷ୍ଟ ଆଇଲାଣ୍ଡ, ହନିମୁନ ଆଇଲାଣ୍ଡ, ବାର୍ଡସ ଆଇଲାଣ୍ଡ, ସାନକୁଦା ଆଇଲାଣ୍ଡ କିମ୍ବା ଘଣ୍ଟଶିଳା ପାହାଡ଼ ଖୋଲକୁ ବୁଲି ଯିବା ପାଇଁ ବ୍ୟବସ୍ଥା ରହିଛି।ବାସ୍ତବ ଦୃଷ୍ଟିରୁ ବିଚାର କଲେ ପର୍ଯ୍ୟଟକମାନଙ୍କ ପାଇଁ ରମ୍ଭା ହେଉଛି ଏକ ଆଦର୍ଶ ପର୍ଯ୍ୟଟନ ସ୍ଥଳୀ। ମନୋରମ ପ୍ରକୃତି ଘେରି ରହିଥିବା ପାନ୍ଥ ନିବାସରେ ଛୁଟି କାଟିବା ପାଇଁ ଯେ କୌଣସି ପର୍ଯ୍ୟଟକ ନିଶ୍ଚୟ ଆକୃଷ୍ଟ ହେବେ। ଏହାର ଭିତ୍ତିଭୂମି ମଧ୍ୟ ଉଚ୍ଚ କୋଟୀର, କିନ୍ତୁ ଆବଶ୍ୟକତା ଅନୁଯାୟୀ ଯତ୍ନ ନିଆଯାଉ ନାହିଁ! ଏହା ଦ୍ଵାରା ପର୍ଯ୍ୟଟକ ଏଠାକୁ ଦ୍ଵିତୀୟ ଥର ଆସିବା କିମ୍ବା ଆଉ କାହାକୁ ଏଠାକୁ ଆସିବା ପାଇଁ କହିବାକୁ ଆଗ୍ରହୀ ହେବେ ନାହିଁ।ସବୁ କିଛି ଅବ୍ୟବସ୍ଥା ସତ୍ତ୍ୱେ ପ୍ରକୃତି କୋଳରେ ଛୁଟି କାଟିବା ପାଇଁ ରମ୍ଭା ପାନ୍ଥନିବାସ ହେଉଛି ଏକ ମନଲୋଭା ପର୍ଯ୍ୟଟନ ସ୍ଥଳୀ। ଏଥିରେ କେହି ଦ୍ଵିମତ ହେବେ ନାହିଁ।

 (ଲେଖକ ଜଣେ ବରିଷ୍ଠ ସାମ୍ବାଦିକ, କଳା ସମୀକ୍ଷକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

LEAVE A REPLY

Please enter your comment!
Please enter your name here