ଓଡ଼ିଶାଲାଇଭ୍ ବ୍ୟୁରୋ

(କିଶୋର ମହାପାତ୍ର, ନୟାଗଡ଼ ରୁରାଲ): ବିପଦପୂର୍ଣ୍ଣ ଭାବେ ଛାତ୍ରଛାତ୍ରୀ ବହି ବସ୍ତାନୀ ଧରି ପାଣି ଭିତରେ ପଶି ନଦୀ ପାର ହୋଇ ସ୍କୁଲ ଯାଉଛନ୍ତି। ଏହିଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମାଳିସାହି ଗ୍ରାମ ପଞ୍ଚାୟତରେ।

ଢିପିସାହି ଏବଂ ବେଗୁନିଆ ସାହି ଗ୍ରାମର ପିଲାମାନେ ଗାଁଠାରୁ ୩ କିଲୋମିଟର ଦୂରରେ ଥିବା ଗତିକେଶ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ପାଠପଢ଼ିବା ପାଇଁ ଯାଇଥାନ୍ତି। ସ୍କୁଲ ଯିବାକୁ ହେଲେ ପିଲାଙ୍କୁ ବାଘମାରି ନଦୀର ପଥର ଗଣ୍ଡ ପାର୍ ହୋଇ ସ୍କୁଲ ପହଞ୍ଚିବାକୁ ପଡ଼େ।।

ଏହି ନଦୀକୁ ଛାଡ଼ି ଅନ୍ୟ ଏକ ରାସ୍ତା ରହିଛି ଯାହା ସ୍କୁଲରୁ ଦୁଇଟି ଯାକ ଗାଁକୁ ସଂଯୋଗ ହୋଇଛି। କିନ୍ତୁ ସେହି ରାସ୍ତାରେ ଗାଁଠାରୁ ଗତିକେଶ ନୋଡ଼ାଲ ସ୍କୁଲକୁ ଯିବାକୁ ହେଲେ ଅଧିକ ୨୦ରୁ ୨୨ କିଲୋମିଟର ବୁଲିବାକୁ ପଡ଼ିବ। ଗୋଟିଏ ରାସ୍ତା ବିପଦପୂର୍ଣ୍ଣ ହୋଇଥିବାବେଳେ ଅନ୍ୟଟି ଅଧିକ ଦୂର ପଡ଼ୁଛି। ସେଥିପାଇଁ ଚଳିତ ବର୍ଷ ପ୍ରାଥମିକ ବିଦ୍ୟାଳୟରେ ଢିପିସାହି ଏବଂ ବେଗୁନିଆସାହି ଗ୍ରାମର କୌଣସି ବି ପିଲା ନାମ ଲେଖାଇ ନଥିବା ବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

ଏହି ଦୁଇଗ୍ରାମର ପିଲା ପାଠପଢ଼ିବା ପାଇଁ ଗତିକେଶ ନୋଡାଲ ଉଚ୍ଚ ବିଦ୍ୟାଳୟ ଉପରେ ନିର୍ଭର କରିଥାନ୍ତି। କମ ବାଟ ପଡ଼ୁଥିବାରୁ ବର୍ଷ ସାରା ନଦୀ ପାର ହୋଇ ଛାତ୍ରଛାତ୍ରୀ ସ୍କୁଲ ଯାଇଥାନ୍ତି। କିନ୍ତୁ ବର୍ଷା ଦିନେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକମାନଙ୍କର ଚିନ୍ତା ବଢ଼ିଯାଏ।

କାନ୍ଧରେ ବହି ବ୍ୟାଗ ପକାଇ ସାଇକେଲ ଧରି ଉଛୁଳା ସ୍ରୋତରେ ପଥର ଗଣ୍ଡ ଅତିକ୍ରମ କରି ସ୍କୁଲରେ ପହଞ୍ଚନ୍ତି ଛାତ୍ରଛାତ୍ରୀ। ପିଲାମାନେ ବିପଦପୂର୍ଣ୍ଣ ଅବସ୍ଥାରେ ପଥରଗଣ୍ଡ ପାର ହୋଇ ସ୍କୁଲ ଯିବା ସମୟରେ ଚିନ୍ତାରେ ରହୁଛନ୍ତି ଅଭିଭାବକ। କେବଳ ଅଭିଭାବକ ନୁହଁନ୍ତି ଏଭଳି ଚିତ୍ର ଅଞ୍ଚଳବାସୀଙ୍କୁ ମଧ୍ୟ ବ୍ୟଥିତ କରୁଛି। ସରପଞ୍ଚୟଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଏହି ପଥର ଗଣ୍ଡ ଉପରେ ପୋଲ ନିର୍ମାଣ ସହ ଗ୍ରାମକୁ ଯାତାୟତ ପାଇଁ ପକ୍କା ରାସ୍ତା ନିର୍ମାଣ କରିବାକୁ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ପଥରଗଣ୍ଡ ଉପରେ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Tags: #Education #School #Student #River #NayagarhDist

LEAVE A REPLY

Please enter your comment!
Please enter your name here