ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ଦଖଲରେ ଏବେ ରାଜ୍ୟର ୩୦ଟି ଯାକ ଜିଲ୍ଲା ପରିଷଦ। ୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରି ଇତିହାସ ରଚିଛି ବିଜେଡି। ଜିଲ୍ଲା ପରିଷଦ ସଭାପତି ନିର୍ବାଚନରେ ବିଜୁ ଜନତା ଦଳ ସମସ୍ତ ଆସନରେ ବାଜିମାତ କରିଛି।
ଜିଲ୍ଲା ପରିଷଦ ସଭାପତି ପଦବୀ ପାଇଁ ଏକାଧିକ ଆଶାୟୀଙ୍କୁ ନେଇ ଦଳ ଅଡ଼ୁଆଡ଼େ ପଡ଼ିଥିଲେ ମଧ୍ୟ ନର୍ବାଚନ ପୂର୍ବରୁ ପରିସ୍ଥିତିକୁ ନିୟନ୍ତ୍ର କରିନେଇଥିଲା ବିଜେଡି । ଗୋଟିଏ ଦଳ ରାଜ୍ୟର ସମସ୍ତ ଜିଲ୍ଲା ପରିଷଦ ସଭାପତି ଆସନ ହାସଲ କରିଥିବା ଓଡ଼ିଶା ଇତିହାସରେ ପ୍ରଥମ ବୋଲି କୁହାଯାଉଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵଚ୍ଛ ଓ ନିର୍ମଳ ନେତୃତ୍ଵ ବିଜେଡିର ଏହି ବିଜୟର ମୁଖ୍ୟ କାରଣ ବୋଲି କୁହାଯାଉଛି। ପଞ୍ଚାୟତ ନିର୍ବାଚନରେ ରାଜ୍ୟବାସୀ ବିଜେଡି ସରକାର ଉପରେ ଭରସା କରିଥିବା ସ୍ପଷ୍ଟ ଜଣାପଡ଼ିଛି। ଖାସ୍ କରି ଉଚ୍ଚ ଶିକ୍ଷତ ଯୁବବର୍ଗଙ୍କ ଉପରେ ମୁଖ୍ୟମନ୍ତ୍ରୀ ଦେଖାଇ ଥିବା ଭରସା ଅତୁଟ ରହିଲା। ସମଗ୍ର ଦେଶରେ କୌଣସି ଏକ ଆଞ୍ଚଳିକ ଦଳ ଭାବେ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବାରେ ବିଜେଡି ସଫଳତା ହାସଲ କରିଛି।
ଯୁବ, ଶିକ୍ଷିତ ତଥା ଦଳର ଦକ୍ଷ କର୍ମୀଙ୍କୁ ଜିଲ୍ଲା ପରିଷଦର ସଭାପତି ଭାବେ ମନୋନୀତ କରିଛି ବିଜୁ ଜନତା ଦଳ। ସର୍ବ କନିଷ୍ଠ ଜିଲ୍ଲା ପରିଷଦ ସଭାପତି ଭାବେ ୨୩ ବର୍ଷ ବୟସ୍କା ସରସ୍ଵତୀ ମାଝିଙ୍କୁ ଚୟନ କରାଯାଇଛି। ଉଚ୍ଚ ଶିକ୍ଷିତା ସରସ୍ଵତୀ ମାଝି ରାୟଗଡ଼ା ଜିଲ୍ଲାର ବିକାଶ ନେତୃତ୍ଵ ନେବେ। ମାଲକାନଗିରିରେ ଜିଲ୍ଲା ପରିଷଦର ସଭାପତି ଭାବେ ସ୍ଵାଭିମାନ ଅଞ୍ଚଳର ସମାରୀ ଟାଙ୍ଗୁଲଙ୍କୁ ଚୟନ କରାଯାଇଛି। ସମ୍ବଲପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ବାମରା ବ୍ଲକରୁ ଆସିଥିବା କୁମୁଦିନି ନାୟକ ଜିଲ୍ଲା ପରିଷଦ ସଭାପତି ହୋଇଛନ୍ତି। ସ୍ଥାନୀୟ ଜିଲ୍ଲା ପରିଷଦ ସଭାପତିମାନଙ୍କ ନେତୃତ୍ଵରେ ଏହି ଅଞ୍ଚଳଗୁଡ଼ିକ ଆଗାମୀ ବର୍ଷରେ ଅଧିକ ବିକାଶମୂଳକ କାର୍ଯ୍ୟ କରିବ ବୋଲି ଆଶା ରହିଛି।
ଜିଲ୍ଲା ପରିଷଦ ପାଇଁ କୋରାପୁଟ, ମୟୂରଭଞ୍ଜ, କେନ୍ଦୁଝର ଏବଂ ପୁରୀରେ ବିରୋଧୀ ଦଳ ପ୍ରାର୍ଥୀ ଦେଇଥିଲା। କୋରାପୁଟରେ କଂଗ୍ରେସ ପ୍ରାର୍ଥୀଙ୍କୁ ୩ଟି ଭୋଟରେ ବିଜେଡି ପ୍ରାର୍ଥୀ ହରାଇଥିଲେ। ସେହିଭଳି ମୟୁରଭଞ୍ଜ ଜିଲ୍ଲାରେ ଜେଏମଏମ୍ ପ୍ରାର୍ଥୀଙ୍କୁ ୫୦ଟି ଭୋଟରେ ବିଜେଡି ପ୍ରାର୍ଥୀ ପରାଜୟ କରିଥିଲେ। ଏହା ସହ କେନ୍ଦୁଝରର ବିଜେପି ପ୍ରାର୍ଥୀଙ୍କୁ ୩୦ ଖଣ୍ଡ ଭୋଟ ଏବଂ ପୁରୀରେ ବିଜେପି ପ୍ରାର୍ଥୀଙ୍କୁ ୨୭ ଖଣ୍ଡ ଭୋଟରେ ହରାଇଥିଲେ ବଜେଡି ପ୍ରାର୍ଥୀ। ଅନ୍ୟ ୨୬ଟି ଜଲ୍ଲାରେ ବିଜେଡି ପ୍ରାର୍ଥୀମାନେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଥିଲେ।
ସମସ୍ତ ଜିଲ୍ଲା ପାଇଁ ବିଜେଡି ସଭାପତି ଗୋଟିଏ ନାମ ମନୋନୀତ କରିଥିଲେ। ନର୍ବାଚନ ପୂର୍ବରୁ ବଜେଡିର ଜିଲ୍ଲା ପରିଷଦ ସଦସ୍ୟମାନଙ୍କର ଏକ ବୈଠକ ଡକାଯାଇ ମନୋନୀତ କରାଯାଇଥିବା ନାମ ଘୋଷଣା କରାଯାଇଥିଲା। ଜିଲ୍ଲା ପରିଷଦ ସଭାପତି ମନୋନୟନ ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଭିନ୍ନ ଦିଗକୁ ଗୁରୁତ୍ଵ ଦେଇଥିଲେ। ଖାସ କରି ଯୁବ ବର୍ଗ ଏବଂ ମହିଳାଙ୍କୁ ସୁଯୋଗ ଦିଆଯାଇଛି। ୨୧ଟି ଜିଲ୍ଲାରେ ମହିଳା ଜିଲ୍ଲା ପରିଷଦ ଭାବେ ମନୋନୀତ ହୋଇଛନ୍ତି।
Tag: #Election #OdishaElection2022 #ZilaParisad #CMOdisha #NaveenPatnaik #BJD #BJP #Congress