ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋଟିଏ ଜାଗାରେ ଓଡ଼ିଶା ହସ୍ତକଳା ଏବଂ ହସ୍ତତନ୍ତର ସମ୍ଭାର। ତା’ ସାଙ୍ଗକୁ ଭଳିକି ଭଳି ସୁଆଦିଆ ଖାଦ୍ୟ । ସମ୍ବଲପୁରୀ, ବ୍ରହ୍ମପୁରୀ ଏବଂ ମାଣିଆ ବନ୍ଧ ଭଳି ହସ୍ତତନ୍ତ ଶାଢ଼ି ସହ ମିଳୁଛି ଓଡ଼ିଆ କାରିଗରଙ୍କ ହାତ ତିଆରି ଜିନିଷ। ଏଭଳି ପସରା ମେଲାଇ ଲୋକଙ୍କୁ ଆକର୍ଷିତ କରୁଛି ଭୁବନେଶ୍ୱରର ଏକାମ୍ର ହାଟ।

ସହରୀ ଲୋକଙ୍କୁ ଗାଁର ଛୁଙ୍କ ଦେବା ପାଇଁ ଏକାମ୍ର ହାଟର ପରିକଳ୍ପନା କରାଯାଇଥିଲା। ୨୦୦୨ରେ ଏହି ହାଟକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ଏହି ହାଟକୁ ପୁଣିଥରେ ନୂଆ ରୂପ ଦିଆଯାଇଛି। ଫଳରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଲୋକ ଗୋଟିଏ ସ୍ଥାନରୁ ହିଁ ଓଡ଼ିଶାର କାଳ ସଂସ୍କୃତିର ଝଲକ ଦେଖିବାକୁ ପାଉଛନ୍ତି। ଏହା ସହ ଓଡ଼ିଆ ଖାଦ୍ୟ, ବସ୍ତ୍ର ଏବଂ କାରୁକାରର୍ଯ୍ୟର ନମୁନା ଦେଖିପାରୁଛନ୍ତି।

କେବଳ ସେତିକି ନୁହେଁ, ଏଠାରେ ଏକ ମୁକ୍ତାକାଶ ରଙ୍ଗମଞ୍ଚ ମଧ୍ୟ ରହିଛି। କିନ୍ତୁ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଠାରେ ଏବେ  ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଯାଇଛି।

“ଭୁବନେଶ୍ଵର ବିମାନ ବନ୍ଦରରେ ଓହ୍ଲାଇବା ପରେ ଗୋଟିଏ ଲକ୍ଷ୍ୟ ଥିଲା ସବୁ କାମ ଶେଷ କରି ଓଡ଼ିଶାର ଏପରି ଏକ ସ୍ଥାନକୁ ଯିବାକୁ ଯେଉଁଠାରେ ହସ୍ତତନ୍ତ ଏବଂ ହସ୍ତକଳା ସାମଗ୍ରୀ ମିଳିପାରିବ। ଜଣେ ବନ୍ଧୁ ଏକାମ୍ର ହାଟକୁ ଯିବା ପାଇଁ ପରାମର୍ଶ ଦେଇଥିଲେ। ଏଠାକୁ ଆସିଲା ପରେ ବହୁ ଖୁସି ଲାଗୁଛି। ହାଟରେ ଖୁବ ସୁନ୍ଦର ସୁନ୍ଦର ଘର ସଜ୍ଜା ସାମଗ୍ରୀ ରହିଛି। ସବୁଠାରୁ ବଡ଼ କଥା ହେଲା ଏଠାରେ ମିଳୁଥିବା ସମସ୍ତ ସାମଗ୍ରୀ ପରିବେଶ ଉପଯୋଗୀ”, କହିଛନ୍ତି ଦିଲ୍ଲୀରୁ ଆସିଥିବା ପର୍ଯ୍ୟଟକ ଅରୁଣ ତିଓ୍ଵାରୀ।

ଏକାମ୍ର ହାଟ ୫୦ଟି ଷ୍ଟଲକୁ ନେଇ ଚାଲିଥିଲା। ନୂଆ ରୂପ ପାଇବା ପରେ ଏଥିରେ ଏବେ ଆଉ ୩୩ଟି ଷ୍ଟଲକୁ ଯୋଡ଼ାଯାଇଛି। ଏଠାରେ ମିଶନ ଶକ୍ତି, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜ ସାମଗ୍ରୀ ଆଣି ବିକ୍ରି କରୁଛନ୍ତି।  ଏହାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓଡ଼ିଶା ଗ୍ରାମ୍ୟ  ଉନ୍ନୟନ ଓ ବପଣନ ସମିତି (ଓରମାସ) ସହିତ ଯୋଡ଼ାଯାଇଛି।

ପୂର୍ବରୁ ଏକାମ୍ର ହାଟର ରକ୍ଷଣା ବେକ୍ଷଣ ଦାୟିତ୍ୱ ଇଡକୋ ହାତରେ ଥିଲା। ଏବେ ଏହାର ସୌନ୍ଦର୍ଯ୍ୟକରଣ କରାଯିବା ପରେ ଏହି ଦାୟିତ୍ୱ ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନଶିଳ୍ପ ବିଭାଗକୁ ହସ୍ତାନ୍ତର କରାଯାଇଛି। ସେହିପରି ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନକୁ (ସିଡାକ) ହାଟର ପରିଚାଳନା ଦାୟିତ୍ୱ ଦିଆଯାଇଛି।

‘‘ଏକାମ୍ର ହାଟ ଯୋଗୁଁ ରାଜ୍ୟ କଳା, ସଂସ୍କୃତି ଏବଂ ଉନ୍ନତମାନର କାରିଗରୀ କୌଶଳର ବ୍ୟାପକ ପ୍ରଚାର ପ୍ରସାର ହୋଇପାରୁଛି। ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଆସୁଛନ୍ତି। ଏହାଦ୍ୱାରା ଓଡ଼ିଶାର କାରିଗରୀ ବିଶ୍ୱ ଦରବାରରେ ପହଞ୍ଚୁଛି’’, କହିଛନ୍ତି ହସ୍ତଶିଳ୍ପ ନିର୍ଦ୍ଦେଶକ ସନାତନ ନାୟକ।

ସେହିପରି ଆଉ ଜଣେ ପର୍ଯ୍ୟଟକ ଆର୍ଯ୍ୟା ଜାନ କହିଛନ୍ତି ‘‘ଏଠାରେ ବହୁତ ସୁନ୍ଦର ସୁନ୍ଦର ହାତ ତିଆରି ସାମଗ୍ରୀ ଦେଖିଲୁ। ଏଠାରୁ ଆମେ ବହୁତ ଘରକରଣା ସାମଗ୍ରୀ କିଣାକିଣି ମଧ୍ୟ କରିଛୁ। ପରିବାର ସହିତ ବୁଲି ଆସିବା ପାଇଁ ଏହା ଏକ ଭଲ ସ୍ଥାନ’’।

“ଭୁବନେଶ୍ୱରରେ ଅନେକ ହାଟ ରହିଛି କିନ୍ତୁ ଏକାମ୍ର ହାଟ ନିଆରା। ଏହାର ବିଶେଷତ୍ଵ ହେଉଛି ଯେଉଁ ସବୁ ଛୋଟ ଛୋଟ କଳାକାର ଏବଂ ଶିଳ୍ପୀମାନେ ନିଜ ହସ୍ତକଳା ଓ ଅନ୍ୟାନ୍ୟ ସାମଗ୍ରୀ ଉତ୍ପାଦନ କରୁଛନ୍ତି ସେସବୁ ସାମଗ୍ରୀ ଏଠାରେ ବିକ୍ରି କରି ରୋଜଗାର କରିବାକୁ ସୁଯୋଗ ମିଳୁଛି। ସେମାନେ ଏହିଭଳି ହାଟଗୁଡ଼ିକରୁ ବିଶେଷ ଭାବେ ଉପକୃତ ହୋଇପାରୁଛନ୍ତି”, କହିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଲେଖକ ଅସିତ ମହାନ୍ତି।

ଏକାମ୍ର ହାଟରେ ପ୍ରାୟ ୮୦ରୁ ଅଧିକ ଷ୍ଟଲ ରହିଛି। ଏହି ଷ୍ଟଲଗୁଡ଼ିକରେ ବିଭିନ୍ନ ଶାଢ଼ି, ଚିତ୍ରକଳା, ପଟ୍ଟଚିତ୍ର, ବାଉଁଶ ତିଆରି ସାମଗ୍ରୀ, ମାଟି ତିଆରି, କାଠରେ ତିଆରି ବିଭିନ୍ନ ଆକର୍ଷଣୀୟ ଜିନିଷ ବିକ୍ରି ହେଉଛି।

“ଆଗ ଅପେକ୍ଷା ବର୍ତ୍ତମାନ ଟେରାକୋଟା ଜିନିଷର ଚାହିଦା ବଢ଼ିଛି। ଲୋକମାନେ ଏହାକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି। ମାଟି ତିଆରି ଜିନିଷ ପ୍ରତି ଲୋକଙ୍କ ଆଗ୍ରହ ଦେଖିବାକୁ ମିଳିଛି। ଏଠାରେ ମାଟିର, କପ୍, ଗ୍ଲାସ, ଦହିହାଣ୍ଡି, ମାଂସହାଣ୍ଡି, କଢ଼େଇ, ଦୀପ ଏବଂ ମାଟି ବୋତଲ ଆଦିର ଚାହିଦା ରହିଛି। ଆସୁଥିବା ପର୍ଯ୍ୟଟକ ଏ ସବୁ ଜିନିଷକୁ ଦେଖି ପସନ୍ଦ କରୁଛନ୍ତି ଏବଂ କିଣୁଛନ୍ତି”, କହିଛନ୍ତି ଜଣେ ବ୍ୟବସାୟୀ ଅର୍ଜୁନ ରଣା।

ଏକାମ୍ର ହାଟ ଭିତରେ ୧୦ଟି ଫୁଡ ଷ୍ଟଲ ରହିଛି। ସେଥିରେ ଓଡ଼ିଆ ଖାଦ୍ୟ ସହ ବିଭିନ୍ନ ବିଦେଶୀ ଖାଦ୍ୟ ମିଳୁଛି। ଭାତ, ଚକୁଳି, ମଟନ ଚିକେନ, କଙ୍କଡ଼ା, ଚିଙ୍ଗୁଡି, ଦହି ପଖାଳ, କଖାରୁ ଫୁଲ ପିଠା ଭଳି ଓଡ଼ିଆ ଖାଦ୍ୟ ଲୋକଙ୍କୁ ଏଠାକୁ ଟାଣି ଆଣୁଛି।

“ସନ୍ଧ୍ୟା ସମୟରେ ଏକାମ୍ର ହାଟରେ ବସି ସମୟ କାଟିବାକୁ ବହୁତ ଭଲ ଲାଗେ। ଏଠାକାର ପରିବେଶ ଶାନ୍ତି ଦିଏ। ସେଥିପାଇଁ ସାଙ୍ଗସାଥୀଙ୍କ ସହିତ ଆମେ ଏକାମ୍ର ହାଟ ଆସୁ’’, କହନ୍ତି ଅନ୍ୟ ଜଣେ ପର୍ଯ୍ୟଟକ କୁନାଲ ଗୋସାଇଁ।

Comment