ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ ପୁଣି କାୟା ବିସ୍ତାର ଆରମ୍ଭ କରିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭,୫୮୪ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୪ ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ର ଏବଂ କେରଳରେ କୋଭିଡ ପରିସ୍ଥିତି ଚିନ୍ତାଜନକ ରହିଛି।
ଦେଶର ୫ଟି ରାଜ୍ୟରେ କୋଭିଡ ସଂକ୍ରମଣ ହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ରାଜ୍ୟଗୁଡ଼ିକ ହେଲା ମହାରାଷ୍ଟ୍ର, କେରଳ, ଦିଲ୍ଲୀ, ମୁମ୍ବାଇ, କର୍ଣ୍ଣାଟକ ଏବଂ ହରିଆଣା। ମହାରାଷ୍ଟ୍ରରେ ସର୍ବାଧିକ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ୨,୮୧୩ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେରଳରେ ୨,୧୯୩, ଦିଲ୍ଲୀରେ ୬୨୨, କର୍ଣ୍ଣାଟକରେ ୪୭୧ ଏବଂ ହରିଆଣାରେ ୩୪୮ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବଢ଼ିଛି କୋଭିଡ ମୃତ୍ୟୁ ସଂଖ୍ୟା
ଦେଶରେ ବଢ଼ୁଥିବା କୋଭିଡ ସଂକ୍ରମଣ ହାରକୁ ନେଇ ଚିନ୍ତା ବଢ଼ିଥିବାବେଳେ କୋଭିଡ ମୃତ୍ୟୁକୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଦେଶବାସୀ। ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡରେ ଆକ୍ରାନ୍ତ ହୋଇଥିବା ୨୪ ଜଣକର ମୃତ୍ୟୁ ହୋଇଛି। ଏହାର ପୂର୍ବଦିନ କୋଭିଡରେ ଆକ୍ରାନ୍ତ ହୋଇଥିବା ୮ ଜଣଙ୍କର ମୃତ୍ୟୁ ହୋଇଥିଲା। କୋଭିଡ ମହାମାରୀରେ ବର୍ତ୍ତମାନ ସୁଦ୍ଧା ମୋଟ ୫,୨୪, ୭୪୭ ଜଣଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ୨୪ ଘଣ୍ଟା ମଧ୍ୟରେ କୋଭିଡ ଆକ୍ରାନ୍ତଙ୍କ ମଧ୍ୟରୁ ୩,୭୯୧ ଜଣ ସୁସ୍ଥ ହୋଇଛନ୍ତି। ମୋଟ ସକ୍ରିୟ ମାମଲା ୩୬,୨୬୭ଟି ରହିଛି।
ରାଜ୍ୟଗୁଡ଼ିକୁ ସତର୍କ ରହିବାକୁ କେନ୍ଦ୍ରର ପରାମର୍ଶ
ଭାରତରେ କୋଭିଡ ସଂକ୍ରମଣ ହାର ବୃଦ୍ଧିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି। କେନ୍ଦ୍ରୀୟ ସ୍ଵାସ୍ଥ୍ୟ ସଚିବ ସମସ୍ତ ରାଜ୍ୟକୁ ଚିଠି ଲେଖି କୋଭିଡ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି। କୋଭିଡ ନିୟମ ପାଳନ, ଟ୍ରେସିଂ ଏବଂ ଟ୍ରାକିଂ ଉପରେ ଗୁରୁତ୍ଵ ଦେବାକୁ ଚିଠିରେ ଉଲ୍ଲେଖ ରହିଛି।
Tags: #Covid19 #Corona #CoronaVirus #CovidinIndia