ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୩୧ ବର୍ଷର ସମ୍ପର୍କ ତୁଟାଇଲେ କଂଗ୍ରେସର ତୁଙ୍ଗ ନେତା କପିଲ ସିବଲ। ସିବଲ କଂଗ୍ରେସର ହାତ ଛାଡ଼ି ଉତ୍ତରପ୍ରଦେଶର ଆଞ୍ଚଳିକ ଦଳ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭାକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି।
କଂଗ୍ରେସର ତୁଙ୍ଗନେତା କପିଲ ସିବଲ ରାଷ୍ଟ୍ରୀୟ ଦଳ କଂଗ୍ରେସର ହାତ ଛାଡ଼ିଛନ୍ତି। ବର୍ତ୍ତମାନ ଔପଚାରିକ ଭାବେ ଉତ୍ତରପ୍ରଦେଶର ଆଞ୍ଚଳିକ ଦଳ ସମାଜବାଦୀ ପାର୍ଟି(ଏସପି)ରେ ସାମିଲ ହୋଇନଥିଲେ ମଧ୍ୟ ଏସପି ସମର୍ଥନରେ ରାଜ୍ୟସଭାକୁ ଯିବାକୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କଂଗ୍ରେସ ଛାଡ଼ିବା ନେଇ କପିଲ ସିବଲ ବୁଧବାର ଦିନ ଘୋଷଣା କରିଛନ୍ତି।
କପିଲ ସିବଲ ଦଳରୁ ଇସ୍ତଫା ଦେବା କଥା ଘୋଷଣା କରିବା ସମୟରେ ଭାବବିହ୍ଵଳ ହୋଇପଡ଼ିଥିଲେ। କାରଣ କଂଗ୍ରେସ ସହ ତାଙ୍କର ସମ୍ପର୍କ ପ୍ରାୟ ୩୧ ବର୍ଷର। ୩୧ ବର୍ଷ ଧରି କଂଗ୍ରେସ ସହ ଯୋଡ଼ି ହୋଇଥିବା ସମ୍ପର୍କରୁ ଅଲଗା ହେବା ଏତେ ସହଜନ ନଥିଲା ବୋଲି କହିଥିଲେ ସିବଲ। ସମାଜବାଦୀ ପାର୍ଟି ସମର୍ଥନରେ ଉତ୍ତରପ୍ରଦେଶରୁ ରାଜ୍ୟସଭା ଆସନ ପାଇଁ ବୁଧବାର ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ମେ’ ୧୬ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ସିବଲ
କପିଲ ସିବଲ ବୁଧବାର ଦିନ ଲକ୍ଷ୍ନୌରେ ରାଜ୍ୟସଭା ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିବା ପରେ ଗତ ମେ’ ୧୬ ତାରିଖରୁ ସେ କଂଗ୍ରେସରୁ ଇସ୍ତଫା ଦେଇଥିବା କହିଥିଲେ। ଏହି ଅବସରରେ କପିଲ ସିବଲ କହିଥିଲେ ସମାଜବାଦୀ ପାର୍ଟି ସମର୍ଥନରେ ପୁଣି ଥରେ ସେ ୟୁପିରୁ ରାଜ୍ୟସଭାକୁ ଯାଉଛନ୍ତି।
କଂଗ୍ରେସ ସହ ସମ୍ପର୍କ ତୁଟିଲା
କପିଲ ସିବଲ କହିଛନ୍ତି ସେ କଂଗ୍ରେସ ବିରୋଧରେ କୌଣସି ମନ୍ତବ୍ୟ ରଖିବେ ନାହିଁ। ଦଳରୁ ଇସ୍ତଫା ଦେବା ପରେ କଂଗ୍ରେସ ବିରୋଧରେ କିଛି କହିବା ଉଚିତ ହେବ ନାହିଁ ବୋଲି କହିଛନ୍ତି ସିବଲ। କଂଗ୍ରେସ ସହିତ ସମ୍ପର୍କ ୩୧ ବର୍ଷର। ଏତେ ବର୍ଷ ମଧ୍ୟରେ ଅନେକ ସୁଖଦ ଅନୁଭୂତି ମଧ୍ୟ ରହିଛି। ୩୧ ବର୍ଷର ସମ୍ପର୍କ ତୁଟାଇବା ଏତେ ସହଜ ନଥିଲା ବୋଲି ଆଜି କହିଛନ୍ତି କପିଲ ସିବଲ।
ସ୍ଵାଧୀନ ଭାବେ ସରକାରଙ୍କୁ ଘେରିବେ
ବର୍ତ୍ତମାନ ପର୍ଯ୍ୟନ୍ତ ଔପଚାରିକ ଭାବେ କପିଲ ସିବଲ ସମାଜବାଦୀ ପାର୍ଟିରେ ସାମିଲ ହୋଇନାହାନ୍ତି। ସେ ସମାଜବାଦୀ ପାର୍ଟି ସମର୍ଥନରେ ସ୍ଵାଧୀନ ଭାବେ ରାଜ୍ୟସଭାକୁ ଯାଉଛନ୍ତି। ପ୍ରାର୍ଥିପତ୍ର ଦାଖଲ କରିବା ଅବସରରେ ସେ କହିଛନ୍ତି ଏବେ ସେ ବିରୋଧୀ ସଂଗଠନ ଗଠନ କରିବାକୁ ଯୋଜନା କରିଛନ୍ତି। ସେ କହିଛନ୍ତି ୨୦୨୪ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ବିଫଳତାର କାହାଣୀ ଲୋକଙ୍କ ପାଖରେ ପହଞ୍ଚାଇବେ।
ଉଦୟପୁର ଚିନ୍ତନ ଶିବିରକୁ ଆସିଥିଲା ଡକରା
ନିକଟରେ ରାଜସ୍ଥାନର ଉଦୟପୁରରେ ଆୟୋଜିତ କଂଗ୍ରେସର ଚିନ୍ତନ ଶିବିରରେ ସାମିଲ ହେବାକୁ କପିଲ ସିବଲଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ଶିବିରରେ ଯୋଗ ଦେଇନଥିଲେ ସିବଲ। ସେବେଠାରୁ ଅନୁମାନ କରାଯାଉଥିଲା କପିଲ ସିବଲ ଖୁବ ଶୀଘ୍ର ଦଳ ଛାଡ଼ିପାରନ୍ତି। ଆଜି ଏହି ଦ୍ଵନ୍ଦ୍ଵ ଦୂର ହୋଇଛି।
କେମିତି ରାଜନୀତିକୁ ଆସିଲେ କପିଲ ସବଲ?
ଜଷ୍ଟିସ ଭି ରାମାସ୍ଵାମୀ ମାମଲା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓଙ୍କ ନଜର କପିଲ ସିବଲଙ୍କ ଉପରେ ପଡ଼ିଥିଲା। ସିବଲଙ୍କର କଥା କହିବାର ଶୈଳୀ ଏବଂ କୋର୍ଟରେ ଦଲିଲ ରଖିବାର ଅଦ୍ଭୁତ କଳା ନରସିଂହ ରାଓଙ୍କୁ ବେଶ ପ୍ରଭାବିତ କରିଥିଲା। ୧୯୯୬ ମସିହାରେ ହୋଇଥିବା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ତରଫରୁ ଲଢ଼ିବାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓ କପିଲ ସିବଲଙ୍କୁ ଅଫର କରିବା ସହ ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ବିଜେପି ପ୍ରାର୍ଥୀ ସୁଷମା ସ୍ଵରାଜଙ୍କଠାରୁ ପରାସ୍ତର ହୋଇଥିଲେ କପିଲ ସିବଲ।
୨୦୦୦-୦୨ ପର୍ଯ୍ୟନ୍ତ କପିଲ ସିବଲ କଂଗ୍ରେସର ସଂସଦୀୟ ସଦସ୍ୟର ସଚିବ ଭାବେ କାର୍ଯ୍ୟ କରିଥିଲେ। ଏହା ପରେ ସେ ୨୦୦୪ରେ ଲୋକସଭା ନିର୍ବାଚନରେ ଦିଲ୍ଲୀର ଚାନ୍ଦନୀଚୌକ ଆସନରୁ ଲଢ଼ି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ ମସିହାରେ ସେ ଏହି ନିର୍ବାଚନ ମଣ୍ଡଳିରୁ ପୁନର୍ବାର ଲୋକସଭା ସାଂସଦ ଭାବେ ବିଜୟୀ ହୋଇଥିଲେ। ୨୦୦୪ରୁ ୨୦୧୪ ମସିହା ମଧ୍ୟରେ ୟୁପିଏ ମେଣ୍ଟ ସମୟରେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ଵରେ ରହିଥିଲେ କପିଲ ସିବଲ। ସେ ବହୁ ଗୁରୁତ୍ଵପୂର୍ଣ୍ଣ ବିଭାର ମନ୍ତ୍ରୀ ମଧ୍ୟ ରହିଛନ୍ତି। ଆଇନମନ୍ତ୍ରୀ, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ, ମାନବ ସମ୍ବଳ ବିକାଶ ମନ୍ତ୍ରୀ ଆଦି ଦାୟିତ୍ଵ ତୁଲାଇଛନ୍ତି କପିଲ ସିବଲ।
Tags: #Politics #IndianPolitics #KapilSibal #Congress #SamajbadiParty #KapilSibalaResigns


















