ଓଡ଼ିଶାଲାଇଭ୍ ବ୍ୟୁରୋ

ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ପାଇଁ ସମସ୍ତେ ଦାନ ଦେଉଛନ୍ତି । ଏହାରି ମଧ୍ୟରେ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏକ ଅପିଲ କରାଯାଇଛି, ‘ମନ୍ଦିରକୁ ଦାନରେ ରୂପା ଇଟା ଦିଅନ୍ତୁ ନାହିିଁ’ । ରୂପା ରଖିବା ପାଇଁ ବ୍ୟାଙ୍କରେ ଥିବା ଲକ୍‌ର ଫୁଲ ହୋଇଯାଇଛି ଦର୍ଶାଇ ଶ୍ରଦ୍ଧାଳୁଙ୍କୁ ରୂପା ଇଟା ଦାନ ଦେବାକୁ ମନା କରାଯାଇଛି ।

ଏଥିସହ ମନ୍ଦିର ପାଇଁ ୪୦୦ କିଲୋଗ୍ରାମରୁ ଅଧିକ ରୂପା ଗଚ୍ଛିତ ଥିବା ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି ।

“ମନ୍ଦିର ନିର୍ମାଣରେ ବ୍ୟବହାର ପାଇଁ ଦେଶର ସମସ୍ତ ସ୍ଥାନରୁ ଶ୍ରଦ୍ଧାଳୁମାନେ ବହୁମାତ୍ରାରେ ରୂପା ଇଟା ପଠାଉଛନ୍ତି । ବର୍ତ୍ତମାନ ମନ୍ଦିର ଟ୍ରଷ୍ଟ ପାଖରେ ଅନେକ ରୂପା ଇଟା ଅଛି, ଯାହାଦ୍ୱାରା ସେହି ରୂପାକୁ ସୁରକ୍ଷିତ ରଖିବା ଟ୍ରଷ୍ଟିଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି”, କହିଛନ୍ତି ରାମ ମନ୍ଦିର ଟ୍ରଷ୍ଟ ସଦସ୍ୟ ଡକ୍ଟର ଅନୀଲ ମିଶ୍ର ।

ରାମ ଭକ୍ତଙ୍କ ମନୋଭାବକୁ ଟ୍ରଷ୍ଟ ସମ୍ମାନ କରୁଛି କିନ୍ତୁ ଏବେ ସମସ୍ତ ଲକ୍‌ର ଫୁଲ ରହିଛି । ଯଦି ଭବିଷ୍ୟତରେ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ରୂପା ଇଟା ଦରକାର ପଡ଼େ, ତେବେ ମନ୍ଦିର କର୍ତ୍ତୁପକ୍ଷ ଜଣାଇଦେବେ କହିଛନ୍ତି ଡକ୍ଟର ମିଶ୍ର । ବର୍ତ୍ତମାନ ସୁଦ୍ଧା ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୧୬ ଶହ କୋଟି ଟଙ୍କାର ଦାନ ସଂଗ୍ରହ କରାଯାଇଛି ।

Comment