ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ପାଇଁ ପୁରୀ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି। ଏହାକୁ ନେଇ ଏବେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଅନ୍ୟପଟେ କରୋନା କଟକଣା ଭିତରେ ଦର୍ଶନ ବ୍ୟବସ୍ଥାକୁ ଅନୁମତି ଦିଆଯାଉବୋଲି ସାଧାରଣରେ ଦାବି ହେଉଛି। ତେବେ ଅଗଷ୍ଟ ୪ରେ ହେବାକୁ ଥିବା ବୈଠକରେ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ନେଇ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ। କରୋନା ପାଇଁ ଶ୍ରୀମନ୍ଦିର ବନ୍ଦ ଥିବାରୁ ଅନେକ ଭକ୍ତ ଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ସେପଟେ ସେବାୟତମାନେ ଆର୍ଥିକ କ୍ଷେତ୍ରରେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏହି ସମସ୍ତ ଦିଗକୁ ଦୃଷ୍ଟିରେ ରଖି ପୂର୍ବଭଳି ଶ୍ରୀମନ୍ଦିର ପ୍ରବେଶକୁ ଅନୁମତି ଦିଆଯାଉ ବୋଲି କେତେକାଂଶରେ ଦାବି ହେଉଛି।ରାଜ୍ୟରେ କରୋନା ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି ବସ ଚଳାଚଳକୁ ମଧ୍ୟ ଅନୁମତି ମିଳିଛି। ଅଧିକାଂଶ ଜିଲ୍ଲାରେ କଟକଣାକୁ ଧିରେ ଧିରେ କୋହଳ କରାଯାଉଛି। ଏପରି ସ୍ଥିତିରେ ଶ୍ରୀମନ୍ଦିର ଖୋଲିବା ନେଇ ପ୍ରଶାସନ ପକ୍ଷରୁ କ’ଣ ନିଷ୍ପତ୍ତି ନିଆଯିବ, ତାହା ଅପେକ୍ଷାରେ ଜନସାଧାରଣ।ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କ ପରାମର୍ଶ ବି ଲୋଡ଼ାଯିବ। ମାନ୍ୟବର ସୁପ୍ରିମକୋର୍ଟ ବିଭିନ୍ନ ସମୟରେ ଦେଇଥିବା ରାୟରେ କହିଥିଲେ ଯେ, ମନ୍ଦିର ସମ୍ପର୍କିତ ସମସ୍ତ ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କ ସହିତ ପରାମର୍ଶ କରିବା ଦରକାର।

ସୂଚନା ଥାଉକି, କୋଭିଡର ଦ୍ଵିତୀୟ ଲହର ଆସିବା ପରେ ଗତ ଏପ୍ରିଲ ମାସରୁ ଶ୍ରୀମନ୍ଦିର ପ୍ରବେଶ ଉପରେ ରୋକ ଲାଗାଯାଇଛି। ଏବେ ଜନସାଧାରଣଙ୍କ ମତ ଅନୁସାରେ ଆଉ ଅଧିକ ସମୟ ଧରି ଶ୍ରଦ୍ଧାଳୁଙ୍କୁ ଦର୍ଶନରୁ ବଞ୍ଚିତ କରିବା ଠିକ ନୁହେଁ। ପୂର୍ବଥର କରୋନା ନିୟମ ଅନୁସାରେ ବିଭିନ୍ନ ପର୍ଯ୍ୟାୟରେ ଦର୍ଶନ ପାଇଁ ଅନୁମତି ମିଳିଥିଲା। ତେଣୁ ବର୍ତ୍ତମାନ ବି ସେଭଳି କିଛି ନିଷ୍ପତ୍ତି ନିଆଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Comment