ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କଟକଣା ଭିତରେ ସୋମବାରଠାରୁ ରାଜ୍ୟରେ ଖୋଲିଛି ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ପର୍ଯ୍ୟଟନ କ୍ଷେତ୍ର ଏବଂ ପୁରୀ ସ୍ଵର୍ଗଦ୍ଵାର। କରୋନାର ଦ୍ଵିତୀୟ ଲହର ସଂକ୍ରମଣ ପାଇଁ ଦୀର୍ଘ ଦିନ ହେବ ସମସ୍ତ ଅନୁଷ୍ଠାନ ବନ୍ଦ ରହିଥିଲା। ବର୍ତ୍ତମାନ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ କରୋନା ସଂକ୍ରମଣ ହାର ତଳ ମୁହାଁ ହୋଇଥିବାରୁ ଧିରେ ଧିରେ ସମସ୍ତ ଅନୁଷ୍ଠାନ ଖୋଲିବାକୁ ଅନୁମତି ମିଳିଛି।ନବମ ଶ୍ରେଣୀ ଅଫଲାଇନ ପାଠ ପଢ଼ା ଆରମ୍ଭ

ଆଜିଠାରୁ ଆରମ୍ଭ ହୋଇଛି ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫଲାଇନ୍ ପାଠପଢା। ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହରେ ପାଠ ପଢ଼ୁଛନ୍ତି। ପୂର୍ବରୁ ଗାଇଡଲାଇନ ଅନୁସାରେ ସବୁ ସ୍କୁଲରେ ବ୍ୟବସ୍ଥା କରାଯାଇଥିଲା। କ୍ଲାସରୁମ୍‌ ସାନିଟାଇଜେସନ୍ ଓ ପିଲାଙ୍କ ପାଇଁ କରୋନା କଟକଣା ମାନିବା ବାଧ୍ୟତାମୂଳକ କରାଯାଇଛି।

କୌଣସି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ବାଧ୍ୟ କରାଯାଇନାହିଁ। ସମସ୍ତେ ନିଜ ନିଜ ଅଭିଭାବକଙ୍କ ଅନୁମତି ନେଇ ସ୍କୁଲ ଆସିଛନ୍ତି। ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫଲାଇନ ପାଠ ପଢା ଆରମ୍ଭ ହୋଇସାରିଛି।

ଶ୍ରେଣୀଗୃହରେ ଆରମ୍ଭ ହେଲା ୟୁଜି ଓ ପିଜି ପାଠ ପଢ଼ା

ଆଜିଠାରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି କଲେଜ ଖୋଲିଛି। ୟୁଜି ଓ ପିଜିର ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହରେ ଅଫଲାଇନ ଜରିଆରେ ଅଧ୍ୟୟନ କରୁଛନ୍ତି। ପିଜି ପ୍ରଥମ ବର୍ଷ ଏବଂ ୟୁଜି ପ୍ରି-ଫାଇନାଲ୍ ବର୍ଷର ଛାତ୍ରଛାତ୍ରୀମାନେ କଲେଜ ଏବଂ ବିଶ୍ଵବିଦ୍ୟାଳୟ ଯାଇ ପାଠ ପଢ଼ିବାକୁ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି। ଏଥିସହ ଛାତ୍ରଛାତ୍ରୀମାନେ ରହିବା ନିମନ୍ତେ ହଷ୍ଟେଲ ମଧ୍ୟ ଖୋଲିଛି।

ଅନ୍ୟପଟେ କଲେଜ ଖୋଲିବା ପୂର୍ବରୁ ଶ୍ରେଣୀଗୃହ ଏବଂ କଲେଜ ପରିସରକୁ ସାନିଟାଇଜ କରାଯାଇଥିଲା। କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀମାନଙ୍କୁ କରୋନା ଗାଇଡଲାଇନ ମାନିବାକୁ ବାଧ୍ୟତାମୂଳକ କରାଯାଇଛି। କରୋନା ସଙ୍କଟ ସମ୍ପୂର୍ଣ୍ଣ ରୂପେ ଟଳିନଥିବାରୁ କଲେଜମାନଙ୍କରେ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଆଇସୋଲେସନ ରୁମର ବ୍ୟବସ୍ଥା ମଧ୍ୟ କରାଯାଇଛି ।ଶ୍ରୀଜଗନ୍ନାଥଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ବହୁ ଦିନର ଅପେକ୍ଷା ପରେ ସୋମବାରଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ପୁରୀ ବାସିନ୍ଦା। ସକାଳୁ ସକାଳ ମନ୍ଦିର ଖୋଲିବା ପରେ ଭକ୍ତମାନେ ଧାଡ଼ିରେ ଯାଇ ପରିଚୟ ପତ୍ର ଦେଖାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। କୋଭିଡ ଗାଇଡଲାଇନରେ ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିପରି ଅଗଷ୍ଟ ୨୩ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ଅନୁମତି ମିଳିବ। ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଭକ୍ତମାନେ ଦର୍ଶନ କରିପାରିବେ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତକୁ ୯୬ ଘଣ୍ଟା ପୂର୍ବର ଆରଟିପିସିଆର୍‌ ରିପୋର୍ଟ କିମ୍ବା ଦୁଇଟି୍‌ ଡୋଜ୍‌ ଟିକା ନେଇଥିବାର ଆରଟିପିସିଆର୍‌ ରିପୋର୍ଟ ଦେଖାଇବାକୁ ପଡ଼ିବ।

ଅନ୍ୟପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କୁ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ କରିବାକୁ ଅନୁମତି ଦିଆଯାଇନାହିଁ। ଦର୍ଶନ ସମୟରେ କୋଭିଡ୍‌ ଗାଇଡଲାଇନକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ପ୍ରତି ଶନିବାର ଓ ରବିବାର ସାଧାରଣ ଦର୍ଶନ ବନ୍ଦ ରଖିବାକୁ କୁହାଯାଇଛି। ଏହାଛଡ଼ା ଜନ୍ମାଷ୍ଟମୀ, ଗଣେଷ ପୂଜା ଭଳି ବଡ଼ ବଡ଼ ପୂଜା ବେଳେ ଶ୍ରମିନ୍ଦର ଭିତରକୁ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଛି।ସ୍ଵର୍ଗଦ୍ଵାରରେ ବାହର ବାସିନ୍ଦାଙ୍କୁ ଅନୁମତି

ଆଜିଠୁ ପୁରୀ ସ୍ୱର୍ଗ ଦ୍ୱାରରେ ବାହାର ବାସିନ୍ଦାଙ୍କୁ ଶବ ସତ୍କାର ପାଇଁ ଅନୁମତି ମିଳିଛି। ଏ ନେଇ ପୁରୀ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ ସ୍ୱର୍ଗଦ୍ୱାର ଭିତରକୁ ସର୍ବାଧିକ ୧୦ଜଣଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ। ଏଥିସହ ମୃତକଙ୍କ କୋଭିଡ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଶବଦାହ ପାଇଁ ଆସିଥିବା ବ୍ୟକ୍ତି କୋଭିଡ ସଂକ୍ରମିତ ହୋଇନଥିବେ। ଶବ ସତ୍କାର ପାଇଁ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କୋଭିଡ ମାର୍ଗଦର୍ଶିକା ପାଳନ କରିବାକୁ ପଡ଼ିବ। ଯଦି କେହି ନ ମାନନ୍ତି, ତେବେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୁରୀ ସହରରେ କୋଭିଡ ସଂକ୍ରମଣ ହାର ହ୍ରାସ ପାଇଥିବାରୁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି।ନନ୍ଦନକାନନରେ ଆଜିଠୁ ଗଡ଼ିବ ସଫାରି ବସ୍

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ନନ୍ଦନକାନନରେ ଆଜିଠୁ ଗଡ଼ିବ ସଫାରି ବସ୍। ୯ନମ୍ବର ଗେଟ ପାଖରେ ଥିବା ନୂତନ ସଫାରି ବସ୍‌ ଷ୍ଟାଣ୍ଡ ଠାରେ ଟିକେଟ କରି ୪ଟି ସଫାରିର ମଜା ନେଇପାରିବେ ପର୍ଯ୍ୟଟକ। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତି ଟିକେଟ୍ ପିଛା ୬୦ଟଙ୍କା ଲେଖାଏଁ ଧାର୍ଯ୍ୟ କରାଯାଇଛି। ପ୍ରଥମେ ୩୪ ଟି ସିଟ ବିଶିଷ୍ଟ ୨ଟି ସଫାରି ବସ୍‌କୁ ଚାଲୁ କରାଯିବ।

Comment