ଓଡ଼ିଶାଲାଇଭ୍ ବ୍ୟୁରୋ

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀର ଶ୍ରୀ ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ସୋମବାର ଅନୁମୋଦନ କରିଛନ୍ତି। ଶ୍ରୀ ଲୋକନାଥ ମନ୍ଦିରର ବିକାଶ ପାଇଁ ୨୮ କୋଟି ଟଙ୍କା ଅଟକଳ ରଖାଯାଇଥିବା ବେଳେ ଅଲାରନାଥଙ୍କ ପାଇଁ ୮ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଓଡିଶା ବ୍ରିଜ କନ୍‌ଷ୍ଟ୍ରକସନ କର୍ପୋରେସନ ଉଭୟ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ କରିବ।

ଉଭୟ ମନ୍ଦିରର ପୁନଃ-ଉନ୍ନୟନ କାର୍ଯ୍ୟ ୧ ବର୍ଷ ମଧ୍ୟରେ ସଂପୂର୍ଣ୍ଣ ହେବ। ଉଭୟ ମନ୍ଦିରର ରୂପାନ୍ତର ପାଇଁ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ ପାଣ୍ଡିଆନ ନିକଟରେ ଉଭୟ ଲୋକନାଥ ମନ୍ଦିର ଓ ଅଲାରନାଥ ମନ୍ଦିର ଗସ୍ତ କରି ଏହାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଉଭୟ ମନ୍ଦିରରେ ଥିବା ପୁଷ୍କରଣୀର ଉନ୍ନତିକରଣ କରାଯିବ। ମନ୍ଦିର ଚାରିପଟେ ସୁଉନ୍ନତ ପାଚେରୀ, ପୁଷ୍କରଣୀର ବିଶୋଧନ, ପାହାଚ, ଲ୍ୟାଣ୍ଡ ସ୍କେପିଂ, ଆଲୋକୀକରଣ ଓ ବସାଉଠା ପାଇଁ ସ୍ଥାନ ରହିବ। ମନ୍ଦିରରେ ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ମନ୍ଦିର ଆଖପାଖର ରାସ୍ତାଗୁଡିକର ପ୍ରଶସ୍ତିକରଣ କରାଯିବା। ମନ୍ଦିର ବେଢାରେ ଖଣ୍ଡେଲାଇଟ୍ ପଥର ଲଗାଯିବ। ଏହାଛଡା ଅଲାରନାଥ ପୀଠର ପ୍ରବେଶ ଦ୍ୱାରକୁ ପ୍ରଶସ୍ତ କରାଯାଇ ୪୦ ଫୁଟ ଚଉଡ଼ା ଓ ୧୮ ଫୁଟ ଉଚ୍ଚ କରାଯିବା। ମନ୍ଦିର ପାଖ ରାସ୍ତା ଦୁଇପଟେ ଡ୍ରେନର ବ୍ୟବସ୍ଥା କରାଯିବା।

ଶ୍ରୀ ଲୋକନାଥ ମନ୍ଦିର ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଶୈବପୀଠ। ପୁରାଣ ଅନୁଯାୟୀ, ପ୍ରଭୁ ଶ୍ରୀରାମଚନ୍ଦ୍ର ମାତା ସୀତାଙ୍କ ଅନ୍ବେଷଣରେ ଆସି ଏଠାରେ ପ୍ରଭୁ ଲୋକନାଥ ସ୍ଥାପନା କରି ପୂଜାଅର୍ଚ୍ଚନା କରିଥିଲେ। ଶ୍ରୀ ଲୋକନାଥଙ୍କୁ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ରକ୍ଷକ ବୋଲି ବିଶ୍ଵାସ ରହିଛି ।

ପୁରୀ ଠାରୁ ୨୪ କି.ମି ଦୂରରେ ଥିବା ଅଲାରନାଥ ପୀଠ ପଞ୍ଚଦଶ ଓ ଷୋଡଶ ଶତାଦ୍ଦୀର ନିର୍ମିତ ହୋଇଥିବା ବିଶ୍ଵାସ କରାଯାଏ। ଶ୍ରୀ ଅଲାରନାଥଙ୍କୁ ଶ୍ରୀ ଜଗନ୍ନାଥଙ୍କର ପ୍ରତିରୂପ ବୋଲି ବିଶ୍ଵାସ ରହିଛି । ଶ୍ରୀ ଜଗନ୍ନାଥଙ୍କ ଅଣସର ସମୟରେ ଅଲାରନାଥ ଦର୍ଶନ ପାଇଁ ଭକ୍ତମାନେ ଆସିଥାନ୍ତି ।

Tags: #TempleRedevelopment #PuriTemple #NaveenPattanaik #SriLoknathTemple #SriAlarnathTemple #Puri

Comment