ଓଡ଼ିଶାଲାଇଭ୍ ବ୍ୟୁରୋ

ଥମିବ ମଣିପୁର ହିଂସା। ଶେଷରେ ମଣିପୁର ହିଂସାର ମୂଳ କାରଣ ପାଲଟିଥିବା ରାୟକୁ ହଟାଇଲେ ମଣିପୁର ହାଇକୋର୍ଟ। ଗତ ୨୦୨୩ ମସିହା ମାର୍ଚ୍ଚ ୨୭ ତାରିଖରେ ଦିଆଯାଇଥିବା ନିର୍ଦ୍ଦେଶକୁ କୋର୍ଟ ରଦ୍ଦ କରିଛନ୍ତି। ମଣିପୁର ହିଂସା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୨୦୦ରୁ ଊର୍ଦ୍ଧ୍ଵ ଲୋକଙ୍କ ଜୀବନ ଯାଇଛି।

୨୦୨୩ ମସିହା ମାର୍ଚ୍ଚ ୨୭ ତାରିଖରେ ମୈତେଇ ସମ୍ପଦ୍ରାୟକୁ ଅନୁସୂଚିତ ଜନଜାତିରେ ସାମିଲ କରିବା ପାଇଁ ମଣିପୁର ହାଇକୋର୍ଟ ରାୟ ଦେଇଥିଲେ। ଏହାକୁ କୁକି ସମ୍ପ୍ରାୟ ତୀବ୍ର ବିରୋଧ କରିଥିଲେ। ହୋଇକୋର୍ଟଙ୍କ ଏହି ରାୟ ପରେ ମଣିପୁରରେ ଜାତିଗତ ହିଂସା ସ୍ଥିତି ଉପୁଜିଥିଲା। ଏହା ଏବେବି ଜାରି ରହିଛି।

ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କୁକି ସମ୍ପ୍ରଦାୟର ଲୋକେ ଏହା ଉପରେ ପୁନର୍ବାର ବିଚାର କରିବା ଲାଗି କୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ ଗୋଲମେଇ ଗୌରଫୁଲଶିଲଙ୍କ ବେଞ୍ଚ ମଣିପୁର ହିଂସାର ମୂଳ କାରଣ ପାଲଟିଥିବା ରାୟର ଏକ ବିବାଦୀୟ ପାରାଗ୍ରାଫକୁ ହଟାଇ ଦେଇଛନ୍ତି।

ଅପର ପକ୍ଷରେ କୌଣସି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତିରେ ସାମିଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଜାରି କରିପାରିବେ ନାହିଁ । ଏଥିରେ ପରିବର୍ତ୍ତନ ଏବଂ ସଂଶୋଧନ କରିବାର ଅଧିକାର କେବଳ ରାଷ୍ଟ୍ରପତିଙ୍କ ପାଖରେ ରହିଛି ବୋଲି ହାଇକୋର୍ଟ କହିଛନ୍ତି।

କେମିତି ଆରମ୍ଭ ହୋଇଥିଲା ବିବାଦ?

୨୦୨୩ ମେ’ ୩ ତାରିଖ, ବୁଧବାର ଦିନ ମଣିପୁରରେ ଜାତି ପାଇଁ ଆରମ୍ଭ ହୋଇଥିଲା ମହାଭାରତ। ମୈତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜାତି ମାନ୍ୟତା ପ୍ରଦାନ କରିବା ଦାବି ଉପରେ ବିଚାର କରିବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଣିପୁର ହାଇକୋର୍ଟର ଆକ୍ଟିଙ୍ଗ ଚିଫ ଜଷ୍ଟିସ ଏମଭି ମୁରଲୀଧରନ।

ମେ’ ୩ ତାରିଖ ଦିନ ଅଲ ଟ୍ରାଇବାଲ ଷ୍ଟୁଡେଣ୍ଟସ ୟୁନିୟନ ଅଫ ମଣିପୁର(ଏଟିଏସୟୁଏମ) ‘ଆଦିବାସୀ ଏକତା ଅଭିଯାନ’ ଆରମ୍ଭ କରିଥିଲା। ଏହି ଅଭିଯାନ ସମୟରେ ହିଁ ମଣିପୁର ହିଂସାକାଣ୍ଡର ସୂତ୍ରପାତ ହୋଇଥିଲା।

ମୈତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜାତି ବର୍ଗରେ ସାମିଲ କରିବା ଦାବିରେ ମଣିପୁରର ଛାତ୍ର ସଂଗଠନ ଚୁରଚାନ୍ଦପୁର ଜିଲ୍ଲାର ତୋରବଙ୍ଗ ଅଞ୍ଚଳରୁ ଅଭିଯାନ ଆରମ୍ଭ କରିଥିଲା। ଏହି ଅଭିଯାନରେ ସାମିଲ ହୋଇଥିଲେ ହଜାର ହଜାର ବିକ୍ଷୋଭକାରୀ।

ଏହି ସମୟରେ ଆଦିବାସୀ ଏବଂ ଅଣଆଦିବାସୀ ସମ୍ପ୍ରଦାୟକଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ବିବାଦ ଉଗ୍ରରୂପ ଧାରଣ କରି ହିଂସାରେ ପରିଣତ ହୋଇଥିଲା।

ଚୁରାଚାନ୍ଦପୁରରେ ଅଧିକାଂଶ ଘର ଭଙ୍ଗାରୁଜା କରିବା ସହ ଘରଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ ଆନ୍ଦୋଳନକାରୀ। ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସର ପ୍ରୟୋଗ କରାଯାଇଥିଲା। ପରିସ୍ଥିତି ଏତେ ବିଗିଡ଼ି ଗଲା ଯେ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ସହାୟତା ଲୋଡ଼ିବାକୁ ପଡ଼ିଲା।

ହିଂସାକାଣ୍ଡ ବେଳେ ଘରଦ୍ଵାର ଭାଙ୍ଗିବା ସହ ଲୋକଙ୍କ ଘରେ ନିଆଁ ଲଗାଇ ଦେଲେ ବିକ୍ଷୋଭକାରୀ। ଆରମ୍ଭ ଦିନ ମଣିପୁରର ୮ଟି ଜିଲ୍ଲାରେ ହିଂସାକାଣ୍ଡ ଘଟିଥିବାବେଳେ ଏ ସବୁ ଜିଲ୍ଲାରେ କର୍ଫ୍ୟୁ ଲାଗିଥିଲା।

’ଣ ରହିଛି ବିବାଦର କାରଣ?

ମଣିପୁରରେ ମୁଖ୍ୟତଃ ୩ଟି ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ମୈତେଇ, ନାଗା ଏବଂ କୁକି। ଏମାନଙ୍କ ମଧ୍ୟରୁ ନାଗା ଏବଂ କୁକି ଆଦିବାସୀ ସମ୍ପ୍ରଦାୟର ହୋଇଥିବାବେଳେ ମୈତେଇ ହେଉଛି ଅଣଆଦିବାସୀ ସମ୍ପ୍ରଦାୟ। ବିଶେଷ କରି ମୈତେଇ ହିନ୍ଦୁ ଧର୍ମାବଲମ୍ବୀ। ନାଗା ଏବଂ କୁକି ରାଜ୍ୟରେ ଅନୁସୂଚିତ ଜାତିର ମାନ୍ୟତା ପାଇଛି।

ମଣିପୁରରେ ଏକ ଆଇନ ରହିଛି, ଯେଉଁଥିରେ ଆଦିବାସୀମାନଙ୍କ ପାଇଁ କିଛି ବିଶେଷ ନିୟମ ରହିଛି। ଏହି ନିୟମ ଅନୁସାରେ ଆଦିବାସୀମାନେ ହିଁ ପାହାଡ଼ି ଅଞ୍ଚଳରେ ବସତିସ୍ଥାପନ କରିପାରିବେ। ମୈତେଇ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳିନଥିବାରୁ ସେମାନେ ପାହାଡ଼ି ଅଞ୍ଚଳରେ ବସତିସ୍ଥାପନ କରିପାରିବେ ନାହିଁ।

ନାଗା ଏବଂ କୁକୁ ଭଳି ଆଦିବାସୀ ସମ୍ପ୍ରଦାୟର ଲୋକ ଚାହୁଁଛନ୍ତି ମୈତାଇ ଲୋକମାନେ ଘାଟି ଅଞ୍ଚଳରେ ରୁହନ୍ତୁ। ମୈତେଇ ଲୋକଙ୍କ ସହ ନାଗା ଏବଂ କୁକୁଙ୍କର ଏହାକୁ ନେଇ ମୂଳରୁ ହିଁ ବିବାଦ ରହିଛି। କିନ୍ତୁ ମୈତେଇ ସମ୍ପ୍ରଦାୟ ନିଜକୁ ଅନୁସୂଚିତ ଜାତି ମାନ୍ୟତା ପ୍ରଦାନ ପାଇଁ ଦାବି କରିଆସୁଛନ୍ତି।

ସାରା ଦେଶକୁ ଲଜ୍ଜିତ କରିଥିଲା ମଣିପୁର ଘଟଣା

ମଣିପୁରରେ କୁକି ସମ୍ପ୍ରଦାୟର ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ସାରା ଦେଶ ଏହାକୁ ନେଇ ଲଜ୍ଜିତ ଅନୁଭବ କଲା। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିବାଦ ମଧ୍ୟ କରାଗଲା। ସମସ୍ତଙ୍କୁ ଲଜ୍ଜିତ କରିବା ଭଳି ଏକ ଭିଡିଓ ୨୦୨୩ ଜୁଲାଇ ୧୯ ତାରିଖରେ ଭାଇରାଲ ହୋଇଥିଲା। ଏହି ଘଟଣା ୨୦୨୩ ମେ’ ୩ ତାରିଖରେ ମଣିପୁରରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ପରର ବୋଲି କୁହାଯାଉଛି।

କୁକି ସମ୍ପ୍ରଦାୟର ଏହି ଦୁଇ ମହିଳାଙ୍କ ସହ ମୈତେଇ ସମ୍ପ୍ରଦାୟର କିଛି ବ୍ୟକ୍ତି ଅସଦାଚରଣ କରିବା ସହ ସେମାନଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇଥିବା ଇଣ୍ଡିଜିନସ ଟ୍ରାଇବାଲ ଲିଡର୍ସ ଫୋରମ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏହି ଘଟଣାର ଏକ ମାସ ପରେ ଗତ ଜୁନ ୨୧ ତାରିଖରେ ଥାନାରେ ମାମଲା ରୁଜୁ ହୋଇଥିଲା। ଆଇପିସି ଧାରା ୧୫୩ ଏ, ୩୯୮, ୪୨୭, ୪୪୮, ୩୦୨, ୩୫୪, ୩୬୪, ୩୨୬, ୩୭୬, ୩୪ ସହ ୨୫(୧ସି) ଧାରାରେ ମାମଲା ରୁଜୁ ହୋଇଛି।

ଏହି ଅମାନବୀୟ ଘଟଣାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଭିଡିଓକୁ ଆଧାର କରି ୨୦୨୩ ଜୁଲାଇ ୨୦ ତାରିଖରେ ପ୍ରଥମେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଏହା ପରେ ଆଉ ୩ ଜଣ ଗିରଫ ହୋଇଥିଲେ।

ମଣିପୁରରେ ଲାଗି ରହିଥିବା ହିଂସା ଏବେ ବି ଥମିନାହିଁ। ଏହି ହିଂସାକାଣ୍ଡର ମୂଳ କାରଣ ପାଲଟିଥିବା ରାୟକୁ ହାଇକୋର୍ଟ ରଦ୍ଦ କରିବା ପରେ ଏବେ ମଣିପୁରରେ ହିଂସା ଥମିବ ବୋଲି ଆଶା କରାଯାଉଛି।

Tags: #Violence #ViolenceforCaste #Manipur #SCST #Kuki #Meitei

Comment