ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍ ସଂକ୍ରମଣ ଏବେ ଆମ ଦେଶ ତଥା ରାଜ୍ୟରେ ପୁଣିଥରେ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନକୁ ପାଳନ କରିବା ସହ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି। ଏହି ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ଜନସାଧାରଣ କୋଭିଡ୍ ଉପଯୋଗୀ ଆଚରଣ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି।

‘‘କୋଭିଡ୍‌ର ପ୍ରଥମ ଏବଂ ଦ୍ୱିତୀୟ ଲହରକୁ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା। ବର୍ତ୍ତମାନର କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି। କୋଭିଡ୍ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇଦେବା ପାଇଁ ସୁନ୍ଦରଗଡ଼ ଏବଂ ରାଉରକେଲାରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲଗୁଡ଼ିକ ପ୍ରସ୍ତୁତ ରହିଛି। ଏଥିପାଇଁ ଆବଶ୍ୟକ ସଂଖ୍ୟକ ବେଡ୍ ଓ ଅକ୍ସିଜେନ୍ ମଧ୍ୟ ମହଜୁଦ ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ନିୟନ୍ତ୍ରଣ ପାଇଁ ଟେଷ୍ଟିଂ, ଟ୍ରାକିଂ ଏବଂ ଟିକାକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।covid testing centers-2ଜିଲ୍ଲାରେ ଏବେ କୋଭିଡ୍ ଟେଷ୍ଟିଂରେ କୌଣସି ଅସୁବିଧା ନାହିଁ। କୋଭିଡ୍ ନମୁନା ପରୀକ୍ଷା ଉପରେ ପ୍ରଶାସନ ସବୁବେଳେ ଗୁରୁତ୍ୱ ଦେଇ ଆସୁଛି। ଏବେ ଜିଲ୍ଲାରେ ଦୈନିକ ୭ ହଜାରରୁ ଅଧିକ ଟେଷ୍ଟିଂ କରିବାର କ୍ଷମତା ରହିଛି। ଆବଶ୍ୟକ ହେଲେ ଆଗକୁ ଏହାକୁ କିପରି ବଢ଼ାଯାଇପାରିବ ତା’ଉପରେ ଧ୍ୟାନ ଦିଆଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ, ‘‘କୋଭିଡ୍ ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ସରକାର ଯେଉଁ ଗାଇଡଲାଇନ ଜାରି କରିଛନ୍ତି ତାକୁ ସମସ୍ତ ଜନସାଧାରଣ ପାଳନ କରନ୍ତୁ। ମାସ୍କ ପିନ୍ଧିବା ସହ ଭଲଭାବେ ବାରମ୍ବାର ହାତ ଧୋଇବା ଓ ସବୁଠି ସାମାଜିକ ଦୂରତା ଆଦି ରକ୍ଷା କରନ୍ତୁ। ନିହାତି ଆବଶ୍ୟକ ନଥିଲେ ଘରୁ ବାହାରକୁ ଆସନ୍ତୁ ନାହିଁ। କୋଭିଡ୍ ମୁକାବିଲା କରିବାରେ କ୍ଷେତ୍ର କର୍ମଚାରୀ ଓ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରନ୍ତୁ।’’କୋଭିଡ୍ ଟିକାକରଣ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ଯେ, ବର୍ତ୍ତମାନ ଜିଲ୍ଲାର ବିଭିନ୍ନ କେନ୍ଦ୍ରରେ ଟିକାକରଣ ଜାରି ରହିଛି। ଯେଉଁ ହିତାଧିକାରୀମାନେ ପ୍ରଥମ ଡୋଜ୍ ଟିକା ନେଇ ନାହାନ୍ତି ସେମାନେ ତୁରନ୍ତ ପଞ୍ଜୀକରଣ କରି ଟିକାଦାନ କେନ୍ଦ୍ରକୁ ଆସି ଟିକା ନିଅନ୍ତୁ। ବର୍ତ୍ତମାନ ୧୫-୧୮ ବର୍ଷ ବର୍ଗଙ୍କ ଟିକାକରଣ ଚାଲିଛି। ତେଣୁ ହିତାଧିକାରୀମାନେ ଅନଲାଇନ କିମ୍ବା ଅନସାଇଟ୍ ପଞ୍ଜୀକରଣ କରି ଟିକା ନେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

ସରକାରଙ୍କ କୋଭିଡ୍ ନିୟମ ଅନୁଯାୟୀ ଆସନ୍ତା ଜାନୁଆରି ୧୦ ତାରିଖରୁ ଆଗଧାଡ଼ିର କୋଭିଡ୍ ଯୋଦ୍ଧା, ଡାକ୍ତର, ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ। ଏହା ପରେ ବହୁବିଧ ରୋଗରେ ପୀଡ଼ିତ ୬୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ଏହି ଟିକା ଦିଆଯିବ। ତେଣୁ ସମସ୍ତେ ଏହାର ସୁଯୋଗ ନେବାକୁ ଜିଲ୍ଲାପାଳ କହିଛନ୍ତି।କୋଭିଡ୍ ସମ୍ପର୍କିତ ସୂଚନା ଓ ପରାମର୍ଶ ପାଇଁ ୨୪ ଘଣ୍ଟିଆ ଜିଲ୍ଲା ହେଲ୍ପଲାଇନ୍ ୧୮୦୦ ୩୪୫ ୭୪୬୧ ଏବଂ ରାଉରକେଲା ମହାନଗର ନିଗମ ହେଲ୍ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୮ ରହିଛି। ଆବଶ୍ୟକ ହେଲେ ଜନସାଧାରଣ ମାଗଣାରେ ଏହି ନମ୍ବରରେ କଲ୍ କରିପାରିବେ।

କୋଭିଡ୍ ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲା ପ୍ରଶାସନର ଫେସବୁକ୍ ଏବଂ ଟୁଇଟର ପେଜ୍ ମାଧ୍ୟମରେ ନିୟମିତ ସୂଚନା ପ୍ରଦାନ କରାଯାଉଛି। ଜିଲ୍ଲାରେ ପ୍ରତିଦିନ ହେଉଥିବା କୋଭିଡ୍ ଟେଷ୍ଟିଂ ସଂଖ୍ୟା, ଚିହ୍ନଟ ହେଉଥିବା ରୋଗୀଙ୍କ ସଂଖ୍ୟା ସହ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଖାଲି ଥିବା ବେଡ୍ ସଂଖ୍ୟା ଆଦି ସମ୍ପର୍କରେ ଜନସାଧାରଣଙ୍କ ସୁବିଧା ପାଇଁ ତଥ୍ୟ ଦିଆଯାଉଛି।

LEAVE A REPLY

Please enter your comment!
Please enter your name here