ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଅଯୋଧ୍ୟାର ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏହି ଅବସରରେ ସାରା ଅଯୋଧ୍ୟା ନଗରୀ ଉତ୍ସବମୁଖର ହୋଇଉଠିଛି। ଏଠାକୁ ଦେଶର କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟିଛି। ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସମସ୍ତଙ୍କ ମଧ୍ୟରେ ଶ୍ରଦ୍ଧା, ଭକ୍ତି ଓ ଉତ୍ସାହ ଭରି ରହିଛି। ସମସ୍ତେ ଉତ୍କଣ୍ଠାର ସହ ସେ ଶୁଭ ମୂହୁର୍ତ୍ତକୁ ଅପେକ୍ଷା କରି ରହିଛନ୍ତି।

ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ସୋମବାର ମଧ୍ୟାହ୍ନ ୧୨ଟା ୨୦ ମିନିଟରେ ଆରମ୍ଭ ହେବ। ୧୨ଟା ୨୯ ମିନିଟ ୦୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ପର୍ଯ୍ୟନ୍ତ ଶୁଭ ମୁହୂର୍ତ୍ତ ରହିଛି। ତେଣୁ ଏହି ୮୪ ସେକେଣ୍ଡ ମଧ୍ୟରେ ପ୍ରାଣ ପ୍ରତିଷ୍ଠାର ନୀତିକାନ୍ତି ଶେଷ ହେବ।

ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଦେଶ ବିଦେଶର ପ୍ରାୟ ୮ ହଜାର ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥ, ଅନେକ ମନ୍ଦିରର ପ୍ରତିନିଧି, ଫିଲ୍ମ ଓ କ୍ରୀଡ଼ା ଜଗତର ସେଲିବ୍ରେଟି ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ଅଯୋଧ୍ୟାରେ ଏକତ୍ରିତ ହୋଇଛନ୍ତି।

ସେହିପରି ଏହି ବିଶାଳ ସମାରୋହ ପାଇଁ ରାମ ମନ୍ଦିରକୁ ଅନେକ ପ୍ରକାର ଫୁଲରେ ସଜ୍ଜା ଯାଇଛି। ଏହାଦ୍ଵାରା ରାମ ଜନ୍ମଭୂମିର ରୂପରେଖ ବଦଳିଯାଇଛି। ଏହାସହ ମନ୍ଦିର ବାହାରେ ସାଂସ୍କୃତିକ ନାଚ ଗୀତର ଆସର ଜମିଛି। ରାମନାମରେ ଆତ୍ମବିଭୋର ହୋଇ ନୃତ୍ୟ କରୁଛନ୍ତି ଅନେକ ନୃତ୍ୟଶିଳ୍ପୀ। ସମଗ୍ର ପରିବେଶ ରାମମୟ ହୋଇଯାଇଛି।

ଅନ୍ୟପଟେ ଏହି ଉତ୍ସବ ପାଇଁ ଅଯୋଧ୍ୟା ପୋଲିସ ଛାଉଣିରେ ପରିଣତ ହୋଇଛି। ଏଠାରେ ପ୍ରାୟ ୧୪ ହଜାର ପୋଲିସ ନିୟୋଜିତ ହୋଇଛନ୍ତି। ଏହାସହ ସମଗ୍ର ସହରରେ ଏସପିଜି, ଏନଏସଜି ଓ ଏନଡିଆରଏଫର ଯବାନମାନେ ମଧ୍ୟ ନିୟୋଜିତ ହୋଇଛନ୍ତି। 

ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଜାନୁଆରି ୧୬ରୁ ସ୍ୱତନ୍ତ୍ର ଅନୁଷ୍ଠାନ ଆରମ୍ଭ ହୋଇଥିଲା। ଏଥିରେ ଅନେକ ରୀତିନୀତି ସହ ୧୦୮ କଳସ ଜଳରେ ପ୍ରଭୁ ରାମଚନ୍ଦ୍ରଙ୍କୁ ସ୍ନାନ କରାଯାଇଥିଲା। ପ୍ରାଣ ପ୍ରତିଷ୍ଠା ସହ ଏଠାରେ ଏହି ସବୁ ଧାର୍ମିକ କାର୍ଯ୍ୟକ୍ରମର ସମାପନ ହେବ।

ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସରିବା ପରେ ଅପରାହ୍ଣ ୧ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆରଏସଏସ୍‌ ପ୍ରମୁଖ ମୋହନ ଭାଗବତ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରିବେ।  

Tags: #RamTemple #PranPratistha #LordSriRam #Ayodhya #ରାମମନ୍ଦିର #ଅଯୋଧ୍ୟା #ପ୍ରଭୁଶ୍ରୀରାମ

Comment