ଓଡ଼ିଶାଲାଇଭ୍ ବ୍ୟୁରୋ

ମଣିପୁରରେ ସହିଦ ହୋଇଥିବା ଓଡ଼ିଆ ଯବାନ ନୀଳାଞ୍ଚଳ ପଟେଲଙ୍କ ପାର୍ଥିବ ଶରୀର ଜନ୍ମ ମାଟିରେ ପହଞ୍ଚିଲା। ସୋମବାର ବରଗଡ଼ ଜିଲ୍ଲାର ଭେଡ଼େନ ଥାନା ଅନ୍ତର୍ଗତ ବାଘପାଲି ଗାଁରେ ପହଞ୍ଚିଛି ସହିଦ ନୀଳାଞ୍ଚଳଙ୍କ ମରଶରୀର। ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ଗାଁରେ ପ୍ରବଳ ଲୋକ ଏକାଠି ହୋଇଛନ୍ତି। ଶୋକାକୁଳ ପରିବେଶ ମଧ୍ୟରେ ଲୋକେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ନୀଳାଞ୍ଚଳଙ୍କ ପାର୍ଥିବ ଶରୀରକୁ ଲୋକମାନେ ଶ୍ରଦ୍ଧାଞ୍ଜଳି ଦେଉଥିବାବେଳେ କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ। ସମସ୍ତେ ଝୁରୁଛନ୍ତି ନିଜ ମାଟିର ସେହି ବୀର ଯବାନଙ୍କୁ। ସୋମବାର ଗାଁ ଶ୍ମଶାନରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନୀଳାଞ୍ଚଳଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ।

ସୋମବାର ନୀଳାଞ୍ଚଳଙ୍କ ପାର୍ଥିବ ଶରୀର ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏଠାରେ ରାଜ୍ୟ ବୟନ ତଥା ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ଅତାବିରା ବିଧାୟିକା ସ୍ନେହଙ୍ଗିନୀ ଛୁରିଆ ଓ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ନୀଳାଞ୍ଚଳଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ନୀଳାଞ୍ଚଳ ପଟେଲ ଆସାମ ରାଇଫଲ୍ସରେ କାର୍ଯ୍ୟରତ ଥିଲେ। ମଣିପୁରରେ ଶୁକ୍ରବାର ବିଳମ୍ବିତ ରାତିରେ ସେ ଅନ୍ୟ ଯବାନମାନଙ୍କ ସହ ପାଟ୍ରୋଲିଂ କରୁଥିବାବେଳେ ତାଙ୍କ ଗାଡ଼ି ଦୁର୍ଘଟଣା ଶିକାର ହୋଇଥିଲା। ସେ ଏଥିରେ ଗୁରୁତର ଆହତ ହୋଇଥିଲେ। ଏହାପରେ ନୀଳାଞ୍ଚଳ ଓ ଅନ୍ୟ ଆହତ ଯବାନମାନଙ୍କୁ ନିକଟସ୍ଥ ଆର୍ମି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଶନିବାର ତାଙ୍କର ଦେହାନ୍ତ ହୋଇଥିଲା।

ଏହାପରେ ରବିବାର ପ୍ରଥମେ ନୀଳାଞ୍ଚଳଙ୍କ ପାର୍ଥିବ ଶରୀରକୁ ମଣିପୁର ଆର୍ମି ଶିବିରରୁ ବିମାନ ଯୋଗେ କୋଲକାତାକୁ ଅଣାଯାଇଥିଲା। ସେଠାରୁ ତାଙ୍କ ପାର୍ଥିବ ଶରୀରକୁ ରାତିରେ ଆମ୍ବୁଲାନ୍ସ ଯୋଗେ ସିଧାସଳଖ ବରଗଡ଼ ଅଭିମୁଖେ ଅଣାଯାଇଥିଲା।

ମୃତ୍ୟୁ ବେଳେ ନୀଳାଞ୍ଚଳ ପଟେଲଙ୍କ ବୟସ ୪୮ ବର୍ଷ ହୋଇଥିଲା। ସେ ୨୦୦୦ ମସିହାରେ ସେ ଆସାମ ରାଇଫଲରେ ଯୋଗ ଦେଇଥିଲେ। ୪ ବର୍ଷ ହେବ ସେ ତାଙ୍କ ପତ୍ନୀ ରାଜେଶ୍ଵରୀ ପଟେଲ ଓ ଦୁଇ ଝିଅଙ୍କ ସହ ମଣିପୁରରେ ରହୁଥିଲେ। ୨୦୨୪ ମସିହାରେ ସେ କାର୍ଯ୍ୟରୁ ଅବସର ନେଇଥାନ୍ତେ।

Tags: #SaheedNilanchalPatel #AssamRifels #Manipur #Bargarh #Odisha

LEAVE A REPLY

Please enter your comment!
Please enter your name here