ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୧୬ ତାରିଖଠାରୁ ରାଜ୍ୟରେ ଅସହ୍ୟ ତାତି ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଏହାର ମୁକାବିଲା ପାଇଁ ପରିବହନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏହା ଅନୁସାରେ ରାଜ୍ୟରେ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ ରହିବ। ଯାତ୍ରୀଙ୍କ ପାଇଁ ବସ୍ରେ ବିଶୁଦ୍ଧ ପାନୀୟ ଜଳ ଏବଂ ଓଆରଏସ ମହଜୁଦ ରଖାଯିବ। ସମସ୍ତ ବସଷ୍ଟପ୍ରେ ବିଶ୍ରାମଗାର ରହିବା ସହ ଜଳଛତ୍ର ଖୋଲାଯିବ। ବସରେ ଭିଡ଼ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଛି। ଜିଲ୍ଲାସ୍ତରୀୟ କଣ୍ଟ୍ରୋଲ ରୁମ୍ ଖୋଲାଯିବ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୧୬ ତାରିଖଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ। ଗରମରେ ଆଉଟୁପାଉଟୁ ହେଲେ ରାଜ୍ୟବାସୀ। ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରାରେ ବୃଦ୍ଧି ହେବ। ଓଡ଼ିଶା ମଧ୍ୟକୁ ପଶ୍ଚିମ-ଉତ୍ତର ଦିଗରୁ ଶୁଷ୍କ ଏବଂ ଉତ୍ତପ୍ତ ବାୟୁ ପ୍ରବାହ ଯୋଗୁଁ ତାତି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଗ୍ରୀଷ୍ମ ପ୍ରବାହ ନେଇ ୧୬ ତାରିଖ ବଲାଙ୍ଗର, ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲ୍ଲା ପାଇଁ ଏବଂ ୧୭ ତାରିଖ ୬ଟି ଜିଲ୍ଲା ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ହିଟଓ୍ଵେଭ୍ କଣ୍ଡିସନ୍ ସୃଷ୍ଟି ହେବାକୁ ଥିବାରୁ ଭୁବନେଶ୍ଵରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ଅଧିକ ରହିଛି। ୨୧ ଓ ୨୨ ତାରିଖ ବେଳକୁ ତାତି ୪୪ ଡିଗ୍ରୀ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
Tag: #Heatwave #Bus #MetrologyDepartment #YellowWarning