ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ମୋଟ ୧୦୬ଟି ପୌରପାଳିକା ଏବଂ ବିଜ୍ଞପିତ ଅଞ୍ଚଳ ଓ ୩ଟି ମହାନଗର ନିଗମରେ ନିର୍ବାଚନ ଲାଗି ମତଦାନ ଶେଷ ହୋଇଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ କରିଥିଲେ ସହରୀ ଭୋଟର। ୧୦୬ ପୌରପାଳିକା ଏବଂ ବିଜ୍ଞପିତ ଅଞ୍ଚଳରେ ପ୍ରାୟ ୬୫ ପ୍ରତିଶତ ମତଦାନ ହୋଇଛି।ଭୁବନେଶ୍ଵର ମହାନଗର ନିଗମରେ ୫୦ ପ୍ରତିଶତ ମତଦାନ ହୋଇଥିବାବେଳେ କଟକ ମହାନଗର ନିଗମରେ ୬୫ ପ୍ରତିଶତ ଏବଂ ବ୍ରହ୍ମପୁର ମହାନଗର ନିଗମରେ ୪୭ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଗୁରୁବାର ସନ୍ଧ୍ୟାରେ ସୂଚନା ଦେଇଛନ୍ତି।
ରାଜ୍ୟର ମାତ୍ର କିଛି ସ୍ଥାନକୁ ଛାଡ଼ିଦେଲେ ବାକି ସବୁ ମତଦାନ କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ ହୋଇଥିଲା। ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦର ୮ ନମ୍ବର ଓ୍ଵାର୍ଡରେ ଭୁଲ ବାଲାଟ ପେପର ପାଇଁ ନିର୍ବାଚନ ସ୍ଥଗିତ ରହିଛି। ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନର କହିଛନ୍ତି।
ସେହିପରି ଭଦ୍ରକ ଜିଲ୍ଲାର ଧାମନଗର ଏନଏସି ଏବଂ ଭଦ୍ରକ ମ୍ୟୁନିସିପାଲଟିର କିଛି ସ୍ଥାନରେ ନିର୍ବାଚନୀ ହିଂସା ଯୋଗୁଁ ମତଦାନ ବାଧା ପ୍ରାପ୍ତ ହୋଇଛି। ଏ ନେଇ ଜିଲ୍ଲା ପ୍ରଶାସନଙ୍କ ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ ଏହା ଉପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।
ରାଜ୍ୟର ପ୍ରାୟ ୪୦ ଲକ୍ଷ ୫୫ ହଜାରରୁ ଅଧିକ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ନିର୍ବାଚନ ପ୍ରକ୍ରିଆରେ ସାମିଲ ହୋଇଥିବା ପୋଲିଂ କର୍ମଚାରୀ, ପୋଲିସ, ଜିଲ୍ଲା ଏବଂ ପୋଲିସ୍ ପ୍ରଶାସନ, ବିଭିନ୍ନ ରାଜନୈତିକ ଦଳ ଗଣମାଧ୍ୟମ ପ୍ରତିନିଧି ଏବଂ ଓଡ଼ିଶାର ଭୋଟରଙ୍କୁ ଶେଷରେ ଧନ୍ୟବାଦ ଦେଇଛନ୍ତି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ।
Tags: #Elecetion #OdishaMunicipalELection #MunicipalElection2022 #MBC #CMC #BeMC #StateElectionCommission #AdityaPrasadPadhi