ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଶୀତ ପ୍ରକୋପ ବଢ଼ିଛି। ପ୍ରବଳ ଜାଡ଼ ମାଡ଼ରେ ଥରୁଛି ସାରା ଓଡ଼ିଶା। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଶୀତର ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏଥିସହ କିଛି ସ୍ଥାନରେ ଘନକୁହୁଡ଼ି ହେବାର ଆଶଙ୍କା ଥିବାରୁ ୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରି ବିଭାଗ ପକ୍ଷରୁ ସତର୍କ କରାଯାଇଛି।

ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା – ବଲାଙ୍ଗିର, କନ୍ଦମାଳ, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହିସବୁ ଜିଲ୍ଲାରେ ଘନକୁହୁଡ଼ି ପଡ଼ିବ। କୁହୁଡ଼ି ପାଇଁ ୫୦ରୁ ୨୦୦ ମିଟର ପର୍ଯ୍ୟନ୍ତ ଭଲଭାବେ କିଛି ଦେଖାଯିବ ନାହିଁ।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ି ସର୍ବନିମ୍ନ ୮.୫ ଡିଗ୍ରୀ ସେଲିସିୟସ୍ ତାପମାତ୍ରା ସହ ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ରହିଛି। ସେହିପରି କେନ୍ଦୁଝରର କିରେଇ ୯ ଡିଗ୍ରୀ ସେଲସିୟସ୍ ତାପମାତ୍ରା ସହ ଦ୍ଵିତୀୟ ସର୍ବାଧିକ ଥଣ୍ଡା ସ୍ଥାନ ରହିଛି।ଟୁଇନ୍ ସିଟି କଟକ-ଭୁବନେଶ୍ଵରରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି। ଗତ ୨୪ ଘଣ୍ଟାରେ ଏହି ଦୁଇ ସହରରେ ୧୩ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଛି।ରାଜ୍ୟର ସବୁଆଡ଼େ ଏବେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ବିଶେଷ ତାପମାତ୍ରା କମିବାର ସମ୍ଭାବନା ନାହିଁ। କିନ୍ତୁ ୨ ଦିନ ପରେ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ତାପମାତ୍ରା ପାଖାପାଖି ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ଓ ଶୀତ କମିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here