ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଥିବାବେଳେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ଲାଗି ବିଭିନ୍ନ ରାଜ୍ୟରେ କ୍ରସ ଭୋଟିଂ ହୋଇଥିବା ସୂଚନା ମିଳିଛି। ଯାହାକୁ ନେଇ ସମ୍ପୃକ୍ତ ଦଳଗୁଡ଼ିକ ମଧ୍ୟରେ ଝଡ଼ ଉଠିଛି।
ଦେଶର ପଞ୍ଚଦଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ଦିନ ଭୋଟ ଗ୍ରହଣ ହୋଇଛି। ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଶା, ଉତ୍ତରପ୍ରଦେଶ, ଗୁଜୁରାଟ ଏବଂ ଆସାମରେ କ୍ରସ ଭୋଟିଂ ହୋଇଥିବା ଦେଖିବାକୁ ମିଳିଛି। ଓଡ଼ିଶାରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଦଳର ନିଷ୍ପତ୍ତି ବିରୋଧରେ ଯାଇ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି। ଏହାକୁ ନେଇ କଂଗ୍ରେସ ଶିବିରରେ ଝଡ଼ ଉଠିଛି।
ଏହା ସହିତ ଉତ୍ତରପ୍ରଦେଶ ବରେଲୀର ସମାଜବାଦୀ ପାର୍ଟି ବିଧାୟକ ଶହଜିଲ ଇସ୍ଲାମ ଦଳ ନିଷ୍ପତ୍ତି ବିରୋଧରେ ଯାଇ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି। ଶହଜିଲ ଇସଲାମ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ।
ଏପଟେ ଗୁଜୁରାଟରେ ମଧ୍ୟ ବିଧାୟକ କ୍ରସ ଭୋଟିଂ କରି ବିବାଦ ଘେରକୁ ଆସିଛନ୍ତି। ଗୁଜୁରାଟରେ ସରଦ ପାଓ୍ଵାରଙ୍କ ଦଳ ଏନସିପି ବିଧାୟକ କନ୍ଧାଲ ଏସ ଜାଡେଜା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା କହିଛନ୍ତି।
ସେହିପରି ଆସାମରେ ମଧ୍ୟ କ୍ରାସ ଭୋଟିଂ ହୋଇଥିବା ଜଣାପଡ଼ିଛି। ଆସାମରେ କଂଗ୍ରେସ ବିଧାୟକ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା ଏଆଇୟୁଡିଏଫର ବିଧାୟକ କରିମୁଦ୍ଦିନ ବରଭୁଇୟା କହିଛନ୍ତି। ରବିବାର ଦିନ କଂଗ୍ରେସ ବିଧାୟକମାନଙ୍କର ବୈଠକ ଡକା ଯାଇଥିବାବେଳେ ମାତ୍ର ୨ରୁ ୩ ଜଣ ବିଧାୟକ ଯୋଗ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ଆସାମରେ ପ୍ରାୟ ୨୦ରୁ ଅଧିକ ବିଧାୟକ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ ଦେଇଥିବା ସେ ଦାବି କରିଛନ୍ତି।
Tags: #Election #PresidentialElection #Voting #CrossVoting


















