ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ପାଖରେ ରହିଛି ବିଶ୍ୱର ତୃତୀୟ ବୃହତ ସେନାନୀ। ପ୍ରତିବର୍ଷ ପ୍ରାୟ ୬୦ ହଜାରରୁ ଅଧିକ ସୈନିକ ଓ ଅଧିକାରୀ ଭାରତୀୟ ସେନାରୁ ଅବସର ନିଅନ୍ତି। ବର୍ଷକୁ ପ୍ରାୟ ୧୦୦ଟି ନିଯୁକ୍ତି ରାଲି କରାଯାଇ ଅବସର ପରେ ଖାଲିଥିବା ପଦବୀଗୁଡ଼ିକୁ ପୂରଣ କରାଯାଏ।

ଭାରତୀୟ ସେନା ଦେଶ ତଥା ବିଶ୍ୱର ଏକ ବୃହତ ନିଯୁକ୍ତିଦାତା ହିସାବରେ ମଧ୍ୟ ପରିଗଣିତ। କିନ୍ତୁ ୨ ବର୍ଷ ହେଲା ଭାରତୀୟ ସେନାରେ କୌଣସି ନିଯୁକ୍ତି ହୋଇପାରି ନାହିଁ। ବିବିସିରେ ପ୍ରକାଶିତ ଏ ଖବରକୁ ନେଇ ଚର୍ଚ୍ଚା ହେଉଛି, ଭାରତୀୟ ସେନା ଅତ୍ୟାଧୁନିକୀକରଣ ରାସ୍ତାରେ ରହିଛି। ତେଣୁ ସେନାବଳ କେବଳ ମାନବ ସମ୍ବଳ ଉପରେ ନିର୍ଭରଶୀଳ ହେବ ନାହିଁ। ବରଂ ଆହୁରି ଅତ୍ୟାଧୁନିକ ବ୍ୟବସ୍ଥା, ମେସିନ ଏବଂ ଅସ୍ତ୍ରଶସ୍ତ୍ର କ୍ରୟ ଉପରେ ଗୁରୁତ୍ୱ ଦେବ ପ୍ରତିରକ୍ଷା ବିଭାଗ।

କାରଣ ଆଉ ଲମ୍ବା ସମୟ ଧରି ଯୁଦ୍ଧ କରିବାର ଆବଶ୍ୟକତା ନାହିଁ ବୋଲି ବହୁ ଅବସରପ୍ରାପ୍ତ ବରିଷ୍ଠ ସେନା ଅଧିକାରୀ ମତ ଦେଇଛନ୍ତି। କିଛି ପ୍ରତିରକ୍ଷା ବିଶେଷଜ୍ଞଙ୍କର ମଧ୍ୟ ସମାନ ମତ। ତେବେ ମହାମାରୀ ପାଇଁ ନିଯୁକ୍ତି ବନ୍ଦ ରହିଥିବା ସରକାରୀ ଭାବେ କୁହାଯାଇଛି।

ପ୍ରତିରକ୍ଷା ବିଭାଗ ପାଇଁ ଯେତିକି ବଜେଟର ବ୍ୟବସ୍ଥା କରାଯାଉଛି ତା’ର ପ୍ରାୟ ଅଧାରୁ ଅଧିକ ଦରମା ଓ ପେନସନ ବାବଦକୁ ଖର୍ଚ୍ଚ ହେଉଛି। ଏହା ବାଦ ବହୁତ କମ୍‌ ଅର୍ଥ ସେନାର ଆଧୁନିକୀକରଣ ପାଇଁ ବଳକା ରହୁଛି। ତେଣୁ ମାନବ ସମ୍ବଳ କମ୍ କରି ଆଧୁନିକ ଜ୍ଞାନକୌଶଳର ବହୁଳ ବ୍ୟବହାର କରାଯିବାର ସମ୍ଭାବନା ରହିଥିବା ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି।

ବିବିସିକୁ ଲେଫ୍ଟନାଣ୍ଟ ଜେନେରାଲ ଏଚ୍ ଏସ୍ ପନାଗ କହିଛନ୍ତି, “ଭାରତୀୟ ସେନାରେ ବରିଷ୍ଠ ଅଧିକାରୀଙ୍କ ସଂଖ୍ୟା କମାଇ ଦିଆଯାଇଛି। ଏବେ ସେନାରେ ଲକ୍ଷେ ପଦବୀ ଖାଲି ପଡ଼ିଛି। ଏହି ପରିସ୍ଥିତିରେ ଏକ ସଂସ୍କାର ଆଣିବା ପାଇଁ ସୁଯୋଗ ରହିଛି। ଏକବିଂଶ ଶତାବ୍ଦୀରେ ଆଉ ଅଧିକ ମାନବ ସମ୍ବଳ ନୁହେଁ, ଜ୍ଞାନକୌଶଳ ଦ୍ୱାରା ପରିଚାଳିତ ଏବଂ ପ୍ରଭାବଶାଳୀ ପ୍ରଦର୍ଶନ କରିପାରୁଥିବା ସେନାର ଆବଶ୍ୟକତା ରହିଛି। ଏହାଛଡ଼ା ଯେଉଁଠି ଦେଶଗୁଡ଼ିକ ଆଣବିକ ଶକ୍ତିସମ୍ପନ୍ନ ସେଠାରେ ଲମ୍ବା ପାରମ୍ପରିକ ଯୁଦ୍ଧ ହେବାର ସମ୍ଭାବନା କମ୍‌ ରହିଛି”।

 

ବିକାଶଶୀଳ ଦେଶ ଭାବେ ପ୍ରତିରକ୍ଷା ବଜେଟକୁ ବଢ଼ାଇବା ସମ୍ଭବ ନୁହେଁ, ତେଣୁ ସୈନିକ ସଂଖ୍ୟା କମାଇ ସେନାର ଆଧୁନିକୀକରଣ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ଲେଫ୍ଟନାଣ୍ଟ ଜେନେରାଲ ପନାଗ କହିଛନ୍ତି। ଜଣେ ଅବସରପ୍ରାପ୍ତ ପ୍ରତିରକ୍ଷା ଅଧିକାରୀ ଓ ବିଶେଷଜ୍ଞ ଅଜୟ ଶୁକ୍ଳାଙ୍କ କହିବା ଅନୁସାରେ ଏବେ ଯେତିକି ମାନବ ସମ୍ବଳ ରହିଛି, ସେତିକି ଯଥେଷ୍ଟ। ଏବେ ସେନାନୀର ଆକାର କମାଇବା ଜରୁରୀ।

ଭାରତ ବଜେଟର ୬୦ ପ୍ରତିଶତ ମାନବସମ୍ବଳ ଉପରେ ଖର୍ଚ୍ଚ କରୁଛି। କିନ୍ତୁ ଚୀନ୍ ଏ ଦିଗରେ ମାତ୍ର ୩୦ ପ୍ରତିଶତ ଖର୍ଚ୍ଚ କରି ବାକି ଅର୍ଥ ଆଧୁନିକୀକରଣ ଉପରେ ବିନିଯୋଗ କରୁଛି। ଏହି ପରିସ୍ଥିତିରେ ସୀମାରେ ଚୀନକୁ ରୋକିବା ପାଇଁ ଅଧିକ ମାନବ ସମ୍ବଳ ଅପେକ୍ଷା ଆଧୁନିକ ଜ୍ଞାନକୌଶଳର ଆବଶ୍ୟକତା ରହିଛି ବୋଲି ଜେଏନୟୁର ସିକ୍ୟୁରିଟି ଷ୍ଟଡିଜର ପ୍ରଫେସର ଲକ୍ଷ୍ମଣ କୁମାର ବେହେରା କହିଛନ୍ତି।

 

ଭାରତକୁ ଲାଗି ଆଣବିକ ଶକ୍ତିସମ୍ପନ୍ନ ଦୁଇଟି ପ୍ରତିଦ୍ୱନ୍ଦ୍ୱୀ ଦେଶ ରହିଛନ୍ତି। କଶ୍ମୀରରେ ୫୦ ହଜାରରୁ ଅଧିକ ସୈନିକ ମୁତୟନ  ହୋଇଛନ୍ତି। ହିମାଳୟର ଶୀର୍ଷ ଅଞ୍ଚଳରେ ବି ହଜାର ହଜାର ସୈନିକ ଅଛନ୍ତି। ଆତଙ୍କାବାଦୀ ଆକ୍ରମଣ ଓ ଅନୁପ୍ରବେଶର ଆଶଙ୍କା ଥିବାରୁ ଏହି ସମୟରେ ସୈନିକଙ୍କ ସଂଖ୍ୟା କମାଇବା ଠିକ୍ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Tags: #AdvancedTechnology #IndianArmedForce #LeftnantGeneral #Security #BorderSecurity #BorderForce

LEAVE A REPLY

Please enter your comment!
Please enter your name here