ଓଡ଼ିଶାଲାଇଭ୍ ବ୍ୟୁରୋ
ବଡ଼ଦାଣ୍ଡରେ ଗଡୁଛି କାଳିଆର ରଥ ନନ୍ଦିଘୋଷ। ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସଙ୍ଗେ ଘେନି ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ମହାବାହୁ। ଭକ୍ତାରଣ୍ୟ ହୋଇଉଠିଛି ବଡ଼ଦାଣ୍ଡ। ଶ୍ରଦ୍ଧାର ଦଉଡ଼ିରେ ତିନି ଠାକୁରଙ୍କ ରଥକୁ ଟାଣି ଟାଣି ନେଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ।
ଜନସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର। ଦୁଇ ବର୍ଷ ପରେ ଭଗବାନଙ୍କୁ ପାଖରେ ପାଇ ଭକ୍ତଙ୍କ ଖୁସି କହିଲେ ନ ସରେ। ଆଜି ଭକ୍ତ ଭଗବାନଙ୍କ ମଧ୍ୟରେ ଚାଲିଛି ଅପୂର୍ବ ମିଳନ। ଏସବୁ ଭିତରେ ଧୀରେ ଧୀରେ ଗଡ଼ି ଚାଲିଛି ନନ୍ଦିଘୋଷ।
ସକାଳେ ବଡ଼ ଦେଉଳରେ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ପହଣ୍ଡି ହୋଇ ରଥକୁ ବିଜେ କରିଥିଲେ ଶ୍ରୀଜୀଉମାନେ। ଏହାପରେ ଆଦ୍ୟସେବକ ଗଜପତି ମହାରାଜାଙ୍କ ଦ୍ଵାରା ଛେରା ପହଁରା ନୀତି ସରିବା ପରେ ଚାରମାଳ ଫିଟାଯାଇ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ଵଜ ରଥ ଟଣା ହୋଇଥିଲା। ଏହାପଛକୁ ଗଡ଼ିଥିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ। ଭାଇ ଭଉଣୀଙ୍କୁ ଆଗେ ଛାଡ଼ିବା ପରେ ଶେଷକୁ ଭକ୍ତ ଗହଣରେ ଜନ୍ମବେଦୀକୁ ବାହାରିଛନ୍ତି ମହାବାହୁ।
କରୋନା ପାଇଁ ଦୁଇ ବର୍ଷ ହେଲା ବିନା ଭକ୍ତରେ ରଥଯାତ୍ରା ହେଉଥିଲା। କେବଳ ସୀମିତ ସେବାୟତମାନେ ଏଥିରେ ସାମିଲ ହେଉଥିଲେ।
Tags: #RathaJatra #RathYatra #Puri #LordJagannath #CarFestival #Odisha #RathYatra2022 #ବଡ଼ଦାଣ୍ଡ #ରଥଯାତ୍ରା #ଶ୍ରୀକ୍ଷେତ୍ର #ପୁରୀ


















