ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ଶ୍ରୀମନ୍ଦିର ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇ ଶ୍ରୀମନ୍ଦିର ସଂରକ୍ଷଣ ପାଇଁ ୫ବର୍ଷୀୟା ଯୋଜନା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ସେବାୟତମାନଙ୍କୁ ଘର ଯୋଗାଇ ଦେବା, ଆସନ୍ତା ବର୍ଷଠାରୁ ଶ୍ରୀମନ୍ଦିର ଗୁରୁକୁଳ ବ୍ୟବସ୍ଥା ଆରମ୍ଭ, ମାଗଣାରେ ଶ୍ରଦ୍ଧାଳୁଙ୍କୁ ରଥ ଚକ ଦେବା ନେଇ ମଧ୍ୟ ଆଲୋଚନା ହୋଇଯାଇଛି।

ଗୁରୁବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର, ଗଜପତି ମହାରାଜା ଦିବ୍ୟସିଂହ ଦେବ, ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।ଶ୍ରୀମନ୍ଦିର ସଂରକ୍ଷଣ ପାଇଁ ୫ବର୍ଷୀୟା ଯୋଜନା

ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ବା ମରାମତି ପାଇଁ ୫ବର୍ଷୀୟା ସଂରକ୍ଷଣ ଯୋଜନା କରାଯାଇଛି। ଏହି ସଂରକ୍ଷଣ ନେଇ ଏଏସଆଇଠାରୁ ପ୍ଲାନ ଆହ୍ଵାନ କରାଯିବ। ଏହି ପ୍ରସଙ୍ଗରେ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇ ମିଳିତ ନିଷ୍ପତ୍ତି ନେବେ। ଏଥିପାଇଁ ଅଧିକ ଅର୍ଥର ଆବଶ୍ୟକ ପଡ଼ିଲେ ତାହା ରାଜ୍ୟ ସରକାର ବହନ କରିବେ। ଆଜି ପରିଚାଳନା ବୈଠକ ସମାପ୍ତ ହେବାପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର।

ସେବାୟତଙ୍କୁ ମିଳିବ ଘର

ଏଣିକି ସେବାୟତଙ୍କୁ ଯୋଗାଇ ଦିଆଯିବ ଘର। ଏଥିପାଇଁ ପ୍ରଥମେ ସେବାୟତଙ୍କଠାରୁ ଆବେଦନପତ୍ର ଗ୍ରହଣ କରାଯିବ। ପରେ ଏହାକୁ ବିଚାରକୁ ନିଆଯାଇ ଘର ନିର୍ମାଣ ପାଇଁ ପ୍ଲଟ ଯୋଗାଇ ଦିଆଯିବ। ଘର ତିଆରି କରିବାକୁ ପ୍ରତି ପରିବାର ପିଛା ୨ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ଦିଆଯିବ। ଏନେଇ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ନିଷ୍ପତ୍ତି ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୪ଶହ ସେବାୟତ ଉପକୃତ ହେବେ। ଘର ନିର୍ମାଣ ପାଇଁ ୮ଏକର ଜମିରେ ବ୍ୟବସ୍ଥା କରାଯିବ। ପ୍ରତି ପରିବାର ପିଛା ୬ଶହ ବର୍ଗଫୁଟ ଭାଗ ପଡ଼ିବ।

ଆସନ୍ତା ଶିକ୍ଷା ବର୍ଷଠାରୁ ଶ୍ରୀମନ୍ଦିର ଗୁରୁକୁଳ ବ୍ୟବସ୍ଥା

ଆସନ୍ତା ଶିକ୍ଷା ବର୍ଷଠାରୁ ଶ୍ରୀମନ୍ଦିର ଗୁରୁକୁଳ ବ୍ୟବସ୍ଥା ଆରମ୍ଭ ହେବ। ଏଥିପାଇଁ ଏକ ଆଦର୍ଶ ଗୁରୁକୁଳ ସୋସାଇଟି ଗଠନ କରାଯିବ। ଉକ୍ତ ସୋସାଇଟିର ଅଧ୍ୟକ୍ଷ ଗଜପତି ମହାରାଜା ଏବଂ ବିଶିଷ୍ଟ ବ୍ୟକ୍ତିମାନେ ରହିବେ। ମାଟିତୋଟାର ପ୍ରାୟ ୧୭ଏକର ଜମିରେ ଏହି ଗୁରୁକୁଳ ନିର୍ମାଣ ହେବ। ଏଥିପାଇଁ ଏକ ସ୍ଵତନ୍ତ୍ର ପାଣ୍ଠି ଗଠନ କରାଯିବ ଏବଂ ଏହି ପାଣ୍ଠିକୁ ସମସ୍ତ ଅର୍ଥ ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ।ଏଣିକି ଶ୍ରଦ୍ଧାଳୁଙ୍କୁ ମାଗଣାରେ ମିଳିବ ରଥ ଚକ

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ସରିବା ପରେ ଆଗ୍ରହୀ ଶ୍ରଦ୍ଧାଳୁଙ୍କୁ ମାଗଣାରେ ରଥ ଚକ ଦିଆଯିବ। ଏକ ସବକମିଟି ଏହାର ଦାୟିତ୍ଵ ନେବେ। କେଉଁ ବ୍ୟକ୍ତି ବା ଅନୁଷ୍ଠାନକୁ ଚକ ଦିଆଯିବ, ତାହା କମିଟି ଦ୍ଵାରା ଚୟନ କରାଯିବ। ଯଦି ଚକ ନେବାପାଇଁ ଅଧିକ ଆବେଦନକାରୀ ହୁଅନ୍ତି, ତେବେ ସେହି କ୍ଷେତ୍ରରେ ଲଟେରୀ ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Comment