ଓଡ଼ିଶାଲାଇଭ୍ ବ୍ୟୁରୋ

ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ। ଦିନ ୯ଟା ପରେ ଏବେ ଘରୁ ବାହାରିବାକୁ ଲୋକଙ୍କୁ ଡର ଲାଗୁଛି। ଆକାଶରୁ ନିଆଁ ବର୍ଷା ହେବା ଭଳି ଅନୁଭବ ହେଉଛି। ଆହୁରି ୫ ଦିନ ପର୍ଯ୍ୟନ୍ତ ତାତିରୁ ମୁକ୍ତି ମିଳିବ ନାହିଁ ବୋଲି ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆଭ୍ୟନ୍ତର ଓଡ଼ିଶାରେ ସ୍ଵାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାରେ ବୃଦ୍ଧି ହେବା ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହା ସହିତ ଉପକୂଳରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ଅନୁମାନ କରାଯାଇଛି। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୧ଟି ଜିଲ୍ଲାକୁ ହିଟ୍ ଓ୍ଵେଭ୍ ଜାରି କରାଯାଇଛି। ସେହିପରି ଆସନ୍ତା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ୮ ଜିଲ୍ଲାକୁ ହିଟ୍ ଓ୍ଵେଭ୍ ଜାରି କରିଛି ପାଣିପାଗ ବିଭାଗ।
ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଉପରକୁ ରହୁଥିବାବେଳେ ଆଗକୁ କିଛି ସ୍ଥାନରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁବ ବୋଲି ଆଶଙ୍କା କରାଯାଉଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ମେ’ ୩ ତାରିଖ ପର୍ଯ୍ୟନ୍ତ ହିଟ ଓ୍ଵେଭ୍ ପ୍ରଭାବ ରହିବ। ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ଏହି ସମୟରେ ଲୋକଙ୍କୁ ଖରାରୁ ଦୂରେଇ ରହିବା ପାଇଁ ସଚେତନ କରାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
Tags: #Weather #Summer #HeatWave #Odisha

















