ଓଡ଼ିଶାଲାଇଭ୍ ବ୍ୟୁରୋ

ସାହିତ୍ୟ ସମାଲୋଚକ ଓ ଭାଷାବିଜ୍ଞାନୀ ପ୍ରଫେସର ଗଗନେନ୍ଦ୍ର ନାଥ ଦାଶଙ୍କ ସମାଲୋଚନାମୂଳକ ପୁସ୍ତକ ‘ଓଡ଼ିଶାର ସାହିତ୍ୟ ଓ ସଂସ୍କୃତି : ବୀକ୍ଷା ଓ ସମୀକ୍ଷା’ ପୁସ୍ତକ ପ୍ରକାଶ ପାଇଛି। କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡସ୍ ପବ୍ଲିଶର୍ସ ପକ୍ଷରୁ ବହିଟିକୁ ପ୍ରକାଶ କରାଯାଇଛି।

ବହିଟିରେ ସମୁଦାୟ ୨୫ଟି ପ୍ରସଙ୍ଗ ଉପରେ ଆଲୋନା ହୋଇଛି। ସେଗୁଡ଼ିକ ମଧ୍ୟରେ ଓଡ଼ିଆ ଅସ୍ମିତା ବିଚାର, ଓଡ଼ିଆ ସାହିତ୍ୟର ଇଂରାଜୀ ଇତିହାସ, ବାଲିଯାତ୍ରା ସମ୍ପର୍କୀତ ନୂତନ ଇତିହାସର ସଂରଚନା, ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ, କବିବର ରାଧାନାଥ ରାୟ ଓ ନଗେନ୍ଦ୍ରବାଳା ଏବଂ ଉତ୍କଳ ସମ୍ମିଳନୀର ନାମକରଣ ସମ୍ପର୍କୀତ ଆଲୋଚନା ଆଦି ରହିଛି।

ଏହି ବହିରେ ଲେଖକଙ୍କ ଅନ୍ତଃଦୃଷ୍ଟି ଓ ଗବେଷଣାତ୍ମକ ତଥ୍ୟ ସମ୍ବଳିତ ମୌଳିକ ବିଚାର ପ୍ରତିଫଳିତ ହୋଇଛି। ପ୍ରଫେସର ଦାଶଙ୍କ ଅନ୍ୟାନ୍ୟ ଉଲ୍ଲେଖନୀୟ ସାହିତ୍ୟ ସମୀକ୍ଷାତ୍ମକ କୃତି ହେଉଛି – ‘ଜନଶ୍ରୁତି କାଞ୍ଚିକାବେରୀ, ‘ପୁନଶ୍ଚ ଜନଶ୍ରୁତି କାଞ୍ଚିକାବେରୀ, ‘ଖଦ୍ୟୋତର ଦ୍ୟୁତି’, ‘ସରସ୍ୱତୀ ଫକୀରମୋହନ : ସାହିତ୍ୟ ଓ ବ୍ୟକ୍ତିତ୍ୱ’, ‘ନିର୍ବାଚିତ ପ୍ରବନ୍ଧ ସଙ୍କଳନ’, ‘ନବ ଦିଗନ୍ତର ଆହ୍ୱାନରେ’, ‘ନବ ଦିଗନ୍ତର ସନ୍ଧାନରେ’, ଅଜଣା ପଥ ଯେ ଡାକେ’ ଓ ‘Medieval Literature and Traditions : New Perspective’।

ପ୍ରଫେସର ଦାଶ ଓଡ଼ିଆ ଭାଷା, ଓଡ଼ିଆ ସାହିତ୍ୟ, ଓଡ଼ିଶାର ସଂସ୍କୃତି ଓ ଇତିହାସ ସଂପର୍କରେ ଉଲ୍ଲେଖନୀୟ କାର୍ଯ୍ୟ କରି ପ୍ରତ୍ୟେକଟି ବିଭାଗରେ ଯଶସ୍ୱୀ ହୋଇଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମୀ ତାଙ୍କୁ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ଓ ସାହିତ୍ୟ ଏକାଡେମୀ, ନୂଆଦିଲ୍ଲୀ ‘ଭାଷା ସମ୍ମାନ’ରେ ଭୂଷିତ କରିଛନ୍ତି।

Tags: #ProfGaganendraNathDash #BookPublish #OdishaRaSahityaOSnaskruti #Writter #OdiaLiterature #OdiaHistoryAndCulture

Comment