ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ
  • ଚାକିରି କ୍ଷେତ୍ରରେ ଅନୁସୂଚିତ ଜାତି, ଜନଜାତି ପାଇଁ ବୟସ ସୀମା ୪୩ ବର୍ଷ
  • ଚାକିରି ପାଇଁ ମହିଳାଙ୍କ ବୟସ ୩୮କୁ ବୃଦ୍ଧି

ସରକାରୀ ଚାକିରି ପାଇଁ ବୟସ ସୀମା ବୃଦ୍ଧି କରାଯିବା ନିଷ୍ପତ୍ତିକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସରକାରୀ ଚାକିରି ପାଇଁ ପୂର୍ବରୁ ବୟସ ସୀମା ୩୨ ବର୍ଷ ରହିଥିଲା । ବର୍ତ୍ତମାନ ଏହାକୁ ବୃଦ୍ଧି କରି ୩୮ ବର୍ଷ କରାଯାଇଛି। ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ୨୦୨୧, ୨୦୨୨ ଏବଂ ୨୦୨୪ ମସିହାରେ ହେବାକୁ ଥିବା ରାଜ୍ୟ ସରକାରଙ୍କ ନିଯୁକ୍ତି ପ୍ରକ୍ରିୟା ପାଇଁ ବୟସ ସୀମାକୁ ୩ ବର୍ଷ ବଢ଼ାଇଛନ୍ତି ରାଜ୍ୟ ସରକାର।

ଅନୁସୂଚିତ ଜାତି, ଜନଜାତି ଏବଂ ଏସ୍ଇବିସିଙ୍କ ପାଇଁ ୪୩ ବର୍ଷ ବୟସ ସୀମା ଧାର୍ଯ୍ୟ କରାଯାଇଛି। ମହିଳା ବର୍ଗର ପ୍ରାର୍ଥୀଙ୍କ ପାଇଁ ଅଧିକ ୫ ବର୍ଷ ବୃଦ୍ଧି କରାଯାଇଛି। ଏବେ ଏହା ୩୨ରୁ ୩୮ ବର୍ଷକୁ ବୃଦ୍ଧି କରାଯାଇଛି। ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିମଧ୍ୟରେ ୫ଟି ଗୁରୁତ୍ଵପୂର୍ଣ୍ଣ ମେଗା ପାନୀୟ ଜଳ ପ୍ରକଳ୍ପ  ରହିଛି। ମୟୁରଭଞ୍ଜ ଜିଲ୍ଲାର ଶ୍ୟାମାଖୁଣ୍ଟା ଏବଂ ବାରିପଦା ବ୍ଲକର ୨୫ଟି ପଞ୍ଚାୟତର ୨୨୨ଟି ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ପ୍ରସ୍ତାବିତ ପ୍ରକଳ୍ପର ଟେଣ୍ଡରକୁ ମଞ୍ଜୁରୀ ମିଳିଛି। ଏହା କାର୍ଯ୍ୟକ୍ଷମ ହେଲେ ମୋଟ ୧ ଲକ୍ଷ ୪୮ ହଜାର ଲୋକ ଉପକୃତ ହେବେ।

ଏହା ସହ ଭୁବନେଶ୍ଵର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଫ୍ୟାସନ ଟେକ୍ନୋଲୋଜି (ଏନ୍ଆଇଏଫଟି)ର କ୍ୟାମ୍ପସ ପାଇଁ ରାଜ୍ୟ ସରକାର ଯୋଗାଇଥିବା ୧୦ ଏକର ଜମି ଏବଂ ଆଗରୁ ଦେଇଥିବା ୫୮.୬୫ କୋଟି ଟଙ୍କାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ସେହିପରି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା, କଟକ ଜିଲ୍ଲାର ବାଙ୍କି, ତମପଡ଼ା ଆଦି ସ୍ଥାନରେ ହେବାକୁ ଥିବା ପାନୀୟ ଜଳ ପ୍ରକଳ୍ପ ପାଇଁ ମଞ୍ଜୁରୀ ମିଳିଛି।

LEAVE A REPLY

Please enter your comment!
Please enter your name here