ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ମୋଟ୍ ୭ଟି ପର୍ଯ୍ୟାୟରେ ଏହି ୫ ରାଜ୍ୟରେ ନିର୍ବାଚନ ହେବ। ଫେବ୍ରୁଆରି ୧୦ରୁ ମତଦାନ ଆରମ୍ଭ ହୋଇ ମାର୍ଚ୍ଚ ୭ ତାରିଖରେ ଶେଷ ହେବ। ମାର୍ଚ୍ଚ ୧୦ ତାରିଖରେ ଫଳାଫଳ ପ୍ରକାଶ ପାଇବ। ଶନିବାର ଏକ ସାମ୍ଵାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଏନେଇ ସୂଚନା ଦେଇଛନ୍ତି।

ପାଞ୍ଚ ରାଜ୍ୟରେ ମୋଟ୍ ୨ ଲକ୍ଷ ୧୫ ହଜାର ୩୬୮ଟି ବୁଥ୍‌ରେ ୧୮ କୋଟି ୩୪ ଲକ୍ଷ ଭୋଟର ମତଦାନ କରିବେ। ଚଳିତ ବର୍ଷ କରୋନା ପାଇଁ ପ୍ରତି ବୁଥ୍‌ରେ ୧୨୫୦ ଜଣ ଭୋଟର ଭୋଟ୍ ଦେଇପାରିବେ। ସେହିପରି ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ମହିଳାଙ୍କ ପାଇଁ ଗୋଟିଏ ସ୍ଵତନ୍ତ୍ର ବୁଥ୍ ରହିବ। ୮୦ ବର୍ଷରୁ ଊର୍ଦ୍ଧ୍ଵ ବୟସର ଭୋଟରଙ୍କ ପାଇଁ ପୋଷ୍ଟାଲ୍ ବାଲାଟ୍‌ର ବ୍ୟବସ୍ଥା ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି।ଏହି ୫ ରାଜ୍ୟରେ ମୋଟ୍ ୬୯୦ ବିଧାୟକ ଆସନ ପାଇଁ ନିର୍ବାଚନ ହେବ। ଏଥିମଧ୍ୟରୁ ଉତ୍ତର ପ୍ରଦେଶରେ ସର୍ବାଧିକ ୪୦୩ଟି, ପଞ୍ଜାବରେ ୧୧୭ଟି, ଉତ୍ତରାଖଣ୍ଡରେ ୭୦ଟି, ମଣିପୁରରେ ୬୦ଟି ଏବଂ ଗୋଆରେ ୪୦ଟି ଆସନ ପାଇଁ ନିର୍ବାଚନ ହେବ। ଏଥର ୨୪.୯ ଲକ୍ଷ ନୂଆ ଭୋଟର ମତଦାନ କରିବେ।କେଉଁ ତାରିଖରେ କେଉଁ ରାଜ୍ୟରେ ପଡିବ ଭୋଟ୍?

ସମସ୍ତ ୫ଟି ରାଜ୍ୟରେ ମୋଟ୍ ୭ଟି ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ହେବ। ଏହା ଫେବ୍ରୁଆରି ୧୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଉତ୍ତର ପ୍ରଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ହେବ। ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ଗୋଆରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ସେହିପରି ମଣିପୁରରେ ୨ଟି ପର୍ଯ୍ୟାୟରେ ଭୋଟରମାନେ ଭୋଟ୍ ଦେବେ।

ଉତ୍ତର ପ୍ରଦେଶରେ ଯଥାକ୍ରମେ ଫେବ୍ରୁଆରି ୧୦, ୧୪, ୨୦ ୨୩, ୨୭, ମାର୍ଚ୍ଚ ୩ ଏବଂ ୭ ତାରିଖରେ ଭୋଟ୍ ହେବ। ସେହିପରି ଫେବ୍ରୁଆରି ୧୪ରେ ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ଗୋଆରେ ମତଦାନ ହେବ। ଅନ୍ୟପଟେ ମଣିପୁରରେ ଦୁଇଟି ପର୍ଯ୍ୟାୟ ଯଥା ଫେବ୍ରୁଆରି ୨୭ ଏବଂ ମାର୍ଚ୍ଚ ୩ ତାରିଖରେ ଭୋଟ୍ ହେବ। ମାର୍ଚ୍ଚ ୧୦ ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ନିର୍ବାଚନରେ ରାଲି, ରୋଡ୍ ସୋ’ ମନା

କରୋନାକୁ ଦୃଷ୍ଟିରେ ରଖି ଏଥର ନିର୍ବାଚନରେ କୌଣସି ପ୍ରକାରର ପ୍ରଚାର ରାଲି, ରୋଡ୍ ସୋ’ ଆଦି ହୋଇପାରିବ ନାହିଁ। ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ଏହି ଗାଇଡଲାଇନ କାର୍ଯ୍ୟକାରୀ ହେବ। ଏହାବାଦ୍ କୋଭିଡ୍‌ର ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି। ତେବେ ଯଦି ଡୋର୍ ଟୁ ଡୋର୍ ପ୍ରଚାର ପାଇଁ ଅନୁମତି ଦିଆଯିବ ତେବେ ସର୍ବାମୋଟ୍ ୫ ଜଣରେ ଏହା କରାଯାଇପାରିବ ବୋଲି ସେ କହିଛନ୍ତି।ଭର୍ଚୁଆଲ୍ ଜରିଆରେ ପ୍ରାର୍ଥୀମାନେ ପ୍ରଚାର କରିପାରିବେ। ଅନ୍ୟପଟେ ଭୋଟ୍ ଫଳାଫଳ ପ୍ରକାଶ ପରେ ବିଜୟ ଉତ୍ସବ ଉପରେ ମଧ୍ୟ କଟକଣା ଲଗାଯାଇଛି। ତେଣୁ ବିଜୟୀ ପାର୍ଥୀ ଏବଂ ତାଙ୍କର ସମର୍ଥକମାନେ ବିଜୟ ଶୋଭାଯାତ୍ରା କରିପାରିବେ ନାହିଁ।

LEAVE A REPLY

Please enter your comment!
Please enter your name here