ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଚଭୂତରେ ଲୀନ ହେଲା ସହିଦ ଯବାନ ନୀଳାଞ୍ଚଳ ପଟେଲଙ୍କ ପାର୍ଥିବ ଶରୀର। ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷ କୃତ୍ୟ ସମ୍ପୂର୍ଣ୍ଣ ହୋଇଛି।

ଲୁହରେ ଭିଜିଲା ସହିଦଙ୍କ ଜନ୍ମମାଟି ବରଗଡ଼ ବାଘପାଲି ଗାଁ। ମଣିପୁରରେ ସହିଦ ହୋଇଥିବା ଓଡ଼ିଆ ଯବାନ ନୀଳାଞ୍ଚଳ ପଟେଲଙ୍କ ପାର୍ଥିବ ଶରୀର ସୋମବାର ଦିନ ବିରାଟ ଶୋଭାଯାତ୍ରାରେ ଜନ୍ମ ମାଟିରେ ପହଞ୍ଚିଲା। ସହିଦଙ୍କ ଶେଷ ଦର୍ଶନ ପାଇଁ ଗାଁରେ ଏକାଠି ହୋଇଥିଲେ ପରିବାର, ସାଙ୍ଗସାଥୀ, ସମ୍ପର୍କୀୟ ଓ ଗ୍ରାମବାସୀ। ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସହିଦ ନୀଳାଞ୍ଚଳଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା।

ଶୋଭଯାତ୍ରାରେ ନୀଳାଞ୍ଚଳଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟିପଡ଼ୁଥିଲା ପରିବେଶ। ସୋମବାର ସକାଳେ ନୀଳାଞ୍ଚଳଙ୍କ ପାର୍ଥିବ ଶରୀର ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ରାଜ୍ୟ ବୟନ ତଥା ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ଅତାବିରା ବିଧାୟିକା ସ୍ନେହଙ୍ଗିନୀ ଛୁରିଆ ଓ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ନୀଳାଞ୍ଚଳଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ନୀଳାଞ୍ଚଳ ପଟେଲ ଆସାମ ରାଇଫଲ୍ସରେ କାର୍ଯ୍ୟରତ ଥିଲେ। ମଣିପୁରରେ ଶୁକ୍ରବାର ବିଳମ୍ବିତ ରାତିରେ ସେ ଅନ୍ୟ ଯବାନମାନଙ୍କ ସହ ପାଟ୍ରୋଲିଂ କରୁଥିବାବେଳେ ତାଙ୍କ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା। ସେ ଏଥିରେ ଗୁରୁତର ଆହତ ହୋଇଥିଲେ। ଏହାପରେ ନୀଳାଞ୍ଚଳ ଓ ଅନ୍ୟ ଆହତ ଯବାନମାନଙ୍କୁ ନିକଟସ୍ଥ ଆର୍ମି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଶନିବାର ତାଙ୍କର ଦେହାନ୍ତ ହୋଇଥିଲା।

ରବିବାର ଦିନ ନୀଳାଞ୍ଚଳଙ୍କ ପାର୍ଥିବ ଶରୀରକୁ ମଣିପୁର ଆର୍ମି ଶିବିରରୁ ବିମାନ ଯୋଗେ କୋଲକାତାକୁ ଅଣାଯାଇଥିଲା। ସେଠାରୁ ତାଙ୍କ ପାର୍ଥିବ ଶରୀରକୁ ରାତିରେ ଆମ୍ବୁଲାନ୍ସ ଯୋଗେ ସିଧାସଳଖ ବରଗଡ଼ ଅଭିମୁଖେ ଅଣାଯାଇଥିଲା।

ନୀଳାଞ୍ଚଳ ପଟେଲ ୨୦୦୦ ମସିହାରେ ଆସାମ ରାଇଫଲରେ ଯୋଗ ଦେଇଥିଲେ। ୪ ବର୍ଷ ହେବ ସେ ତାଙ୍କ ପତ୍ନୀ ରାଜେଶ୍ଵରୀ ପଟେଲ ଓ ଦୁଇ ଝିଅଙ୍କ ସହ ମଣିପୁରରେ ରହୁଥିଲେ। ୨୦୨୪ ମସିହାରେ ସେ କାର୍ଯ୍ୟରୁ ଅବସର ନେଇଥାନ୍ତେ।

Tags: #SaheedNilanchalPatel #AssamRifels #Manipur #Bargarh #Odisha

LEAVE A REPLY

Please enter your comment!
Please enter your name here