ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅଯୋଧ୍ୟା ଗସ୍ତ କରିଛନ୍ତି। ଏହି ଗସ୍ତରେ ସେ ଅଯୋଧ୍ୟାରେ ନୂଆ ବିମାନବନ୍ଦର ଓ ରେଳ ଷ୍ଟେସନର ଉଦଘାଟନ କରିଛନ୍ତି। ଏହାସହ ଜାନୁଆରି ୨୨ ତାରିଖରେ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସେ ସହରରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଥିଲେ।

ପ୍ରଧାନମନ୍ତ୍ରୀ ଶନିବାର ସକାଳ ୧୧ଟା ବେଳେ ଅଯୋଧ୍ୟାରେ ପହଞ୍ଚିଥିଲେ। ପ୍ରଥମେ ସେ ଏକ ବଡ଼ ଶୋଭାଯାତ୍ରା କରିଥିଲେ। ଏଥିରେ ରାସ୍ତାର ଉଭୟ ପାର୍ଶ୍ୱରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏହାପରେ ସେ ଅଯୋଧ୍ୟା ରେଳ ଷ୍ଟେସନରେ ପହଞ୍ଚିଥିଲେ।

ଅଯୋଧ୍ୟା ରେଳ ଷ୍ଟେସନର ନବନିର୍ମିତ ଟର୍ମିନାଲ ବିଲ୍ଡିଂକୁ ପ୍ରଧାନମନ୍ତ୍ରୀ ଲୋକର୍ପଣ କରିଥିଲେ। କେନ୍ଦ୍ର ସରକାର ୨୪୦ କୋଟି ଟଙ୍କା ଖର୍ଚ୍ଚ କରି ଏହି ଷ୍ଟେସନର ପୁନର୍ବିକାଶ କରିଛନ୍ତି। ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ପାଇଁ ଲିଫ୍ଟ, ଏସକେଲେଟର, ଫୁଡ୍ ପ୍ଲାଜା ଓ ବିଶ୍ରାମଗାର ଆଦି ସୁବିଧାର ବିକାଶ କରାଯାଇଛି। ଏହାପରେ ସେ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ଦୁଇଟି ୨ଟି ନୂଆ ଅମୃତ ଭାରତ ଏବଂ ୬ଟି ବନ୍ଦେ ଭାରତ ଟ୍ରେନକୁ ମଧ୍ୟ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

“ଆମ ଐତିହ୍ୟ ଆମକୁ ସବୁବେଳେ ପ୍ରେରଣା ଦେଇଥାଏ। ଅଯୋଧ୍ୟାର ସଂସ୍କୃତି ଓ ଇତିହାସ ସହ ସାରା ଦେଶ ପରିଚିତ। ଏବେ ଏଠାରେ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଆମେ ଏହି ପ୍ରାଚୀନ ନଗରୀର ପୁରୁଣା ପରିଚୟ ଫେରାଇ ଆଣିବାକୁ ସବୁ ଉଦ୍ୟମ କରୁଛୁ”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।   

ସେ ଆହୁରି ମଧ୍ୟ କହିଛନ୍ତି, “ଜାନୁଆରୀ ୨୨ରେ ହେବାକୁଥିବା ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଏକ ଐତିହାସିକ ମୁହୂର୍ତ୍ତ ହେବାକୁ ଯାଉଛି। ସବୁ ଦେଶବାସୀ ଏହାକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ଭାରତର କଲ୍ୟାଣ ହେବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି।”    

ଷ୍ଟେସନର ଉଦଘାଟନ କରିବାପରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ବିମାନବନ୍ଦରକୁ ଯାଇ ଏହାର ଉଦଘାଟନ କରିଥିଲେ। ଏହାକୁ ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନବନ୍ଦର ଭାବେ ନାମିତ କରାଯାଇଛି। ଏହାର ନିର୍ମାଣରେ ପ୍ରାୟ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଠାରୁ ଜାନୁଆରି ମାସରେ ଦେଶର ବିଭିନ୍ନ ସହରକୁ ବିମାନ ଚଳାଚଳ କରିବ।

ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ୧୫ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ। ଏହାସହ ସହରରେ ବର୍ତ୍ତମାନ ଚାଲୁଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଥିଲେ।

ଏହିସବୁ ପ୍ରକଳ୍ପର ଉଦଘାଟନୀ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ।

Tags: #PrimeMinisterofIndia #NarendraModi #AyodhyaVisit #RamTemple #DevelopmentProjects

Comment