ଓଡ଼ିଶାଲାଇଭ୍ ବ୍ୟୁରୋ

ଏମାର ମଠର ମୂଳ ଗାଦି ଉପରେ ଚାଲିବ ବୁଲ୍‌ଡୋଜର।

ତିନି ଦିନର ଅପରେସନ ପରେ ମାଟିରେ ମିଶିଲା ରଘୁନନ୍ଦନ ପାଠାଗାର। ଏହାସହ ଇତିହାସ ହୋଇଗଲା ପୁରୀର ଆଉ ଏକ ଐତିହ୍ୟ। ପାଠାଗାର ପରେ ପ୍ରଶାସନର ନଜର ଏମାର ମଠର ମୂଳଗାଦି ଉପରେ ପଡ଼ିଛି। ଶନିବାର ଏମାର ମଠରେ ପ୍ରଶାସନର ବୁଲ୍‌ଡୋଜର ଚାଲିବ ବୋଲି କୁହାଯାଉଛି।

ମଙ୍ଗଳବାର ଦିନ ଲଙ୍ଗୁଳି ମଠର ଉଚ୍ଛେଦ ହୋଇଥିଲା। ଏହାପରେ ଏମାର ମଠ ଏବଂ ତତ୍‌ସଂଲଗ୍ନ ଦୋକାନ ଘର ଭାଙ୍ଗିବା ପାଇଁ ପ୍ରଶାସନ ନୋଟିସ୍‌ କରିଥିଲା। ନୋଟିସ ପାଇବା ପରେ ଦୋକାନ ଏବଂ ମଠରୁ ଜିନିଷପତ୍ର ଖାଲି ହୋଇଥିଲା।

ରଘୁନନ୍ଦନ ପାଠାଗାରରେ ଥିବା ପୁରୁଣା ବହି, ପୋଥି ମଧ୍ୟ ସ୍ଥାନାନ୍ତର କରାଗଲା। ପାଠାଗାରର ସମସ୍ତ ବହି ଭୂଅର୍ଜନ ସମ୍ମିଳନୀ କକ୍ଷରେ ରଖାଗଲା। ଏହାପରେ ପାଠାଗାର ଉପରେ ବୁଲ୍‌ଡୋଜର ଚାଲିଲା। ଗୁରୁବାର ପାଠାଗାରର କିଛି ଅଂଶ ଭଙ୍ଗାଯିବା ପରେ ଶୁକ୍ରବାର ଦିନ ଏହାକୁ ମାଟିରେ ମିଶାଇ ଦେଇଛି ପ୍ରଶାସନ।

୧୯୨୧ ମସିହାରେ ରଘୁନନ୍ଦନ ପାଠାଗାରକୁ ଏମାର ମଠ ନିର୍ମାଣ କରାଯାଇଥିଲା। ଗତ କିଛି ବର୍ଷ ତଳେ ପାଠାଗାରର ନବୀକରଣ ମଧ୍ୟ କରାଯାଇଥିଲା। ଏହି ପାଠାଗାରକୁ ନଭାଙ୍ଗିବା ପାଇଁ ପ୍ରଶାସନକୁ ଅନୁରୋଧ କରିଥିଲେ। ହେଲେ ପ୍ରଶାସନ ପାଠାଗାରକୁ ଭାଙ୍ଗି ଦେଇଛି।

ଏହି ପାଠାଗାରକୁ ଆଧୁନିକୀକରଣ କରାଯାଇ ବିଶ୍ୱସ୍ତରୀୟ କରାଯିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି।

ପାଠାଗାର ଚୂନା ହେବା ପରେ ଏମାର ମଠର ମୂଳଗାଦିକୁ ଭାଙ୍ଗିବା ପାଇଁ ପ୍ରଶାସନ ଅଭିଯାନ ଚଳାଇଛି। ହେଲେ ମଠ ମହନ୍ତ ଗାଦି ଛାଡ଼ି ବାହାରକୁ ଆସୁ ନଥିବାରୁ ମଠ କେମିତି ଉଚ୍ଛେଦ ହେବ ତାହା ଚର୍ଚ୍ଚାର ବିଷୟ ପାଲଟିଛି।

ଏମାର ମଠ ହେଉଛି ଐତିହ୍ୟ ସମ୍ପନ୍ନ ମଠ। ୧୪୦୨ ମସିହାରେ ପୁରୀରେ ଏହି ମଠର ହୋଇଥିଲା ସ୍ଥାପନା। କୁହାଯାଏ, ଶ୍ରୀରାମାନୁଜାଚାର୍ଯ୍ୟ ଶ୍ରୀକ୍ଷେତ୍ର ଆସି ଅବସ୍ଥାନ କରିଥିଲେ। ସେ ହିଁ ଏଠାରେ ମଠ ସ୍ଥାପନା କରିଥିଲେ। ନିଜ ପ୍ରିୟଶିଷ୍ୟ ଗୋବିନ୍ଦଙ୍କୁ ସେ ପ୍ରଥମେ ଏହି ମଠର ମଠାଧୀଶ କରିଥିଲେ। ଏହି ମଠ ମୂଳରୁ ଶ୍ରୀରାଜଗୋପାଳାଚାର୍ଯ୍ୟ  ମଠ ନାଁରେ ପରିଚିତ ଥିଲା। ଶ୍ରୀରାମାନୁଜାଚାର୍ଯ୍ୟଙ୍କୁ ମନ୍ନାଥ ଭାବେ ଶିଷ୍ୟମାନେ ସମ୍ବୋଧନ କରୁଥିଲେ। ମନ୍ନାଥ ଶବ୍ଦରୁ ଏମ୍ ଏବଂ ରାମାନୁଜ ଶବ୍ଦରୁ ଆର୍ ଉଦ୍ଧୃତ କରାଯାଇ ତାମିଲ ପରମ୍ପରାର ସଂକ୍ଷିପ୍ତ କରଣ ପ୍ରକ୍ରିୟାରେ ମଠର ନାଁ ଏମ୍ ଆର ରହିଥିଲା।

ଏହି ମଠ ପରିସରରେ ଅନେକ ଦେବଦେବୀ ପୂଜା ପାଇଥାନ୍ତି। ଶ୍ରୀ ରଘୁନାଥ, ଶ୍ରୀ ପତିତପାବନ, ଲକ୍ଷ୍ମଣ, ସୀତା, ହନୁମାନ, ନୃସିଂହ ଓ ଶାଳଗ୍ରାମ ପୂଜା ପାଉଛନ୍ତି। ଶ୍ରୀରାମାନୁଜାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ବି ରହିଛି।

ଶ୍ରୀମନ୍ଦିର ପରମ୍ପରା ସହ ଏହି ମଠର ସମ୍ପର୍କ ବେଶ୍ ନିବିଡ଼। ଶ୍ରୀଗୁଣ୍ଡିଚା, ଚନ୍ଦନଯାତ୍ରା, ହେରାପଞ୍ଚମୀ, ନିଳାଦ୍ରୀବିଜେ, ଗହ୍ମାପୂର୍ଣ୍ଣିମା, ଦୋଳ ଉତ୍ସବ, ଶ୍ରୀରାମ ନବମୀ ଆଦି ତିଥିରେ ମଠ  ପକ୍ଷରୁ ପନ୍ତି ଭୋଗ ଲାଗି କରାଯାଏ। ଏହି ମଠକୁ ଗୁଣ୍ଡିଚା ମନ୍ଦିରରେ ସାମୟିକ ଭାବେ ପନ୍ତି ଚାଳି ନିର୍ମାଣ କରିବା ପାଇଁ ଅନୁମତି ଦିଆଯାଇଛି।ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ସମୟରେ ଏମାର ମଠ ମହନ୍ତଙ୍କୁ ଚାମର ଓ ଆଲଟ ସେବା କରିବାର ଅଧିକାର ଦିଆଯାଇଛି। ମଠର ପ୍ରତି କୋଠରୀରେ ଶ୍ରୀକୃଷ୍ଣ ଏବଂ ରାଧାଙ୍କର ଛବି ରହିଛି। ଏହା ବେଶ୍‌ ଆକର୍ଷଣୀୟ।

୨୦୧୧ରେ ଏମାର ମଠରୁ ବାହାରିଥିଲା ୫୨୨ ଖଣ୍ଡ ରୁପା ଇଟା। ଏହା ସେତେବେଳେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ରୁପା ଇଟାର ଓଜନ ପ୍ରାୟ ୧୮ ଟନରୁ ଅଧିକ ଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୮୦ ରୁ ୯୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା।

ବର୍ତ୍ତମାନ ସୁଦ୍ଧା ଏହି ରୁପା ଇଟାକୁ ନେଇ କୌଣସି ଫଇସଲା ହୋଇ ନଥିବା ବେଳେ ଏହା ପୋଲିସ ହେପାଜତରେ ରହିଛି।

ଜଷ୍ଟିସ୍‌ ବି ପି ଦାସ କମିସନଙ୍କ ସୁପାରିଶ ଆଧାରରେ ରାଜ୍ୟ ସରକାର ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଉଚ୍ଛେଦ କରୁଛନ୍ତି। ପ୍ରଥମେ ମେଘନାଦ ପାଚେରୀକୁ ଜବରଦଖଲମୁକ୍ତ କରିବା ପରେ ଲଙ୍ଗୁଳି ମଠ ପାଳି ପଡ଼ିଥିଲା। ଏବେ ଏମାର ମଠ ଉପରେ ଚାଲିଛି ବୁଲ୍‌ଡୋଜାର।

Comment