ଓଡ଼ିଶାଲାଇଭ୍ ବ୍ୟୁରୋ

  • ୟୁନିଫର୍ମ ପାଇଁ ଭତ୍ତା, ସ୍ମାଟଫୋନ୍ ଓ ଗସ୍ତ ଖର୍ଚ୍ଚ ଦେବେ ସରକାର
  • ମିଶନ ଶକ୍ତି ମା’ଙ୍କୁ ୬ ହଜାର କୋଟି ଟଙ୍କାର ବ୍ୟାଙ୍କ ୠଣ ପ୍ରଦାନ
  • ସ୍ମାଟଫୋନ କିଣିବାକୁ ୫ ହଜାର ଟଙ୍କାର ସହାୟତା
  • ଗସ୍ତଖର୍ଚ୍ଚ ବାବଦକୁ ୩୫୦ ଟଙ୍କା
  • ପୋଷାକ ଭତ୍ତା ପାଇଁ ୧ ହଜାର ଟଙ୍କା

ପଞ୍ଚାୟତ ସ୍ତରରେ କାମ କରୁଥିବା ମିଶନ ଶକ୍ତି ମା’ମାନଙ୍କୁ ରାଜ୍ୟ ସରକାର ନୂଆବର୍ଷ ଭେଟି ଦେଇଛନ୍ତି। ମିଶନ ଶକ୍ତିର ୫୦ ହଜାର ମା’ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର। ୟୁନିଫର୍ମ ପାଇଁ ଭତ୍ତା, ସ୍ମାଟଫୋନ୍ ଓ ଗସ୍ତଖର୍ଚ୍ଚ ପାଇଁ ସରକାର ଦେବେ ଆର୍ଥିକ ସହାୟତା। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଚଳିତ ବର୍ଷ ମିଶନ ଶକ୍ତି ମା’ମାନଙ୍କୁ ୬ ହଜାର କୋଟି ଟଙ୍କାର ବ୍ୟାଙ୍କ ୠଣ ପ୍ରଦାନ କରାଯାଇଛି। ଏହା ସହ ସୁଧ ରିହାତି ବାବଦକୁ ୨ ଶହ କୋଟି ଟଙ୍କା ସେମାନଙ୍କ ଖାତାରେ ଜମା କରାଯାଇଛି।

ମିଶନ ଶକ୍ତିର ଆନ୍ଦୋଳନର ଗୁରୁତ୍ଵ ତଥା ଗୋଷ୍ଠୀ ସହାୟକ ସଦସ୍ୟାଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ପଞ୍ଚାୟତରେ ସେବା ଯୋଗାଉଥିବା ୫୦ ହଜାର ଗୋଷ୍ଠୀ ସହାୟିକାଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଗୋଷ୍ଠୀ ସହାୟକାଙ୍କୁ ସ୍ମାଟଫୋନ କିଣିବା ପାଇଁ ଏକକାଳିନ ୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ। ବାର୍ଷିକ ୟୁନିଫର୍ମ ପାଇଁ ଭତ୍ତା ବାବଦକୁ ୧ ହଜାର ଟଙ୍କା ସହ ସମସ୍ତଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ।

ସବୁ ସିଆରପି-ସିଏମମାନଙ୍କୁ ପାରିଶ୍ରମିକ ଭାବେ ମାସିକ ୩ ହଜାର ଟଙ୍କା ମିଳିବ। ମାସିକ ଟେଲିଫୋନ ଭତ୍ତା ୨୫୦ଟଙ୍କା ଦିଆଯିବ। ଗସ୍ତଖର୍ଚ୍ଚ ବାବଦକୁ ୩୫୦ ଟଙ୍କା ମିଳିବ। ଏହି ପ୍ୟାକେଜକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଆବଶ୍ୟକ ଆର୍ଥିକ ବ୍ୟବସ୍ଥା କରିଥିବା ଘୋଷଣା କରିଛନ୍ତି।

ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି କ୍ରମେ ଧାନ ସଂଗ୍ରହଠାରୁ ଆରମ୍ଭ କରି ଡାକ୍ତରଖାନାରେ ରୋଗୀଙ୍କୁ ଖାଦ୍ୟ ଯୋଗାଣ, ଆହାର କେନ୍ଦ୍ର ପରିଚାଳନା ଏବଂ ମାଛ ଚାଷ ଆଦି ସରକାରୀ କାମର ଦାୟିତ୍ଵ ଗୋଷ୍ଠୀ ସହାୟିକାମାନଙ୍କୁ ଦିଆଯାଇଛି। ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଅଧିକସ ସଶକ୍ତ କରିବା ସହ ସୁସମନ୍ଵୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ମିଶନ ଶକ୍ତି ନାମରେ ଏକ ସ୍ଵତନ୍ତ୍ର ବିଭାଗ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀ ମହାସଂଘ ଗୋଟିଏ ପ୍ଳାଟଫର୍ମରେ କାମ କରୁଛନ୍ତି।

LEAVE A REPLY

Please enter your comment!
Please enter your name here