ଓଡ଼ିଶାଲାଇଭ୍ ବ୍ୟୁରୋ

ରାମ ନଗରୀ ଅଯୋଧ୍ୟାରେ ଦୀପାବଳି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏବର୍ଷ ଦୀପାବଳିକୁ ଭବ୍ୟ କରିବା ପାଇଁ ଉତ୍ତରପ୍ରଦେଶ ସରକାର ୫ ଲକ୍ଷ ଦୀପ ଜାଳିବାକୁ ଅବଧ ବିଶ୍ଵବିଦ୍ୟାଳୟକୁ ଦାୟିତ୍ଵ ଦେଇଛନ୍ତି। ଏଥିପାଇଁ ବିଶ୍ଵବିଦ୍ୟାଳୟ ୬ ଲକ୍ଷ ଦୀପ କିଣିବାର ଟେଣ୍ତର ବି କରିସାରିଛି। ନଭେମ୍ଵର ୧୧ରୁ ୧୩ ତିନିଦିନ ଧରି ଅଯୋଧ୍ୟାରେ ପାଳନ ହେବାକୁ ଥିବା ଦୀପାବଳି କାର୍ଯ୍ୟକ୍ରମ ପାଇଁ ସ୍ଥାନ ନିରୁପଣ ଶେଷ ହୋଇସାରିଛି।

ଦୀପାବଳି ପାଳନ ସମୟରେ କୋଭିଡ ଗାଇଡଲାଇନର ଯେପରି ଉଲ୍ଲଂଘନ ନହୁଏ ସେଥିପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଉଛି। ସାମାଜିକ ଦୂରତା ରଖି ଦୀପ ସଜାଇବା କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବର୍ଷ ଦୀପାବଳିକୁ ଗିନିଜ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ଦେବା ପାଇଁ ପ୍ରଶାସନ ମନସ୍ତ କରିଛି। ତେଣୁ ଦୀପଗୁଡ଼ିକ ଯେପରି ଅଧିକ ସମୟ ଜଳିବ ସେଥିପାଇଁ ପ୍ରଶାସନ ବିଶେଷ ଧ୍ୟାନ ଦେଉଛି।

ଗିନିଜ ବୁକର ରେକର୍ଡ ଅନୁସାରେ ଦୀପଗୁଡ଼ିକୁ ଅତି କମ୍‌ରେ ୩୫ରୁ ୪୦ ମିନିଟ୍ ପର୍ଯ୍ୟନ୍ତ ଜଳିବାକୁ ପଡ଼ିବ। ତେଣୁ ଦୀପଗୁଡ଼ିକ ଯେପରି ଅଧିକ ସମୟ ଜଳିବ ସେଥିପାଇଁ ବଡ଼ ଏବଂ ସାମନ ଆକାରର ଦୀପ ବ୍ୟବହାର କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି। ଏହି ଦୀପ ସବୁକୁ ଜଳାଇବା ପାଇଁ ଅବଧ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମେତ ଡିଗ୍ରୀ ଏବଂ ଇଣ୍ଟର କଲେଜରୁ ପାଖାପାଖି ୮୦୦୦ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯାଉଛି।

କୋଭିଡ ଗାଇଲାଇନ ଅନୁସାରେ ସାମାଜିକ ଦୂରତା ସହ ସେମାନେ ଯେପରି ଦୀପ ଜାଳିବେ ସେଥିପ୍ରତି ପ୍ରଶାସନ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଉଛି। ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଵତନ୍ତ୍ର ପରିଚୟପତ୍ରର ମଧ୍ୟ ବ୍ୟବସ୍ଥା କରାଯାଇଛି।

ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ହେବା ପରଠାରୁ ପ୍ରତିବର୍ଷ ଦୀପାବଳିକୁ ବହୁ ଆଡ଼ମ୍ଵରରେ ପାଳନ କରାଯାଉଥିବା ଦେଖିବାକୁ ମିଳୁଛି।

Comment