ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ରାମଞ୍ଚଳର ବିକାଶରେ ଦେଶର ବିକାଶ। କେନ୍ଦ୍ର ସରକାର ଗ୍ରାମାଞ୍ଚଳର ବିକାଶକୁ ପ୍ରାଧାନ୍ୟ ଦେଇ ଆର୍ଥିକ ସହାୟତା ଦେଉଛନ୍ତି। କିନ୍ତୁ ଏହି ଅର୍ଥ ଗ୍ରାମାଞ୍ଚଳ ବିକାଶରେ ଲାଗିବା ପୂର୍ବରୁ ଅଧାବାଟରୁ ହରିଲୁଟ ହେଉଛି। ଏବେ ରାଜ୍ୟରୁ ଦୁର୍ନୀତି ରୋକିବାର ବେଳ। ଗ୍ରାମାଞ୍ଚଳର ବିକାଶ ପାଇଁ ଏବେ ଓଡ଼ିଶାରେ ସରକାର ବଦଳାଇବାର ସମୟ ଆସିଛି ବୋଲି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଦଳୀୟ ଇସ୍ତାହାର ପ୍ରକାଶ କରିବା ଅବସରରେ କହିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି। ଚଳିତ ଥର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦଳ ପକ୍ଷରୁ ୨୨ ସୂତ୍ରୀ ନୀତି ଉପସ୍ଥାପନା କରାଯାଇଛି।

‘‘ଭାରତୀୟ ଜନତା ପାର୍ଟି ଜିତିଲେ ପଞ୍ଚାୟତ ଓ ବ୍ଲକରୁ ପିସି କାରବାର ବନ୍ଦ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ପାଇଁ ହିତାଧିକାରୀଙ୍କୁ ଲାଞ୍ଚ ଦେବାକୁ ପଡ଼ିବ ନାହିଁ। ପାଇଖାନା ପାଇଁ ୨ ହଜାର ଦେବାକୁ ପଡ଼ିବ ନାହିଁ। ପଞ୍ଚାୟତ ସ୍ତରରେ ସରପଞ୍ଚଙ୍କୁ ସବୁ କ୍ଷମତା ମିଳିବ। ଗ୍ରାମସଭା/ପଲ୍ଲୀସଭା କରି ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତ କରାଯିବ’’ କହିଛନ୍ତି ସମୀର ମହାନ୍ତି।

ପଞ୍ଚାୟତ ସ୍ତରରେ ମଣ୍ଡି ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ସହ ମଣ୍ଡିରେ ଚାଷୀଙ୍କ ଧାନକୁ ଉଚିତ ମୂଲ୍ୟ ମିଳବ। କୋ-ଅପରେଟିଭ୍ ସୋସାଇଟି ଦ୍ୱାରା ଚାଷୀଙ୍କ ପାଇଁ ୨ ପ୍ରତିଶତ ସୁଧ ହାରରେ ଋଣ ବ୍ୟବସ୍ଥା କରାଯିବ। ସାର ଓ ବିହନ ଯୋଗାଇ ଦିଆଯିବ। କେନ୍ଦ୍ର ଦେଉଥିବା ଟଙ୍କା ସିଧାସଳଖ ଚାଷୀଙ୍କୁ ପହଞ୍ଚାଇବା ବ୍ୟବସ୍ଥା କରାଯିବ। ଯୋଗ୍ୟ ହିତାଧିକାରୀଙ୍କ ପାଇଁ ରାସନକାର୍ଡ ବ୍ୟବସ୍ଥା ହେବ। ସବୁ ପଞ୍ଚାୟତକୁ ସ୍ୱଚ୍ଛ ଓ ନିର୍ମଳ ରଖାଯିବ। ପ୍ରତି ଗାଁରେ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ, ବିଜୁଳି ଓ ରନ୍ଧନ ଗ୍ୟାସ ବ୍ୟବସ୍ଥା କରାଯିବ ବୋଲି ଇସ୍ତାହାରରେ ଉଲ୍ଲେଖ ରହିଛି।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଟ୍ରେନିଂ ସହ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ବିକ୍ରୟ ବ୍ୟବସ୍ଥା କରାଯିବ। ଏସ୍ଏସଜି ଗୋଷ୍ଠୀଙ୍କୁ ଶିଳ୍ପ ତାଲିମ ଦେଇ ଆତ୍ମନିର୍ଭରଶୀଳ କରାଯିବ। ପଞ୍ଚାୟତ ସମିତିରେ ଚାଲିଥିବା ଦଲାଲ ରାଜକୁ ହଟାଯିବ। ରାଜ୍ୟରୁ ଦୁର୍ନୀତି ହଟିବ। ଜିଲ୍ଲାର ବିକାଶ ପାଇଁ ଜିଲ୍ଲା ପରିଷଦ ସଦସ୍ୟଙ୍କ ସହିତ ମିଶି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଯେଉଁ ଯୋଜନା ପ୍ରସ୍ତୁତ କରିବେ ତାକୁ କାର୍ଯ୍ୟକାରୀ କରାଯିବ। ଜବକାର୍ଡଧାରୀଙ୍କୁ କାମ ମିଳିବ। ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବସ ଓ ଅନ୍ୟାନ୍ୟ ସହାୟତ ମିଳିବ। ତେଣୁ ସ୍ୱଚ୍ଛ ଓ ନିର୍ମଳ ପଞ୍ଚାୟତିରାଜ ବ୍ୟବସ୍ଥାରେ ନୂଆ ଓଡ଼ିଶା ଗଢ଼ିବାକୁ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଜିତାଇବାକୁ ସମୀର ମହାନ୍ତି ନିବେଦନ କରିଛନ୍ତି।

ଏହି ଅବସରରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଉପସଭାପତି ବଳଭଦ୍ର ମାଝୀ ଓ ଅନୀତା ଶୁଭଦର୍ଶୀନି, ଇସ୍ତାହାର କମିଟିର ସଦସ୍ୟ ରମାରଂଜନ ବଳିୟାରସିଂହ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଶଙ୍କର ପରିଡ଼ା, ଦିଲୀପ ମଲ୍ଲିକ, ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୂ ତରାଇ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ଉମାକାନ୍ତ ପଟ୍ଟନାୟକ ଓ ସୋନାଲୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here