ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁପ୍ତଧନ ଆଶାରେ ଶୁକ୍ରବାର ପୁଣି ପୁରୀ ଏମାର ମଠ ଖୋଳା ଆରମ୍ଭ ହୋଇଛି। ଗତ ୨୦୨୧ ମସିହା ସେପ୍ଟେମ୍ବର ୧୬ ତାରିଖରେ ଗୁପ୍ତଧନ ରହିଥିବା ନେଇ ଏମଆର ମଠର ତିନିଟି ଜାଗାକୁ ମେଟାଲ ଡିଟେକ୍ଟର ଦ୍ଵାରା ଚିହ୍ନଟ କରାଯାଇଥିଲା। ଆଜି ଚିହ୍ନଟ ହୋଇଥିବା ଏହି ୩ଟି ସ୍ଥାନର ଖୋଳା କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଶାସନିକ ଅଧିକାରୀ, ଉପଜିଲ୍ଲାପାଳ, ମାଜିଷ୍ଟ୍ରେଟ୍ ଓ ପୋଲିସ୍ ଏବଂ ମଠ ପରିଚାଳନା ଟ୍ରଷ୍ଟର ସଦସ୍ୟଙ୍କ ଉପସ୍ଥିତରେ ଖୋଳା କାମ ଆରମ୍ଭ କରାଯାଇଛି। ଖୋଳା ଆରମ୍ଭରେ ଗୋଟିଏ ଲୁହା ଖଣ୍ଡ ମିଳିଛି।

୨୦୨୧ ସେପ୍ଟେମ୍ବର ୧୬ ତାରିଖରେ ଏମ୍ଆର ମଠରେ ଗୁପ୍ତଧନ ଥିବା ଆଶାରେ ତିନିଟି ସ୍ଥାନକୁ ଚିହ୍ନଟ କରାଯାଇଥିଲା। ବିଶେଷଜ୍ଞ ଟିମ୍ ମେଟାଲ ଡିଟେକ୍ଟର ଦ୍ୱାରା ତିନୋଟି ସ୍ଥାନରେ ଗୁପ୍ତ ଧନ ରହିଥିବା ସଙ୍କେତ ପାଇଥିଲେ। ଏହି ସମୟରେ ମଠର ପ୍ରବେଶ ଗୃହ, ଅଗଣା, ଝୁଲଣ ମଣ୍ଡପ ସମ୍ମୁଖ ଅଗଣାକୁ ଚିହ୍ନ କରାଯାଇଥିଲା। ଚିହ୍ନଟ ସ୍ଥାନଗୁଡ଼ିକୁ ଖୋଳା କାମ ଆରମ୍ଭ ହୋଇଛି।

ଏମଆର ମଠର ପରିଚାଳନା ଦାୟିତ୍ଵ ନୂଆ ଟ୍ରଷ୍ଟ ହାତକୁ ଗଲା ପରେ ମଠ ସମ୍ପତ୍ତିର ଯାଞ୍ଚ କରାଯାଇଥିଲା। ୨୦୧୦ ମସିହାରେ ଯାଞ୍ଚ ସମୟରେ ମଠରୁ ୪୫ଟି ରୂପା ଇଟା ମିଳିଥିଲା। ଏହା ପରେ ୨୦୧୧ ମସିହାରେ ମଠ ପରିସରରୁ ଆଉ ୫୨୨ ଖଣ୍ଡ ରୁପା ଇଟା ମିଳିଥିଲା। ସେତେବେଳେ ଜବତ ଇଟାର ମୂଲ୍ୟ ରହିଥିଲା ପ୍ରାୟ ୯୦ କୋଟି ଟଙ୍କା।

ମଠ ପରିସରରୁ ଏତେ ପରିମାଣର ରୂପା ଇଟା ବାହାରିବା ସମସ୍ତଙ୍କୁ ଚକିତ କରିଥିଲା। ନଅଙ୍କ ଦୁର୍ଭିକ୍ଷ ସମୟରେ ମଠରୁ ଚାଉଳ ଏବଂ ଖାଦ୍ୟଶସ୍ୟ ବଦଳରେ ବ୍ରିଟିଶ ସରକାର ମଠକୁ ଏହି ଇଟା ଦେଇଥିବା ଗବେଷଣା ଏବଂ ବିଭିନ୍ନ ପୁସ୍ତକରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here