ଓଡ଼ିଶାଲାଇଭ୍ ସ୍ୱତନ୍ତ୍ର ପ୍ରତିନିଧି
ଭୁବନେଶ୍ୱର ସୌଭାଗ୍ୟ ନଗର ଅଞ୍ଚଳରେ ହର୍ଷପ୍ରିୟା (ଏଚପି) ସ୍କୋୟାର ଏବଂ ବମିଖାଲରେ ଶୁଭମ ମିଡଟାଉନ ଆପାର୍ଟମେଣ୍ଟ ପ୍ରକଳ୍ପକୁ ନେଇ ଅଡୁଆ!
ଭୁବନେଶ୍ଵରରେ ଘରୋଇ ଆପାର୍ଟମେଣ୍ଟ ପ୍ରକଳ୍ପକୁ ସଂଯୁକ୍ତ ରାସ୍ତା ପାଇଁ ସରକାରୀ ଜମି ବ୍ୟବହାର ଲାଗି ଅନୁମତି ଦେଇ ଫସିଛନ୍ତି ବିଡିଏ ଓ ବିଏମସି। ଏହି ସରକାରୀ ଜମି ସାଧାରଣ ପ୍ରଶାସନ (ଜିଏ) ବିଭାଗ ମାଲିକାନାରେ ଆସୁଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ କିଭଳି ଏଥିପାଇଁ ଅନୁମତି ଦେଲେ ବୋଲି ଏବେ ପ୍ରଶ୍ନ ଉଠିଛି।
କେବଳ ଗୋଟିଏ ନୁହେଁ, ଏଭଳି ଏକାଧିକ ଘଟଣା ଏବେ ଓଡ଼ିଶା ରିୟଲ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି (ଓରେରା) ହାତରେ ଧରାପଡ଼ିଛି। ଏହି ମାମଲାରେ ଓରେରା ରାଜଧାନୀର ସୌଭାଗ୍ୟ ନଗର ଅଞ୍ଚଳରେ ନିର୍ମାଣାଧୀନ ‘ହର୍ଷପ୍ରିୟା ସ୍କୋୟାର’ ଆପାର୍ଟମେଣ୍ଟରେ କୌଣସି ରେଜିଷ୍ଟ୍ରେସନ ନକରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ଭୁବନେଶ୍ୱରର ବମିଖାଲ ଅଞ୍ଚଳରେ ତିଆରି ହେବାକୁ ଥିବା ‘ଶୁଭମ ମିଡଟାଉନ’ ଆପାର୍ଟମେଣ୍ଟ ପ୍ରକଳ୍ପ ମଧ୍ୟ ଅଧାବାଟରେ ଫସିଛି। ହର୍ଷପ୍ରିୟା ଏବଂ ଶୁଭମ ଉଭୟ ପ୍ରକଳ୍ପରେ ଜିଏ ବିଭାଗର ଜମି ରାସ୍ତା ପାଇଁ ବ୍ୟବହାର ନେଇ ବିଏମସି ଅନୁମତି ଦେଇ ଫସିଛି। କାରଣ, ଜମିର ମୂଳ ମାଲିକ ଜିଏ ବିଭାଗ କୌଣସି ଅନୁମତି ଦେବା ତ ଦୂରର କଥା ଏ ବାବଦରେ କୌଣସି ସୂଚନା ପାଇନଥିବା ଜଣାପଡ଼ିଛି।
ଓରେରା ପକ୍ଷରୁ କରାଯାଇଥିବା ଯାଞ୍ଚରେ ଏହି ଦୁଇ ପ୍ରକଳ୍ପକୁ ରାସ୍ତା ପାଇଁ ସରକାରୀ ଜମି ଦିଆଯିବାରେ ହୋଇଥିବା ଅନିୟମିତତା ସାମ୍ନାକୁ ଆସିଥିଲା। ଏନେଇ ଜିଏ ବିଭାଗକୁ ଅବଗତ କରାଇ ମାମଲାରେ ବିଡିଏ ଓ ବିଏମସିଠାରୁ ସ୍ପଷ୍ଟୀକରଣ ମାଗିବାକୁ ନିର୍ଦ୍ଦେଶ ଦେଇଥିଲେ ଓରେରା। ଏହାପରେ ବିଭାଗର ନିଦ ଭାଙ୍ଗିଥିଲା।
ଘରୋଇ ବିଲ୍ଡରମାନଙ୍କ ସ୍ୱାର୍ଥ ପାଇଁ ବିଡିଏ ଓ ବିଏମସିର ପ୍ଲାନିଂ ବିଭାଗର ବାବୁମାନେ ସବୁ ନିୟମ ଉଲ୍ଲଂଘନ କରି ଅନ୍ୟ ବିଭାଗ ଅଧୀନରେ ଥିବା ସରକାରୀ ଜମିକୁ କିଭଳି ଟେକି ଦେଇ ପାରନ୍ତି ଏହା ତା’ର ଏକ ଉଦାହରଣ ବୋଲି ଚର୍ଚ୍ଚା ହେଉଛି। କେବଳ ହର୍ଷପ୍ରିୟା ଏବଂ ଶୁଭମ ନୁହେଁ, ଏଭଳି ଆଉ ଏକ ମାମଲା ଓରେରା ନଜରକୁ ଆସିଛି।
ହର୍ଷପ୍ରିୟା ଏବଂ ଶୁଭମ ଆପାର୍ଟମେଣ୍ଟ ପ୍ରକଳ୍ପ ମାମଲାରେ ଉଭୟ ବିଏମସି ଓ ବିଡିଏକୁ ଚିଠି ଲେଖି ସ୍ପଷ୍ଟୀକରଣ ମାଗିଛନ୍ତି ସାଧାରଣ ପ୍ରଶାସନ ବିଭାଗର ଡାଇରେକ୍ଟର ଅଫ୍ ଇଷ୍ଟେଟସ୍। ଅଗଷ୍ଟ ୨୩ ତାରିଖରେ ଏହି ଚିଠି ବିଡିଏ ଅଧ୍ୟକ୍ଷ ଏବଂ ବିଏମସି କମିଶନରଙ୍କୁ ଲେଖାଯାଇଛି। ଏବେ ସେମାନେ ଏଭଳି ଅଡୁଆ ପ୍ରଶ୍ନର କି ଉତ୍ତର ଦେବେ ତା’ ଉପରେ ସମସ୍ତଙ୍କ ନଜର।
ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ବରମୁଣ୍ଡା ମୌଜାରେ ଥିବା ଜିଏ ବିଭାଗର ୧୨୩୩ ନମ୍ବର ପ୍ଲଟକୁ ହର୍ଷପ୍ରିୟା ପ୍ରକଳ୍ପ ଲାଗି କିଭଳି ଟେକି ଦିଆଗଲା। ସେହିଭଳି ବମିଖାଲ ଅଞ୍ଚଳରେ ଥିବା ଜିଏ ବିଭାଗର ୫୨୭ ନମ୍ବର ପ୍ଲଟକୁ କିଭଳି ଶୁଭମ ମିଡଟାଉନ ଆପାର୍ଟମେଣ୍ଟର ରାସ୍ତା ବ୍ୟବହାର ପାଇଁ ଅନୁମତି ଦିଆଗଲା ବୋଲି ଏଥିରେ ପ୍ରଶ୍ନ ପଚରାଯାଇଛି। ବିଡିଏ ଦ୍ୱାରା ଅନୁଷ୍ଠିତ ୨୪୮ତମ ବିପିଡିପି କମିଟି ବୈଠକରେ ଏ ସମ୍ପର୍କରେ କିଭଳି ଏହି ନିଷ୍ପତ୍ତି ନିଆଗଲା ବୋଲି ଏବେ ସ୍ପଷ୍ଟୀକରଣ ମାଗିଛି ଜିଏ ବିଭାଗ।
ଓଡ଼ିଶାରେ ଏବେ ଜୋରସୋରେ ବିଭିନ୍ନ ଆପାର୍ଟମେଣ୍ଟ ପ୍ରକଳ୍ପ ବଢ଼ିବାରେ ଲାଗିଛି। ବିଶେଷକରି, କଟକ ଓ ଭୁବନେଶ୍ୱରରେ ଏହାର ଚାହିଦା ବଢୁଥିବାରୁ ଘରୋଇ ବିଲ୍ଡରମାନେ ନୂଆ ନୂଆ ପ୍ରକଳ୍ପ ଆରମ୍ଭ କରୁଛନ୍ତି। କିନ୍ତୁ ଏହିସବୁ ପ୍ରକଳ୍ପ ଲାଗି ଆବଶ୍ୟକ ଅନୁମତି ଦେବା ବେଳେ ସରକାରୀ ସଂସ୍ଥା କିଭଳି ନିଜେ ଆଇନର ଉଲ୍ଲଂଘନ କରୁଛନ୍ତି ଏହାର ତା’ର ଏକ ତାଜା ଉଦାହରଣ।
ଆଶ୍ଚର୍ଯ୍ୟର କଥା ହେଉଛି ଯେ, ବିଏମସି ବା ବିଡିଏ ହାତରେ ସଂପୃକ୍ତ ସରକାରୀ ଜମିର ମାଲିକାନା ନଥିବା ସତ୍ତ୍ୱେ ସେମାନେ ବିଲ୍ଡରଙ୍କଠାରୁ ବେଆଇନକୁ ଆଇନରେ ପରିଣତ କରିବା ପାଇଁ ସିକ୍ୟୁରିଟି ଜମାରାଶି ନାଁରେ ମୋଟା ଅର୍ଥ ନେଇଛନ୍ତି।
ଜିଏ ବିଭାଗ ଲେଖିଥିବା ଚିଠି ଅନୁସାରେ ଏଥିପାଇଁ ‘ଏଚପି ସ୍କୋୟାର’ ଠାରୁ ୬୩ ଲକ୍ଷ ୫୧ ହଜାର ଟଙ୍କା ଏବଂ ‘ଶୁଭମ ମିଡଟାଉନ’ ଠାରୁ ୨ କୋଟି ୪୬ ଲକ୍ଷ ୫୯ ହଜାର ୩୬୦ ଟଙ୍କା ସିକ୍ୟୁରିଟି ଜମାରାଶି ନିଆଯାଇଛି। ଏହି ଅର୍ଥ ନେଇ ଭୁବନେଶ୍ୱର ମହାନଗର ନିଗମ ସଂପୃକ୍ତ ଦୁଇଟି ପ୍ରକଳ୍ପର ନିର୍ମାଣ ଲାଗି ପ୍ଲାନକୁ ମଞ୍ଜୁରୀ ଦେଇଛନ୍ତି।
ବିଏମସି ବା ବିଡିଏ କେଉଁ ଆଇନ ବଳରେ ଏଭଳି ସିକ୍ୟୁରିଟି ଜମା ନେଇ ସରକାରୀ ଜମିକୁ ଘରୋଇ ପ୍ରକଳ୍ପ ଲାଗି ଟେକି ଦେଇପାରିବେ ତାକୁନେଇ ପ୍ରଶ୍ନ ଉଠିଛି। ତେଣୁ ଜିଏ ବିଭାଗର ଏହି ଚିଠି ବିଡିଏ ଓ ବିଏମସି ଭଳି ପ୍ରମୁଖ ସରକାରୀ ସଂସ୍ଥାର ପ୍ଲାନ ଅନୁମୋଦନ ଦାୟିତ୍ୱରେ ଥିବା ବଡ଼ ବାବୁମାନଙ୍କ ସ୍ୱଚ୍ଛତା ନେଇ ସିଧାସଳଖ ପ୍ରଶ୍ନ ବୋଲି କହିଲେ ଭୁଲ ହେବନାହିଁ।
ଏହି ମାମଲାକୁ ଅଧିକ ଅନୁଶୀଳନ କଲେ ଜଣାଯାଏ ଯେ, ବିଡିଏ ଓ ବିଏମସି ସହ ସଲାସୁତରା କରି ପ୍ରକଳ୍ପ ଲାଗି ଆପ୍ରୋଚ ରୋଡ୍ ହାତେଇବାକୁ ବସିଥିଲେ ମଧ୍ୟ ଓରେରାର ହସ୍ତକ୍ଷେପ ପରେ ସେମାନେ ଏକ ପ୍ରକାର ଫସିଛନ୍ତି। ଏହି ମାମଲାରେ ଏଚପି ସ୍କୋୟାର ଆପାର୍ଟମେଣ୍ଟ ପ୍ରକଳ୍ପରେ କୌଣସି ପ୍ରକାର କିଣାବିକା ଉପରେ କଟକଣା ଜାରି କରିଛନ୍ତି ଓରେରା। ଏହି ରାୟ ବିରୋଧରେ ଏଚପି ସ୍କୋୟାର ଆପିଲେଟ୍ ଅଥରିଟି ନିକଟରେ ଆବେଦନ କରିଥିବା ଜଣାପଡ଼ିଛି।
ରାଜଧାନୀର ବରମୁଣ୍ଡା ମୌଜା ଅଞ୍ଚଳରେ ନିର୍ମାଣାଧୀନ ରହିଛି ଏଚପି ସ୍କୋୟାର ଆପାଟମେଣ୍ଟ ପ୍ରକଳ୍ପ। ଏଥିରେ ୩୦୦ରୁ ଅଧିକ ଫ୍ଲାଟ ରହିଥିବା ବେଳେ ଏଠାରେ ଅନେକ ଘର ବିକ୍ରି ସରିଛି। ଏହାର ଘର ରେଜିଷ୍ଟ୍ରେସନ ଉପରେ ଓରେରା କଟକଣା ଜାରି କରିବା ପରେ ଏବେ ଗ୍ରାହକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ସେପଟେ ଏହି ପ୍ରକଳ୍ପକୁ ସଂଯୁକ୍ତ ସରକାରୀ ରାସ୍ତା କିଭଳି ବିଲ୍ଡରଙ୍କୁ ଟେକି ଦିଆଗଲା ବୋଲି ଜିଏ ବିଭାଗର ଚିଠି ପରେ ଏହି ଅଡୁଆ ଜଟିଳ ହୋଇପଡ଼ିଛି।
ତେଣୁ, ବିଧିବଦ୍ଧ ଭାବେ ଆପାର୍ଟମେଣ୍ଟ ପ୍ରକଳ୍ପକୁ ରାସ୍ତା ନଥାଇ ବିଲ୍ଡରମାନେ କିଭଳି ଶହ ଶହ ଗ୍ରାହକଙ୍କ ସ୍ୱାର୍ଥକୁ ଅନ୍ଧକାର ଭିତରକୁ ଠେଲି ଦେଇ ପାରନ୍ତି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ମାମଲାରେ ସଂପୃକ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇପଡ଼ିଛି।
Tags: #ApartmentDispute #BDA #BMC #GADept #ORERA #Odisha